କନକ ବ୍ୟୁରୋ : ରାଜ୍ୟରେ କରୋନା ସଂକ୍ରମଣ ନିମ୍ନଗାମୀ ରହିଛି । ଯଦିଓ ଗତକାଲି ଅପେକ୍ଷା ସଂକ୍ରମଣ ସାମନ୍ୟା ବଢିଛି, ତଥାପି କମ୍ ରହିଛି ପଜିଟିଭ ହାର । ଗତ ୨୪ ଘଂଟାରେ ରାଜ୍ୟରେ ୭୮,୭୪୦ ନମୁନା ପରୀକ୍ଷା ହୋଇଥିବା ବେଳେ ପଜିଟିଭ ହାର ୨.୧୬ ପ୍ରତିଶତ ରହିଛି ।

Advertisment

ସେପଟେ ଗତ ୨୪ ଘଂଟାରେ ୧ ହଜାର ୭୦୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୯୮୮ ଜଣଥିବା ବେଳେ ସ୍ଥାନୀୟ ସଂକ୍ରମିତ ୭୧୫ ରହିଛି । ଖୋର୍ଦ୍ଧାରୁ ୩୮୬, କଟକରୁ ୨୪୦, ପୁରୀରୁ ୧୩୯, ବାଲେଶ୍ୱରରୁ ୮୮, ଯାଜପୁର ୮୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏବେ କେବଳ ଖୋର୍ଦ୍ଧା, କଟକ ଓ କେନ୍ଦ୍ରାପଡା ଜିଲ୍ଲାରେ ଟେଷ୍ଟ ପଜିଟିଭ ହାର ୫ ପ୍ରତିଶତ ଉପରେ ରହିଛି । ଖୋର୍ଦ୍ଧାରେ ପଜିଟିଭ ହାର ୬.୭, କଟକରେ ୬.୨ ଓ କେନ୍ଦ୍ରାପଡାରେ ୫.୮ ପ୍ରତିଶତ ରହିଛି ଟେଷ୍ଟ ପଜିଟିଭ ହାର ।

ସରକାରୀ ଗାଇଡଲାଇନ ଅନୁସାରେ ୫ ପ୍ରତିଶତରୁ କମ୍ ଟିପିଆର ଥିବା ଜିଲ୍ଲାଗୁଡିକରେ କରୋନା କଟକଣା କୋହଳ କରାଯାଇପାରିବ । ତେଣୁ ଏହି ୩ ଜିଲ୍ଲାକୁ ବାଦଦେଇ ବାକି ଜିଲ୍ଲାଗୁଡିକରେ ଅଗଷ୍ଟ ୧ ପରେ କରୋନା କଟକଣା କୋହଳ କରିବା ଲାଗି ଚିନ୍ତା କରିପାରନ୍ତି ସରକାର । ଆକ୍ଟିଭ ମାମଲା ଦୃଷ୍ଟିରୁ କେବଳ ଖୋର୍ଦ୍ଧା ଜିଲ୍ଲା ରେଡ ଜୋନରେ ରହିଛି । ଏଠାରେ ୪ ହଜାର ୧୩୭ ସକ୍ରିୟ ମାମଲା ରହିଥିବାବେଳେ ୟେଲୋ ଜୋନରେ ଥିବା କଟକ ଜିଲ୍ଲାରେ ୧ ହଜାର ୯୫୪ ସକ୍ରିୟ ମାମଲା ଓ ବାଲେଶ୍ୱର ଜିଲ୍ଲାରେ ୧ ହଜାର ୨୯ ସକ୍ରିୟ ମାମଲା ରହିଛି ।

ତେଣୁ ଏସବୁକୁ ବିଚାରକୁ ନେଇ ସରକାର ଆଗାମୀ ପଦକ୍ଷେପ ଗ୍ରହଣ କରିପାରନ୍ତି । ଏବେ ରାଜ୍ୟରେ ରାଜ୍ୟର ମୋଟ ସଂକ୍ରମିତଙ୍କ ସଂଖ୍ୟା ୯ ଲକ୍ଷ ୭୨ ହାର ୫୧୭ ରହିଛି  । ସୁସ୍ଥ ହୋଇଛନ୍ତି ୯ ଲକ୍ଷ ୪୯ ହଜାର ୩୫୦ଜଣ । ଏବେବି ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ରହିଛି ୧୭ହଜାର ୪୧୧ । ତେବେ ରାଜ୍ୟରେ କରୋନାରେ ପୁଣି ୬୯ ଜଣଙ୍କ ମୃତ୍ୟୁ ନେଇ ହାସିବ ଦେଇଛନ୍ତି ସରକାର ।