ସାରା ରାଜ୍ୟରେ ତାଲାବନ୍ଦର ଚିତ୍ର: ୨୧ ଦିନିଆ ତାଲାବନ୍ଦ ଭିତରେ ଶୂନଶାନ ହୋଇଗଲା ପ୍ରମୁଖ ରାସ୍ତା, ନାକାବନ୍ଦି କରି ଚେକିଂକୁ ଜୋରଦାର କଲା ପୁଲିସ ହେଲେ ହାଟ, ବଜାରରେ ଜମିଲା ଲୋକଙ୍କ ଭିଡ ।

650

କନକ ବ୍ୟୁରୋ: ସାରା ଦେଶରେ ତାଲା ବନ୍ଦ ଘୋଷଣାର ଆଜି ଥିଲା ପ୍ରଥମ ଦିନ । ରାସ୍ତା ଶୂନଶାନ ଥିବା ବେଳେ ବଜାରରେ ଦେଖିବାକୁ ମିଳିଥିଲା ଭିଡ । ସାମାଜିକ ଦୂରତା ବଢାଇବା ଓ କୌଣସି ସ୍ଥାନରେ ୭ରୁ ଅଧିକ ଲୋକ ଏକାଠି ହେବା ଉପରେ କଟକଣା ରହିଛି । ହେଲେ ଏହି କଟକଣାକୁ ଫୁ କରି ଉଡାଇ ଦେଇଛନ୍ତି ଲୋକେ । ଯାହା କରୋନା ମୁକାବିଲାର ମହତ ଉଦ୍ଦେଶ୍ୟକୁ ବିପଦରେ ପକାଇଛି । ଅନ୍ୟପଟେ ଖାଦ୍ୟ ସାମଗ୍ରୀ ଯୋଗାଇବାକୁ ଟ୍ରଲି ଓ ମାଲବାହୀ ଗାଡି ନିରବଚ୍ଛିନ୍ନ ଭାବେ ଯାତାୟତ କରିବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ସରକାର ।

କରୋନା ମୁକାବିଲା ପାଇଁ ୨୧ ଦିନିଆ ତାଲାବନ୍ଦର ପ୍ରଥମ ଦିନର ଚିତ୍ର ଆପଣଙ୍କୁ ଚିନ୍ତାରେ ପକାଇ ଦେବ ରାଜଧାନୀ ରାଜରାସ୍ତାର ଦୃଶ୍ୟ । ଖାଲି ରାସ୍ତା ଓ ପୁଲିସର ପହରା । ଭୁବନେଶ୍ୱରର ବିଭିନ୍ନ ରାସ୍ତାରେ ସମାନ ଦୃଶ୍ୟ ଦେଖିବାକୁ ମିଳିଛି । ତେବେ ରାସନ ସାମଗ୍ରୀ ଦୋକାନ ଆଗରେ ଭିଡି ଦେଖିବାକୁ ମିଳିଛି । ସେପଟେ କଟକରେ ତାଲାବନ୍ଦ କଟକଣାକୁ ଫୁ କରି ଉଡାଇ ଦେଇଛନ୍ତି ଜନତା । ସକାଳୁ ବଜାରରେ ଲୋକ ଗହଳି ଜମିଥିଲା । ସଂଖ୍ୟାଧିକ ଲୋକ ରୁଣ୍ଡ ହୋଇ ସଉଜା କିଣି ଘରକୁ ଫେରିଛନ୍ତି । ସେପଟେ ରାଜରାସ୍ତାରେ ଦେଖିବାକୁ ମିଳିଥିଲା ଠିକ୍ ଓଲଟା ଚିତ୍ର । ରାସ୍ତା ପ୍ରାୟ ନିର୍ଜନ ଥିଲା ।

ମୟୂରଭଂଜର ଉଦଳା ସହରର ପରିବା ବଜାର, ମାଲକାନଗିରି ସହରର ସାପ୍ତାହିକ ହାଟ ଓ ଯାଜପୁରର ବଜାରରେ ମଧ୍ୟ ଦେଖିବାକୁ ମିଳିଛି ସମାନ ଦୃଶ୍ୟ । ରାସ୍ତାଘାଟ ଶୂନଶାନ ପଡିଥିବା ବେଳେ ବଜାରକୁ ଶହ ଶହ ଲୋକ ଆସି ସଉଦା କିଣା କିଣି କରିଥିଲେ । କରୋନା ପାଇଁ କୌଣସି ସ୍ଥାନରେ ୭ରୁ ଅଧିକ ଲୋକଙ୍କ ଭିଡ ନହେବା ପାଇଁ କଟକଣା ଜାରି ହୋଇଛି । ହେଲେ ବଜାରର ଦୃଶ୍ୟ ଦେଖିଲେ ଏହାକୁ କେହି ଖାତିର କରିନଥିବା ମନେହେଉଛି ।

ସେପଟେ ବଜାରରେ ଗହଳି ଓ ରାସ୍ତାଘାଟରେ ବୁଲାବୁଲିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଡିଏମଇଟି ସିବିକେ ମହାନ୍ତି । ସେ କହିଛନ୍ତି, ଲୋକେ ଜାଣି ମଧ୍ୟ ସଚେତନ ହେଉ ନାହାନ୍ତି । ଆମେ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରୁଛୁ ଓ ଏଥିରେ ସମର୍ଥ ହେବୁ ବୋଲି ସେ ଆଶା ପ୍ରକାଶ କରିଛନ୍ତି । କରୋନା ମୁକାବିଲା ନେଇ ସାମାଜିକ ଦୂରତା ବଜାୟ ରଖିବାକୁ ସଚେତନତା କରାଯାଉଛି । ତେବେ ବଜାରରେ ସଂଖ୍ୟାଧିକ ଲୋକଙ୍କ ଗହଳି କରୋନା ମୁକାବିଲାରେ ବାଧା ସୃଷ୍ଟି କରିବ ଏଥିରେ ସନ୍ଦେହ ନାହିଁ ।