ଓଡ଼ିଶା ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ଦେହାନ୍ତ : କରୋନାରେ ଆକ୍ରାନ୍ତ ହୋଇ ଗୁରୁତର ହେବା ପରେ କୋଲକାତାରେ ଚାଲିଥିଲା ଚିକିତ୍ସା

2,186

କନକ ବ୍ୟୁରୋ : ବରିଷ୍ଠ ଆଇପିଏସ ଅଫିସର ତଥା ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ଦେହାନ୍ତ ହୋଇଯାଇଛି । କୋଲକାତାର ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ତାଙ୍କର ପରଲୋକ ଘଟିଛି । ତାଙ୍କୁ ମାତ୍ର ୫୬ ବର୍ଷ ହୋଇଥିଲା। ଡକ୍ଟର ପାଣିଗ୍ରାହୀ କରୋନାରେ ଆକ୍ରାନ୍ତ ହୋଇ ମେ ୨୯ ତାରିଖରେ କଟକର ଅଶ୍ବିନୀ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। କିନ୍ତୁ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଦିନକୁ ଦିନ ଗୁରୁତର ହେବାରୁ ‌ଏକମୋ ସହାୟତାରେ ଚିକିତ୍ସା ପାଇଁ ଜୁନ୍ ୮ ତାରିଖରେ ତାଙ୍କୁ ଏୟାର ଆମ୍ବୁଲାନ୍ସରେ କୋଲକାତା ନିଆଯାଇଥିଲା। କିନ୍ତୁ ସେଠାରେ ଡାକ୍ତରଙ୍କ ସମସ୍ତ ଉଦ୍ୟମ ବିଫଳ ହୋଇଛି। ଡକ୍ଟର ପାଣିଗ୍ରାହୀଙ୍କର ପତ୍ନୀ ଅଧ୍ୟାପିକା ତଥା ବିଶିଷ୍ଟ କଣ୍ଠଶିଳ୍ପୀ ଝୁମକି ରଥ, ଗୋଟିଏ ଝିଅ ଓ ଗୋଟିଏ ପୁଅ ଅଛନ୍ତି।

୧୯୬୫, ଅଗଷ୍ଟ ୨୯ ତାରିଖରେ ବାଲେଶ୍ବରରେ ଜନ୍ମିତ ଦେବାଶିଷ ରେଭେନ୍ସା କଲେଜରୁ ରାଜନୀତି ବିଜ୍ଞାନରେ ସ୍ନାତକ ଏବଂ ଉତ୍କଳ ବିଶ୍ବବିଦ୍ୟାଳୟରେ ସ୍ନାତକୋତ୍ତର କରିବା ସହିତ ଦିଲ୍ଲୀର ଜେଏନୟୁରେ ଏମଫିଲ୍ ଓ ପିଏଚ୍‌ଡି କରିଥିଲେ। ୧୯୯୧ରେ ସେ ଭାରତୀୟ ପୁଲିସ ସେବା (ଆଇପିଏସ୍)ରେ ଯୋଗ ଦେଇଥିଲେ। ପୁଲିସ ସେବାରେ ଯୋଗଦେଇ ସେ କଟକ, ଭୁବନେଶ୍ବର, ପୁରୀ, ଗଂଜାମ, କେନ୍ଦୁଝର ଭଳି ଗୁରୁତ୍ବପୂର୍ଣ୍ଣ ଜିଲ୍ଲାରେ ଏସ୍‌ପି ଭାବେ କାର୍ଯ୍ୟ କରିବା ସହିତ ପୁଲିସ ବିଭାଗର ଡିଆଇଜି (ପ୍ରଶାସନ), ଗୃହ ବିଭାଗର ସ୍ବତନ୍ତ୍ର ସଚିବ, ଆଇଜି (ମଡର୍ଣ୍ଣାଇଜେସନ୍), ଆଇଜି (ପର୍ସନେଲ୍), ଏଡିଜି (ପର୍ସନେଲ୍) ଭାବେ କାର୍ଯ୍ୟ କରି ୨୦୧୭ରୁ ଭିଜିଲାନ୍ସର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରି ଆସୁଥିଲେ। ସେ ପୁଲିସ ବିଭାଗରେ ଉତ୍ତମ କାର୍ଯ୍ୟ ପାଇଁ ବିଭିନ୍ନ ସମୟରେ ପୁଲିସ ମେଡାଲ୍ ପାଇ ଆସିଥିଲେ। କଟକ, ଭୁବନେଶ୍ବର ଓ ପୁରୀ ଭଳି ୩ଟି ଗୁରୁତ୍ବପୂର୍ଣ୍ଣ ଜିଲ୍ଲାର ଏସପି ଭାବେ ସଫଳତାର ସହ କାର୍ଯ୍ୟ କରିବାର ରେକର୍ଡ ଏଯାଏ କେବଳ ଦେବାଶିଷଙ୍କ ନାମରେ ରହିଛି।

