ଆହୁରୀ କୋହଳ ହେଲା କରୋନା କଟକଣା । ଆଜିଠାରୁ ସକାଳ ୬ରୁ ରାତି ୮ ପର୍ଯ୍ୟନ୍ତ ଖୋଲା ରହିବ ଦୋକାନ ବଜାର, ୫୦% କ୍ଷମତାରେ ଖୋଲିବ ମଲ, ହଲ ଓ ହୋଟେଲ

188

କନକ ବ୍ୟୁରୋ : ଆହୁରୀ କୋହଳ ହୋଇଛି କରୋନା କଟକଣା । ଆଜିଠାରୁ ସକାଳ ୬ରୁ ରାତି ୮ ପର୍ଯ୍ୟନ୍ତ ଖୋଲା ରହିବ ଦୋକାନ ବଜାର । ୫୦% କ୍ଷମତାରେ ଖୋଲିବ ମଲ, ହଲ ଓ ହୋଟେଲ । ନାଇଟ କର୍ଫ୍ୟୁ ବଳବତର, ମନ୍ଦିର ଖୋଲିବା ନିଷ୍ପତି ନେବେ ସ୍ଥାନୀୟ ପ୍ରଶାସନ । ମାସ ମାସ ଧରି କଟକଣା ଜାରି ରହିଥିବାରୁ, ଜୀବନ ଜୀବିକା ବିପର୍ଯ୍ୟସ୍ତ ହୋଇପଡିଥିବାରୁ, ଅଗଷ୍ଟ ମାସରେ ଅନେକ କଟକଣାକୁ ହଟାଇ ଦେଇଛନ୍ତି ରାଜ୍ୟ ସରକାର ।
କଟକ, ଭୁବନେଶ୍ୱର ଓ ପୁରୀରେ କରୋନା ସ୍ଥିତିକୁ ଦେଖି କିଛି କଟକଣାକୁ ବଳବତର ରଖିଛନ୍ତି ରାଜ୍ୟ ସରକାର । ଏହି ତିନି ସହରରେ ସପ୍ତାହନ୍ତ ସଟଡାଉନ ଜାରି ରହିବ । ମଲ, ହଲ, ହୋଟେଲ, ଢ଼ାବା ଆଦି ଯିବାକୁ ହେଲେ ପ୍ରାପ୍ତ ବୟସ୍କଙ୍କୁ ଦୁଇ ଡୋଜ୍ ଟିକା ନେଇଥିବା ବାଧ୍ୟତାମୂଳକ ବୋଲି କହିଛନ୍ତି ସରକାର । କଟକ, ପୁରୀ ଓ ଭୁବନେଶ୍ୱରରେ ସପ୍ତାହନ୍ତ ସଟଡାଉନ୍ ଜାରି ରହିବ ଅର୍ଥାତ ଅତ୍ୟାବଶ୍ୟକ ସେବାକୁ ଛାଡିଦେଲେ ଶନିବାର ଓ ରବିବାର ସବୁକିଛି ବନ୍ଦ ରହିବ । ମଲ ଓ ସିନେମା ହଲରେ ପ୍ରବେଶ ପାଇଁ ପ୍ରାପ୍ତବୟସ୍କ ବ୍ୟକ୍ତି ଦୁଇ ଡୋଜ୍ କୋଭିଡ ଟିକା ନେଇଥିବା ଜରୁରୀ କରାଯାଇଛି । ଟିକାକରଣ ପ୍ରମାଣପତ୍ର ଦେଖାଇଲେ ପ୍ରବେଶ ପାଇଁ ଅନୁମତି ମିଳିବ । ହୋଟେଲ, ରେଷ୍ଟ୍ରୁରାଂଟ, ବାର, ଢାବାକୁ ଯିବାକୁ ହେଲେ ଚୂଡ଼ାନ୍ତ ଟିକାକରଣ ପ୍ରମାଣ ପତ୍ର ଜରୁରୀ ହେବ । କଟକ, ପୁରୀ, ଭୁବନେଶ୍ୱରରେ ଅଧିକ କଟକଣାର କାରଣ ହେଉଛି, ଏଠାରେ ସଂକ୍ରମଣ ହାର ଅଧିକ ରହିଛି । ଏହି ସ୍ଥାନକୁ ବାହାର ଅଞ୍ଚଳରୁ ଅଧିକ ଲୋକେ ଯିବାଆସିବା କରୁଛନ୍ତି । ସକ୍ରିୟ ସଂକ୍ରମଣରେ ଏବେ ବି ଖୋର୍ଦ୍ଧା ଜିଲ୍ଲା ରେଡ୍ ଜୋନରେ ରହିଛି । ଏହି ତିନି ସହରରେ ସଂକ୍ରମଣ ହାର ମଧ୍ୟ ଅଧିକ ରହୁଛି । ତେଣୁ ସରକାର ଏହି ୩ ସହର ପ୍ରତି ଅଧିକ ଦୃଷ୍ଟି ଦେଇଛନ୍ତି ।