ପ୍ରସନ୍ନଙ୍କ ଡାଏରି ଖୋଲିବ ଗୁମର : ଜଣାପଡିବ କିଏ କିଏ ପାଇଛନ୍ତି ଉପହାର ?

89

କନକ ବ୍ୟୁରୋ : ଚାକିରିରୁ ବହିଷ୍କୃତ କୁବେର କନଷ୍ଟେବଳ ପ୍ରସନ୍ନ ବେହେରାର ସମ୍ପତ୍ତିର ଆଜି ବି ହିସାବ ଶେଷ ହୋଇପାରି ନାହିଁ । ଫର୍ଣ୍ଣିଚର ସୋ’ରୁମରେ ଥିବା ଆସବାବପତ୍ର, ଲିଙ୍ଗିପୁରଠାରେ ଥିବା ଵାର୍କସପ୍ର ସମ୍ପତ୍ତି ଏବଂ ୨୧ଟି ପାସ୍‌ବୁକ୍‌ରେ କେତେ ଟଙ୍କା ରହିଛି ତାହାର ହିସାବ ଜାରି ରଖିଛି ସ୍ବତନ୍ତ୍ର ଟିମ୍ । ଏଭଳି ସ୍ଥିତିରେ ପ୍ରସନ୍ନ ଘରେ ଚଢ଼ଉ ସମୟରେ ଭିଜିଲାନ୍ସ ଟିମ୍ ହାତରେ ଲାଗିଥିବା ଡାଏରି ଏବେ ଚର୍ଚ୍ଚାକୁ ଆସିଛି ।

କୁହାଯାଉଛି ପ୍ରସନ୍ନ ଲକ୍ଷଲକ୍ଷ ଟଙ୍କାର ଫର୍ଣ୍ଣିଚର ଉପହାର ଦେଇ ଖୁସି କରାଇଥିବା ବରିଷ୍ଠ ଅଧିକାରୀଙ୍କ ନାମ ଏହି ଡାଏରିରେ ରହିଛି । ଯାହାର ପୃଷ୍ଠା ଲେଉଟାଇବା ଆରମ୍ଭ କରିଛି ଭିଜିଲାନ୍ସ । ଖାଲି ସେତିକି ନୁହେଁ; ଡାଏରିରେ ତା’ର ସୁଧ କାରବାର ସମ୍ପର୍କରେ ମଧ୍ୟ ଉଲ୍ଲେଖ ଥାଇପାରେ ବୋଲି ସନ୍ଦେହ କରାଯାଉଛି । ଡାଏରିର ପୂରା ବିବରଣୀ ଜଣାପଡ଼ିବା ପରେ ଗୁମର ଖୋଲିବ ବୋଲି ଆଶା କରାଯାଉଛି ।

ଗୁରୁବାର ସକାଳୁ ଆରମ୍ଭ ହୋଇଥିବା ଚଢ଼ଉ ୧୯ ଘଣ୍ଟା ଧରି ଚାଲିଥିଲା। ଏବେ ସୁଦ୍ଧା ୫ କୋଟି ଟଙ୍କାର ସମ୍ପତ୍ତି ଠାବ ହୋଇଥିବା ବେଳେ ଯାଞ୍ଚ ପରେ ଏହାର ପରିମାଣ ଆହୁରି ଅଧିକ ହେବ ବୋଲି ଜଣାପଡ଼ିଛି। କାରଣ ବହୁ ଦାମୀ ଆସବାବପତ୍ର ରହିଛି । ଏହା ପରେ ମାମଲା ରୁଜୁ କରାଯିବା ସହ ଜେଲରେ ଥିବା ପ୍ରସନ୍ନକୁ ରିମାଣ୍ଡରେ ଅଣାଯିବ ବୋଲି ଜଣେ ଅଧିକାରୀ କହିଛନ୍ତି । ରିମାଣ୍ଡ ସମୟରେ ଆୟ ବହିର୍ଭୂତ ସମ୍ପତ୍ତିର ଖୋଳତାଡ଼ କରାଯିବ । ସେ କେଉଁ ସୂତ୍ରରୁ ଏତେ ସମ୍ପତ୍ତି ଆୟ କଲା ତାହାର ହିସାବ କରାଯିବ ।

ସୂଚନାଯୋଗ୍ୟ, ଭୁବନେଶ୍ବର ହାବିଲଦାର ଓ କନଷ୍ଟେବଳ ମହାସଂଘ ସମ୍ପାଦକ ପ୍ରସନ୍ନ ବେହେରାଙ୍କୁ ଗିରଫ କରାଯିବା ପରେ ଚାକିରିରୁ ବହିଷ୍କୃତ କରାଯାଇଥିଲା। ପରେ ଭିଜିଲାନ୍ସ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ଉ କରିଥିଲା । ଚଢ଼ଉବେଳେ ଡୁମୁଡୁମାସ୍ଥିତ ୩ କୋଟି ୪୮ ଲକ୍ଷ ଟଙ୍କାର ଫର୍ଣ୍ଣିଚର ସୋ’ରୁମ୍‌ର ଜମି ଓ କୋଠା, ୫୦ ଲକ୍ଷ ଟଙ୍କାର ବୀମା, ସୁନ୍ଦରପଦାରେ ୨୪ ଲକ୍ଷ ଟଙ୍କାର ଫ୍ଲାଟ୍ ଆଦି ଠାବ କରାଯାଇଥିଲା ।