ପୁଲିସ ବିଭାଗରେ କାର୍ଯ୍ୟ କରିବା ସହିତ ସେ ସାହିତ୍ୟ କ୍ଷେତ୍ରରେ ନିଜର ସ୍ବତନ୍ତ୍ର ଛାପ ଛାଡି ଯାଇଛନ୍ତି। ସେ ଇଂରାଜୀ ଓ ଓଡ଼ିଆ ଭାଷାରେ ୯ଟି କ୍ଷୁଦ୍ରଗଳ୍ପ ସଂକଳନ, ୭ଟି ଉପନ୍ୟାସ, ଅନେକ ଗୀତି କବିତା ରଚନା କରିଛନ୍ତି। ତାଙ୍କ ଗୀତି କବିତାକୁ ନେଇ ଅନେକ ଭିଡିଓ ତଥା ଅଡିଓ ଆଲବମ୍ ପ୍ରସ୍ତୁତ ହୋଇଛି। ତାଙ୍କର ୮ଟି ଗୀତକୁ ନେଇ ସାର୍ଥକ କଂପାନି ଦ୍ବାରା ପ୍ରସ୍ତୁତ ‘ଜହ୍ନ ରାତି’ ଆଲବମ ବେଶ୍ ହୃଦୟସ୍ପର୍ଶୀ ହୋଇଥିଲା। ଧାନ କିଆରିର ମାଟିର ଗନ୍ଧରେ ଲେଖା ମୋ ଗାଁ ଠିକଣା…. ଗଙ୍ଗ ଶିଉଳି ମୁଁ ଗଙ୍ଗ ଶିଉଳି… ଭଳି ହୃଦୟସ୍ପର୍ଶୀ ଗୀତ ତାଙ୍କୁ ଅନେକ ପ୍ରଶଂସା ଆଣି ଦେଇଥିଲା। ତାଙ୍କ ଲିଖିତ ଗଳ୍ପକୁ ନେଇ ଇଂରାଜୀ, ହିନ୍ଦୀ, ବଙ୍ଗଳା, ତେଲଗୁ ଓ କନ୍ନଡରେ ବି ନାଟକ ପ୍ରସ୍ତୁତ କରାଯାଇଛି ।

ସେ ୨୦୦୨ରେ କ୍ଷୁଦ୍ର ଗଳ୍ପ କ୍ଷେତ୍ରରେ ଓଡ଼ିଆ ସାହିତ୍ୟ ଏକାଡେମି ପୁରସ୍କାର ପାଇଥିବା ବେଳେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ ତଥା ସମ୍ବର୍ଦ୍ଧିତ ହୋଇଛନ୍ତି। ନୂଆଦିଲ୍ଲୀର ଲିଫି ପ୍ରକାଶନ ସଂସ୍ଥା ଦ୍ବାରା ପ୍ରକାଶିତ ତାଙ୍କର ପୁସ୍ତକ ‘ଥିଙ୍ଗ୍‌ସ ଲେଫ୍ଟ ଅନସେଡ୍ ଆନ୍ତର୍ଜାତିକ ଖ୍ୟାତିସଂପନ୍ନ ଲେଖକ ରସ୍କିନ୍ ବଣ୍ଡ୍ ଏବଂ ମନୋଜ ଦାସଙ୍କ ଦ୍ବାରା ଉଚ୍ଚ ପ୍ରଶଂସିତ ହୋଇଥିଲା। ଜଣେ ମିଷ୍ଟଭାଷୀ ତଥା ସୁବକ୍ତା ଭାବେ ସେ ପରିଚିତ। ତାଙ୍କ ବିୟୋଗରେ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଅଭୟ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି। ଆଜି ଭିଜିଲାନ୍ସ ଅଧିକାରୀଙ୍କ ଏକ ସ୍ବତନ୍ତ୍ର ଟିମ୍ କଲିକତା ଯାଇଥିବାବେଳେ ସେଠାରୁ ଆସନ୍ତାକାଲି ଓଡ଼ିଶା ଅଣାଯାଇ ହୁଏତ ଶେଷକୃତ୍ୟ କରାଯିବାର ଯୋଜନା ରହିଛି। କିନ୍ତୁ ଏ ସଂପର୍କରେ ଅଧିକାରୀସ୍ତରରେ କୌଣସି ସ୍ପଷ୍ଟ ସୂଚନା ଏଯାଏ ଦିଆଯାଇ ନାହିଁ।

