ଆସନ୍ତାକାଲି କୋଟିଆର ସୀମାନ୍ତ ଗାଁରେ ଆନ୍ଧ୍ରର ପଂଚାୟତ ସ୍ତରୀୟ ନିର୍ବାଚନ : କୁଲାଡ଼ିବାସୀଙ୍କୁ ମନେଇବାରେ ପ୍ରଶାସନ ସଫଳ : ଆନ୍ଧ୍ର ନିର୍ବାଚନରେ ଦେବୁନି ଭୋଟ୍‌

64

କନକ ବ୍ୟୁରୋ : ଆସନ୍ତାକାଲି କୋଟିଆର ସୀମାନ୍ତ ଗାଁରେ ଆନ୍ଧ୍ରର ପଂଚାୟତ ସ୍ତରୀୟ ନିର୍ବାଚନ ହେବାକୁ ଯାଉଛି । ହେଲେ ଓଡିଶା ଗାଁର ଲୋକେ ଆନ୍ଧ୍ର ନିର୍ବାଚନରେ ଭୋଟ ଦେବେ ନାହିଁ ବୋଲି ଶପଥ କରିଛନ୍ତି । ଆନ୍ଧ୍ର ସୀମାନ୍ତରେ ଥିବା ଗଂଜାମ ଜିଲ୍ଲା ପାତ୍ରପୁର ବ୍ଲକ ତୁମ୍ବା ପଂଚାୟତର କୁଲାହାଡି ଗାଁର ଲୋକେ ଶପଥ କରିଛନ୍ତି ଆନ୍ଧ୍ରର ନିର୍ବାଚନରେ ଭୋଟ ଦେବେ ନାହିଁ । ଓଡିଶା ଗାଁରେ ଆନ୍ଧ୍ର ନିର୍ବାଚନ କରାଉଥିବା ଖବର ମିଳିବା ପରେ ପ୍ରଶାସନର ଏକ ଟିମ ପହଂଚି ଲୋକଙ୍କ ସହ ଆଲୋଚନା କରିଛନ୍ତି । ଭୋଟ ଦେବେ ନାହିଁ ବୋଲି ଗାଁର ଲୋକେ ଲିଖିତ ଭାବେ ପ୍ରାଶାସନିକ ଅଧିକାରୀଙ୍କୁ ଜଣାଇଛନ୍ତି ।

ସେତେବେଳକୁ ଆନ୍ଧ୍ରପ୍ରଦେଶ ଗଠନ ବି ହୋଇନଥିଲା । ୧୯୫୧ ମସିହାରୁ କୋଟିଆ ଅଧିବାସୀ ଓଡିଶାର କୋରାପୁଟ ଲୋକସଭା ଓ ପଟାଙ୍ଗି ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଦେଇ ଆସୁଛନ୍ତି । ୧୯୫୩ ମସିହାରେ ଗଠନ ହେଲା ଆନ୍ଧ୍ର ପ୍ରଦେଶ । ତେଣୁ କୋଟିଆ ଆମର ଥିଲା, ଆମର ରହିବ ବୋଲି ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ ଦାଶବର୍ମା । ଆନ୍ଧ୍ର ନିଜର ବିସ୍ତାବାଦୀ ନୀତିରୁ ନିବୃତ ରହିବାକୁ ସେ ଆନ୍ଧ୍ରକୁ ଚେତାବନୀ ଦେଇଛନ୍ତି । ଆନ୍ଧ୍ରପ୍ରଦେଶ ସରକାର ଅଦାଲତ ଅବମାନନା କରିଥିବାରୁ ରାଜ୍ୟ ସରକାର ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିବା ସେ କହିଛନ୍ତି । କୋରାପୁଟ ସର୍କିଟ୍ ହାଉସରେ ଏକ ସାଂବାଦିକ ସମ୍ମିଳନୀରେ ଆନ୍ଧ୍ର ପ୍ରଦେଶର ଏପରି ନୀତିକୁ କଡା ସମାଲୋଚନା କରିଛନ୍ତି ସଂଜୟ ଦାସବର୍ମା ।