ଓଡ଼ିଶା ସରକାରଙ୍କ ପାଇଁ ବଡ଼ ଆହ୍ୱାନ ତିଆରି କଲା ଆନ୍ଧ୍ର : କୋଟିଆ ଗ୍ରାମବାସୀଙ୍କୁ ଆନ୍ଧ୍ର ପ୍ରଦେଶ ବିଜୟନଗରମରେ ଭବ୍ୟ ସ୍ୱାଗତ

ଓଡ଼ିଶା ବିରୋଧରେ ପ୍ରଶାସନିକ ସୁରକ୍ଷା ମାଗିଥିବା ଚର୍ଚ୍ଚା

113

କନକ ବ୍ୟୁରୋ : ଓଡିଶା ସରକାରଙ୍କ ପାଇଁ ବଡ ଆହ୍ୱାନ ସୃଷ୍ଟି କରିଛି ଆନ୍ଧ୍ର ପ୍ରଦେଶ । କୋରାପୁଟ ଜିଲ୍ଲାର କୋଟିଆ ଗ୍ରାମପୁଞ୍ଜକୁ ନେଇ ବିବାଦ ଭିତରେ ବଡ ଚାଲ ଖେଳିଛି ପଡୋଷୀ । ସୋମବାର କୋଟିଆର ପ୍ରାୟ ୧୭ଟି ଗାଁର ଶତାଧିକ ଲୋକ ଆନ୍ଧ୍ରପ୍ରଦେଶ ବିଜୟନଗରମ ଯାଇ ସେଠାକାର ପ୍ରଶାସନିକ ଅଧିକାରୀଙ୍କୁ ଭେଟିଛନ୍ତି । ବଡକଥା ହେଉଛି ଆନ୍ଧ୍ରରେ କୋଟିଆବାସୀଙ୍କ ଭବ୍ୟ ସ୍ୱାଗତ କରାଯାଇଛି । ଯାହାର ଚିତ୍ର ସାମ୍ନାକୁ ଆସିବା ପରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

କାରଣ ବିଭିନ୍ନ ପ୍ରକାର ଲୋଭନୀୟ ପ୍ରତିଶ୍ରୁତି ଦେଇ କୋଟିଆବାସୀଙ୍କୁ ନିଜ ଆଡକୁ ଆକର୍ଷିତ କରିବା ପାଇଁ ବାରମ୍ବାର ପ୍ରୟାସ ଚଳାଇଛି ଆନ୍ଧ୍ର । ତେବେ ବିଜୟନଗରମ ଯାଇଥିବା କୋଟିଆର ଲୋକେ ଆନ୍ଧ୍ର ସରକାରଙ୍କ ସହିତ ରହିବାକୁ ଇଚ୍ଛା ପ୍ରକାଶ କରିଥିବା ଜଣାପଡିଛି । ଏପରକି ଓଡିଶା ସରକାରଙ୍କଠାରୁ ସେମାନଙ୍କୁ ସୁରକ୍ଷା ଯୋଗାଇ ଦେବା ପାଇଁ ଦାବୀ କରିଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ସ୍ଥାନୀୟ ପ୍ରଶାସନ ଓ ରାଜନେତାଙ୍କଠାରୁ ସୁରକ୍ଷା ଦେବା ପାଇଁ କାଳେ ସେମାନେ ଜିଲ୍ଲାପାଳ ଓ ଏସପିଙ୍କୁ ଦାବି ଜଣାଇଛନ୍ତି ।

କିଛିଦିନ ତଳେ ଏକ ପ୍ରଜାମେଳି କରି ଏହି ଗାଁର ଲୋକମାନେ ଆନ୍ଧ୍ର ସହିତ ରହିବାକୁ ସଂକଳ୍ପ ନେଇଥିଲେ ବୋଲି ଚର୍ଚ୍ଚା ହେଉଛି । ତେବେ ଓଡିଶାର ସୀମାନ୍ତ ଗାଁ ଲୋକଙ୍କୁ ନେଇ ପଡୋଷୀର ଏଭଳି ଚାଲ ଓଡିଶା ସରକାର ଓ କୋରାପୁଟ ପ୍ରଶାସନ ପାଇଁ ବଡ ଆହ୍ୱାନ ସୃଷ୍ଟି କରିଛି । ତୁରନ୍ତ ଏ ଦିଗରେ ସରକାର ଓ ପ୍ରଶାସନ ପଦକ୍ଷେପ ନନେଲେ କୋଟିଆ ହାତରୁ ଚାଲିଯିବାର ଭୟ ବଢିବାରେ ଲାଗିଛି ।