ଖବର ପାଇ ‌କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଭୀର ଶୋକବ୍ୟକ୍ତ କରିଛନ୍ତି। ଟ୍ବିଟ୍‌ କରି ଶ୍ରୀ ପ୍ରଧାନ କହିଛନ୍ତି, ବରିଷ୍ଠ ଆଇପିଏସ୍‌ ତଥା ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ବିୟୋଗ ଖବର ଶୁଣି ମୁଁ ଅତ୍ୟନ୍ତ ମର୍ମାହତ। ସେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପଦପଦବିରେ ରହି ଓଡ଼ିଶାର ସେବା କରିଛନ୍ତି। ଏହି ଦୁଃସମୟରେ ତାଙ୍କ ପରିବାରକୁ ମୁଁ ଗଭୀର ସମବେଦନା ଜ୍ଞାପନ କରୁଛି। ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ କୁମାର ଦାସବର୍ମା ଶୋକବାର୍ତ୍ତାରେ କହିଛନ୍ତି ଯେ ଦେବାଶିଷଙ୍କ ପରଲୋକ ଦୁଃଖଦାୟକ। ଜଣେ କର୍ତ୍ତବ୍ୟନିଷ୍ଠ ଅଫିସର୍‌ ଭାବେ ସେ କାର୍ଯ୍ୟ କରି ସୁନାମ ଅର୍ଜନ କରିଥିଲେ। ତାଙ୍କ ଦେହାନ୍ତ ରାଜ୍ୟ ପାଇଁ ଅପୂରଣୀୟ କ୍ଷତି । ଶୋକସନ୍ତପ୍ତ ପରିବାରବର୍ଗ ଏବଂ ସହଯୋଗୀଙ୍କୁ ଗଭୀର ସମବେଦନା ଜ୍ଞାପନ କରୁଛି ।

ସ୍ବତନ୍ତ୍ର ରିଲିଫ କମିସନର୍‌ ପ୍ରଦୀପ କୁମାର ଜେନା ଶୋକବାର୍ତ୍ତାରେ କହିଛନ୍ତି ଯେ କୋଭିଡ୍‌ରେ ଆମେ ଆଉ ଜଣେ ଭଲ ମଣିଷଙ୍କୁ ହରାଇଲୁ। ଦେବାଶିଷ ଜଣେ ଦକ୍ଷ ଅଫିସର୍‌ ଓ ଭଲ ମଣିଷ ଥିଲେ। ସେ ସବୁବେଳେ ମନେ ରହିବେ। ସେହିପରି ଓଡ଼ିଶା ପୁଲିସ ଗୃହ ନିର୍ମାଣ ଓ କଲ୍ୟାଣ ନିଗମର ସିଏମ୍‌ଡି ଡ. ସୁଧାଂଶୁ ଷଡ଼ଙ୍ଗୀ ମଧ୍ୟ ଶୋକ ବ୍ୟକ୍ତ କରିଛନ୍ତି। ଟ୍ବିଟ୍‌ କରି ସେ କହିଛନ୍ତି, ଦେବାଶିଷଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ମୋ ପାଖରେ ଭାଷା ନାହିଁ। ଓଡ଼ିଶା ପୁଲିସ, ଓଡ଼ିଆ ସାହିତ୍ୟ ଓ ମୋ ପାଇଁ ଏହା ଏକ ବଡ଼ ଧକ୍କା।