କନକ ବ୍ୟୁରୋ: ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ-୨୦୨୦ ଉପରେ ସୁପ୍ରିମକୋର୍ଟ ରହିତାଦେଶ ଲଗାଇବା ପରେ ଆରମ୍ଭ ହୋଇଛି ବିତର୍କ । ସୁପ୍ରିମକୋର୍ଟର ରହିତାଦେଶକୁ ସ୍ୱାଗତ କରିଛନ୍ତି ବିରୋଧୀ ଦଳ । ବିଧାନସଭାରେ ଏହାକୁ ଜୋରଦାର ବିରୋଧ କରାଯାଇଥିଲା । ବିରୋଧ ସତ୍ୱେ ସଂଖ୍ୟା ଅଧିକ ଥିବାରୁ ବିଧାନସଭାରେ ଏହା ପାରିତ ହୋଇଥିଲା । ତେବେ ଏହି ଆଇନରେ କିଛି ଭୁଲ ନଥିବା କହିଛନ୍ତି ଶାସକ ଦଳର ନେତା ।
ଏବେ ନଜର ପକାଇବା କ’ଣ ରହିଛି ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନରେ ।
ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ-୨୦୨୦
ବିଶ୍ୱବିଦ୍ୟାଳୟରେ କୁଳପତି ନିଯୁକ୍ତିରେ ରାଜ୍ୟ ସରକାରଙ୍କ ଭୂମିକା ରହିବ
ପ୍ରଫେସର, ଅତିରିକ୍ତ ପ୍ରଫେସର, ସହକାରୀ ପ୍ରଫେସର ନିଯୁକ୍ତି କରିବ ଓଡ଼ିଶା ପବ୍ଲିକ ସର୍ଭିସ କମିସନ
ଅଧ୍ୟାପକ ଏବଂ ଅନ୍ୟ ଏକାଡେମିକ୍ ଷ୍ଟାଫ୍ଙ୍କ ଯୋଗ୍ୟତା ସ୍ଥିର କରିବା ଏବଂ ନିଯୁକ୍ତି ପାଇଁ ପରୀକ୍ଷା କରିବା ଦାୟିତ୍ୱରେ ରହିବ ଓପିଏସ୍ସି
ଅନ୍ୟ କର୍ମଚାରୀ ନିଯୁକ୍ତି କରିବ ଷ୍ଟାପ୍ ସିଲେକ୍ସନ୍ ବୋର୍ଡ
ସିଣ୍ଡିକେଟ୍ରେ ଯୁଗ୍ମ ସଚିବ ପାହ୍ୟାର ଅଧିକାରୀ ସଦସ୍ୟ ରହିବେ
ସିନେଟର ଉଚ୍ଛେଦ ହେବ
ଓଡ଼ିଶା ବିଶ୍ୱବିଦ୍ୟାଳୟ ଆଇନ ଅନୁଯାୟୀ ରାଜ୍ୟ ବିଶ୍ୱବିଦ୍ୟାଳୟଗୁଡିକ ପରିଚାଳିତ ହେବେ
ବିଶ୍ୱବିଦ୍ୟାଳୟର ସମ୍ପତ୍ତିର ପରିଚାଳନା କରିବେ ସରକାର
ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ ୨୦୨୦ ଉପରେ ସୁପ୍ରିମକୋର୍ଟଙ୍କ ରହିତାଦେଶ । ପୂର୍ବରୁ ଓଡ଼ିଶା ହାଇକୋର୍ଟଙ୍କ ରାଜ୍ୟ ସରକାରଙ୍କ ସପକ୍ଷରେ ରାୟ ଦେଇଥିଲେ । ଏହି ରାୟ ଉପରେ ରହିତାଦେଶ ଜାରି କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଆସନ୍ତା ୪ ସପ୍ତାହ ମଧ୍ୟରେ ଏହି ମାମଲାରେ ସତ୍ୟପାଠ ଦାଖଲ କରିବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଓଡ଼ିଶା ହାଇକୋର୍ଟଙ୍କ ରାୟ ବିରୋଧରେ ୟୁନିଭର୍ସିଟି ଗ୍ରାଂଟସ କମିଶନ ଓ ପ୍ରଫେସର ଅଜିତ ମହାନ୍ତି ସୁପ୍ରିମକୋର୍ଟରେ ସ୍ୱତନ୍ତ୍ର ଲିଭ୍ ପିଟିସନ୍ ଦାୟର କରିଥିଲେ । ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧିନିୟମ ୨୦୨୦ ୟୁଜିସି ରେଗୁଲେସନ୍ ଆଇନ ୨୦୧୮କୁ ଉଲଂଘନ କରୁଥିବା ଆବେଦନକାରୀଙ୍କ ପକ୍ଷରୁ ଖଣ୍ଡପୀଠଙ୍କ ନିକଟରେ ଉଲ୍ଲେ୍ଖ କରାଯାଇଥିଲା ।
ଏବେ ନଜର ପକାଇବା ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ ବିରୋଧରେ କି ଯୁକ୍ତି ରଖିଥିଲେ ଆବେଦନକାରୀ
ଆବେଦନକାରୀଙ୍କ ଯୁକ୍ତି
ୟୁଜିସିର ୨୦୧୮ ରେଗୁଲେସନ୍ ଅନୁସାରେ ନୂତନ ନିୟମ ପ୍ରଣୟନ କରିବାର ଅଧିକାର ରାଜ୍ୟ ସରକାର କିମ୍ବା ବିଶ୍ୱବିଦ୍ୟାଳୟର ନାହିଁ
ସଂଶୋଧିତ ଆଇନ ୟୁଜିସି ଆଇନର ପରିପନ୍ଥୀ
ସଂଶୋଧିତ ଆଇନ ଜରିଆରେ ବିଶ୍ୱବିଦ୍ୟାଳୟର ସ୍ୱାଧୀତନା ଉପରେ ହସ୍ତକ୍ଷେପ କରୁଛନ୍ତି ସରକାର
ୟୁଜିସି ମାନଦଣ୍ଡକୁ ରାଜ୍ୟଗୁଡିକ ଅଣଦେଖା କଲେ ଦେଶର ଶିକ୍ଷା କ୍ଷେତ୍ରରେ ଘୋର ସମସ୍ୟା ସୃଷ୍ଟି ହେବ
ଏପଟେ ଆଡଭୋକେଟ୍ ଜେନେରାଲ ଅଶୋକ ପରିଜା, ସୁପ୍ରିମକୋର୍ଟରେ ରାଜ୍ୟ ସରକାରଙ୍କ ପକ୍ଷ ରଖିଛନ୍ତି । ଏକ ମାସ ଭିତରେ ଜବାବୀ ସତ୍ୟପାଠ ଦାଖଲ କରିବେ ରାଜ୍ୟ ସରକାର । ମାମଲାର ପରବର୍ତି ଶୁଣାଣୀ ଦୁଇ ମାସ ପରେ କରାଯିବ ।