କୁବେର ବାବୁଙ୍କ ଓଲିଉଡ ଲିଙ୍କ : ଦୁଇଟି ଓଡିଆ ଫିଲ୍ମରେ ଲାଗିଥିଲା ପ୍ରତାପ ସାମଲଙ୍କ ଟଙ୍କା

ଦୁର୍ନୀତି ସମ୍ପର୍କିତ ମାମଲା ରୁଜୁ କଲା ଭିଜିଲାନ୍ସ

207

କନକ ବ୍ୟୁରୋ : କୁବେର ସରକାରୀ ବାବୁ ପ୍ରତାପ ସାମଲଙ୍କ ଓଲିଉଡ ଲିଙ୍କ । ଅସାଧୁ ଉପାୟରେ ସଂପତି ବଢାଇବା ସହ ଓଡିଆ ଫିଲ୍ମରେ ଲଗାଉଥିଲେ ଟଙ୍କା । ଦୁଇଟି ଓଡିଆ ଫିଲ୍ମ ବାଜି ଓ ନାରୀ ଆଖିରେ ନିଆଁରେ ପ୍ରତାପଙ୍କ ଟଙ୍କା ଲାଗିଥିବା ଅଭିଯୋଗ ହୋଇଛି । ଦୁଇଟି ଯାକ ଫିଲ୍ମରେ ତାଙ୍କ ପତ୍ନୀ ସସ୍ମିତା ସାମଲ ସହ-ପ୍ରଯୋଜିକା ଅଛନ୍ତି । ଓଡିଶା ପୋଲିସ ହାଉସିଂ ଆଣ୍ଡ ୱେଲଫେୟାର କର୍ପୋରେସନର ଡେପୁଟି ମ୍ୟାନେଜର ପ୍ରତାପ ସାମଲ ଜେଲ ଯାଇଛନ୍ତି । ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ପ୍ରତାପ ସାମଲଙ୍କ ବିଭିନ୍ନ ଠିକଣାରେ ରେଡ୍ ପରେ, ତଦନ୍ତ ଯେତିକି ଯେତିକି ଆଗଉଛି ତାଙ୍କ ସମ୍ପତିର ପରିମାଣ ସେତିକି ବଢ଼ି ବଢ଼ି ଚାଲିଛି ।

ଏପର୍ଯ୍ୟନ୍ତ ଭିଜିଲାନ୍ସ ଠାବ କରିଥିବା ପ୍ରତାପଙ୍କ ସମ୍ପତିର ପରିମାଣ ତାଙ୍କ ଆୟଠାରୁ ୧୦ ଗୁଣ ଅଧିକ ବୋଲି ଜଣାପଡିଛି । ସରକାରୀ ଭାବେ ୧ ହଜାର ୭୧ ପ୍ରତିଶତ ବୋଲି କୁହାଯାଇଛି । ମୋଟ ସମ୍ପତିର ମୂଲ୍ୟ ୧୪ କୋଟି ୮୭ ଲକ୍ଷ ବୋଲି ଭିଜିଲାନ୍ସ କହିଛି । ଏଥିରେ ରହିଛି, ପ୍ରତାପ ଓ ତାଙ୍କ ପରିବାର ନାଁରେ ବ୍ୟାଙ୍କରେ ଥିବା ୧ କୋଟି ୬୧ ଲକ୍ଷ ୩୫ ହଜାର ୮୧୨ ଟଙ୍କା । ପ୍ରତାପ ଓ ତାଙ୍କ ପରିବାରଙ୍କ ନାଁରେ ଥିବା ୨୫ଟି ଜମି, କୋଠା ଓ ଫ୍ଲାଟ । ତେବେ ପତ୍ନୀଙ୍କ ଓଲିଉଡ କନେକ୍ସନ ସାମ୍ନାକୁ ଆସିବା ପରେ ସସ୍ମିତା ସାମଲଙ୍କ ନାଁରେ ମଧ୍ୟ ଦୁର୍ନୀତି ସଂପର୍କିତ ମାମଲା ରୁଜୁ କରିଛି ଭିଜିଲାନ୍ସ ବିଭାଗ ।