କନକ ବ୍ୟୁରୋ : ଆଉ କିଛି ସମୟର ଅପେକ୍ଷା । ୧୬ ତାରିଖ ପରେ କଣ ହେବ, ସେନେଇ ଘୋଷଣା କରିବେ ମୁଖ୍ୟ ଶାସନ ସଚିବ । କ୍ୟାଟାଗୋରି ‘ବି’ରେ ଥିବା ଜିଲ୍ଲାଗୁଡିକରେ କଟକଣା କୋହଳ ହେବ ନା ନାହିଁ, ତା ଉପରେ ନଜର ରହିଛି । ସେହିପରି କ୍ୟାଟାଗୋରି ‘ଏ’ରେ ଥିବା ଜିଲ୍ଲାଗୁଡିକରେ କଟକଣା ହଟିବ ନା ନାହିଁ କିଛି ସମୟ ପରେ ସ୍ପଷ୍ଟ ହୋଇଯିବ । କାରଣ କରୋନାର ସଂଘର୍ଷ ଭିତରେ ଅର୍ଥନୀତିର ଅଂଟା ଦୋହଲି ଯାଇଛି । ଜୀବନକୁ ସୁରକ୍ଷା ଦେବାକୁ ଯାଇ, ଜୀବିକା ଉଜୁଡ଼ିବାକୁ ବସିଲାଣି । ଜୀବନ-ଜୀବିକାର ଦୋଛକିରେ ଆଗକୁ କ’ଣ ହେବ ? ୧୬ ତାରିଖ ସକାଳେ ସରୁଛି ଆଂଶିକ ତାଲାବନ୍ଦର ଅବଧି ।
ତେଣୁ ଆଜି ସାଢ଼େ ୨ଟାରେ ଆଗାମୀ ପଦକ୍ଷେପ ନେଇ ଘୋଷଣା କରିବେ ମୁଖ୍ୟ ଶାସନ ସଚିବ । ଆଂଶିକ ତାଲାବନ୍ଦ କାରଣରୁ ଏବେ ଭିଷଣ କଷ୍ଟରେ ଅଛି ଓଡ଼ିଶା । ତେଣୁ ୧୬ରେ ଅବଧି ସରିବା ପରେ ଯଦି ଅର୍ଥନୀତିକୁ ଖୋଲିବା ପାଇଁ ନିଷ୍ପତ୍ତି ନହୁଏ, ତେବେ ଭୂତାଣୁ ଠାରୁ ଅଧିକ ଲୋକ ଭୋକରେ ପ୍ରଭାବିତ ହେବେ । ସୂଚନା ମିଳିଛି ୨୬ଟି ଜିଲ୍ଲାରେ ସଂପୂର୍ଣ୍ଣ କୋହଳ ହୋଇପାରେ କଟକଣା । ତେବେ ସଂକ୍ରମଣ ଅଧିକ ଥିବା ୪ ଜିଲ୍ଲାରେ କଟକଣା ଆଂଶିକ କୋହଳ କରିବାକୁ ଚିନ୍ତା କରୁଛନ୍ତି ସରକାର । ଖୋର୍ଦ୍ଧା, କଟକ, ପୁରୀ ଓ ବାଲେଶ୍ୱରରେ କେତେକ କଟକଣା ବଳବତ୍ତର ରହିପାରେ । ୪ ଜିଲ୍ଲାରେ ରାତି କର୍ଫ୍ୟୁ ବଳବତ୍ତର ରଖିବା ସମ୍ଭାବନା ଅଛି ।
ସେହିପରି ଏହି ୪ ଜିଲ୍ଲାରେ ଜାରି ରହିପାରେ ସପ୍ତାହାନ୍ତ ସଟଡାଉନ୍ । ତେବେ ଦିନ ୨ଟା ପରିବର୍ତ୍ତେ ସଂଧ୍ୟା ୬ଟା ଯାଏଁ ଦୋକାନ ଖୋଲିବାକୁ ମିଳିପାରେ ଅନୁମତି । ଜିମ, ବ୍ୟୁଟିପାର୍ଲର ଓ ସ୍ପା ଖୋଲିବାକୁ ଅନୁମତି ଦେଇପାରନ୍ତି ସରକାର କିନ୍ତୁ ମଲ୍ ଖୋଲିବା ନିଷ୍ପତ୍ତି ଜିଲ୍ଲା ପ୍ରଶାସନ ଉପରେ ଛଡା ଯାଇପାରେ ।