କାଲିଠୁ କୁହୁଡିର କର୍ଫ୍ୟୁ, ଶୀତର ୧୪୪… ! ଘନ କୁହୁଡି ପାଇଁ ୨୦୦ ମିଟର ଦୂର ପରେ କିଛି ସ୍ପଷ୍ଟ ଦେଖାଯିବନି । କୁହୁଡି ସହ ବାଘ ଭଳି ମାଡି ଆସିବ ଶୀତ

937

କନକ ବ୍ୟୁରୋ: କାଲି ଠାରୁ କଲବଲ କରି ମାରିବ କୁହୁଡି । ଜାଡ ସାଙ୍ଗକୁ ଘନ କୁହୁଡି ଜନଜୀବନକୁ ଅସ୍ତବ୍ୟସ୍ତ କରିବ । କାରଣ ଆସନ୍ତାକାଲି ଠାରୁ କୁହୁଡି ପାଇଁ ରାସ୍ତାଘାଟ ଆଉ ସ୍ପଷ୍ଟ ଦିଶିବନି । କୁହୁଡିର ପ୍ରଭାବ ଏତେ ରହିବ ଯେ ୨୦୦ ମିଟର ଦୂର ପରେ ଆଉ କିଛି ଦେଖାଯିବନି ।

ପାଣିପାଗ ବିଭାଗର ଆକଳନ ଅନୁଯାୟୀ ଆସନ୍ତାକାଲି ଠାରୁ ରାଜ୍ୟରେ କୁହୁଡିର ପ୍ରଭାବ ଜାରି ରହିବ । ଆଭ୍ୟନ୍ତରୀଣ ଓ ଉପକୂଳ ଓଡିଶାର ବିଭିନ୍ନ ସ୍ଥାନରେ ଘନ କୁହୁଡି ପଡିବ ବୋଲି ଆକଳନ କରାଯାଇଛି । ବିଶେଷକରି କନ୍ଧମାଳ, ସମ୍ବଲପୁର, ମାଲକାନଗିରି, ଝାରସୁଗୁଡ଼ା ଓ କଳାହାଣ୍ଡି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘନ କୁହୁଡ଼ି ହେବାର ସମ୍ଭାବନା ରହିଛି ।

ସେହିପରି କାଲିଠାରୁ ଆକାଶ ମେଘମୁକ୍ତ ରହିବ । ଯାହା ଫଳରେ ଶୀତ ଫେରିବ । ବର୍ଷା କମି ଯାଇଥିବାରୁ ତାପମାତ୍ରା କମିବ ଆଉ ଶୀତ ସାଙ୍ଘାତିକ ହେବ । ତେବେ ଗତ କିଛି ଦିନ ତଳେ ଶୀତ ପାଇଁ ସାରା ରାଜ୍ୟ ଚାଦର ଘୋଡେଇ ଶୋଇଥିଲା । ସଞ୍ଜ ନଇଁଲେ ଶୀତ ବାଘ ଭଳି ଆସୁଥିଲା । ଆଉ କାଲିଠାରୁ ପୁଣି ସମାନ ପରିସ୍ଥିତି ସୃଷ୍ଟି ହେବ । ବର୍ଷା ପରେ ଶୀତ ବଢୁଥିବାରୁ ଲୋକଙ୍କୁ ସତର୍କ ରହିବାକୁ କୁହାଯାଇଛି ।