କନକ ବ୍ୟୁରୋ : ରାସନକାର୍ଡ ହିତାଧିକାରୀଙ୍କ ପାଇଁ ମୋହନ ସରକାର ଦେଇଛନ୍ତି ଖୁସୀ ଖବର। ରାସନକାର୍ଡ ହିତାଧିକାରୀଙ୍କୁ ପୁଣି ଚାଉଳ ସହ ଗହମ ମିଳିବ। ଏଥିପାଇଁ ରାଜ୍ୟ ସରକାର ଗହମ ଯୋଗାଇ ଦେବାକୁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଛନ୍ତି।

Advertisment

‘ଚାଉଳ ସହ ମିଳିବ ଗହମ’..ଯୋଗାଇ ଦେବାକୁ କେନ୍ଦ୍ରରେ ରାଜ୍ୟ ସରକାରଙ୍କ ଦାବି। ଦୀର୍ଘ ୨ବର୍ଷ ପରେ ପୁଣି ଥରେ ରାସନକାର୍ଡ ହିତାଧିକାରୀଙ୍କୁ ଚାଉଳ ସହ ଗହମ ମିଳିବ। ଏଥିପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି ରଖିଛନ୍ତି ରାଜ୍ୟ ସରକାର। ଦିଲ୍ଲୀ ଗସ୍ତ ସମୟରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କେନ୍ଦ୍ର ଖାଉଟି କଲ୍ୟାଣ ମନ୍ତ୍ରୀଙ୍କୁ ଭେଟି ଏଥିପାଇଁ ଦାବି ରଖିଛନ୍ତି। ଲୋକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ହିତାଧିକାରୀଙ୍କୁ ମିଳୁଥିବା ଚାଉଳର ୨୦ ପ୍ରତିଶତ ଗହମ ଯୋଗାଇ ଦେବାକୁ ଦାବି ରଖିଛନ୍ତି।

ଗହମ ମିଳିବା ଖବର ଶୁଣିବା ପରେ ଖୁସୀ ଜାହିର କରିଛନ୍ତି ରାସନକାର୍ଡ ହିତାଧିକାରୀ। ତେବେ ଗହମ ନମିଳିବା ପାଇଁ ପୂର୍ବ ସରକାରକୁ ଯୋଗାଣ ମନ୍ତ୍ରୀ ଦାୟୀ କରିବା ପରେ ତେଜିଛି ବୟାନବାଜି। ମନ୍ତ୍ରୀଙ୍କ କଥାକୁ ଅଯୁକ୍ତିକର ବୋଲି କହି କଟାକ୍ଷ କରିଛନ୍ତି ବିଜେଡି ବିଧାୟକ।

୨୦୨୨ ମସିହା ଜୁନ୍ ମାସରୁ ରାସନକାର୍ଡ ହିତାଧିକାରୀଙ୍କୁ ଗହମ ମିଳୁ ନାହିଁ। ତତ୍କାଳୀନ ସରକାର ଗହମ ବଦଳରେ ଚାଉଳ ଯୋଗାଇ ଦେବାକୁ ଦାବି ରଖିବା ପରେ ଗହମ ବନ୍ଦ କରି ଦେଇଥିଲେ କେନ୍ଦ୍ର ସରକାର। ବିଜେଡି ସରକାରଙ୍କ ଯୁକ୍ତି ଥିଲା ଓଡ଼ିଶାର ଲୋକେ ଅଧିକ ଭାତ ଖାଆନ୍ତି, ତେଣୁ ଶତ ପ୍ରତିଶତ ଚାଉଳ ଯୋଗାଇ ଦିଆଯାଉ। କିନ୍ତୁ ଏବେ ବିଜେପି ସରକାର ଗହମ ଯୋଗାଇ ଦେବାକୁ ଦାବି କରିବା ପରେ ପୁଣି ଥରେ ଗହମ ମିଳିବା ସମ୍ଭାବନା ସୃଷ୍ଟି ହୋଇଛି।