ଟିକା ନେବାକୁ ଅନାଇ ବସିଛି ଓଡ଼ିଶା । କେବଳ ଦ୍ୱିତୀୟ ଡୋଜ ଟିକା ନେବାକୁ ଅପେକ୍ଷାରେ ଅଛନ୍ତି ୧୭ ଲକ୍ଷ ୪୭ ହଜାର ।

368

କନକ ବ୍ୟୁରୋ: ଟିକା ନେବାକୁ ଅନାଇ ବସିଛି ଓଡିଶା । କେବଳ ଦ୍ୱିତୀୟ ଡୋଜ୍ ଟିକା ନେବାକୁ ରାଜ୍ୟରେ ୧୭ ଲକ୍ଷ ୪୭ ହଜାର ଲୋକ ଅପେକ୍ଷା କରି ରହିଛନ୍ତି । ରାଜ୍ୟରେ ୬୦ ବର୍ଷରୁ ଅଧିକ ୧୧ ଲକ୍ଷ ୭୧ ହଜାର ଲୋକ ସେମାନଙ୍କ ଦ୍ୱିତୀୟ ଡୋଜ୍ ଟିକା ନେବାକୁ ଅନାଇ ବସିଛନ୍ତି । କାରଣ ପ୍ରଥମ ଡୋଜ୍ ଟିକା ନେବାର ୨୮ ଦିନ ପୂରିଗଲାଣି ।
ସେହିପରି ୪୫ରୁ ୬୦ ବର୍ଷ ମଧ୍ୟରେ ୫ ଲକ୍ଷ ୭୬ ହଜାର ଲୋକ ଦ୍ୱିତୀୟ ଡୋଜ୍ ନେବା ବାକି ରହିଛି । ଏପ୍ରିଲ ମାସରେ ରାଜ୍ୟରେ ଦୈନିକ ଅଢେଇ ଲକ୍ଷ ଲୋକଙ୍କ ଟିକାକକଣ ହେଉଥିବାବେଳେ ଏବେ ଢେର କମିଯାଇଛି । ଗତକାଲି ରାଜ୍ୟର ୩୦ ଜିଲ୍ଲାରୁ ୧୫ଟିରେ ଟିକାକରଣ ବନ୍ଦ ରହିଥିଲା । କେବଳ ୨୧ ହଜାର ୮୦୪ ଡୋଜ୍ ଟିକା ଦିଆଯାଇଛି । ଆଜି ୯ଟି ଜିଲ୍ଲାରେ ଟିକାକରଣ ବନ୍ଦ ରହିଛି । ସମୁଦାୟ ୨୧୨ଟି ଅଧିବେଶନ ଆୟୋଜନ କରାଯିବ । ସରକାରୀ ତଥ୍ୟ ଅନୁସାରେ ଏବେ ରାଜ୍ୟ ପାଖରେ ୧ ଲକ୍ଷ ୪ ହଜାର ୭୦ ଡୋଜ୍ କୋଭିସିଲ୍ଡ ଟିକା, ୩ ଲକ୍ଷ ୧୮୦ ଡୋଜ୍ କୋଭାକ୍ସିନ ଟିକା ଏବଂ ରାଜ୍ୟ ସରକାର ନିଜେ କିଣିଥିବା ୧ ଲକ୍ଷ ୨୮ ହଜାର ୩୨୦ ଡୋଜ୍ କୋଭାକ୍ସିନ ଟିକା ମହଜୁଦ ରହିଛି ।