କନକ ବ୍ୟୁରୋ: କରୋନା ମୁକାବିଲା ପାଇଁ ଏବେ ଅଂଟା ଭିଡିଛନ୍ତି ଗାଁ ଲୋକେ । ସାରା ଦେଶରେ ଲକ୍ଡାଉନ୍ ଘୋଷଣା ହୋଇଥିବାବେଳେ, ଗାଁକୁ ଲକ୍ଡାଉନ୍ ବା ସମ୍ପୂର୍ଣ୍ଣ ଭାବେ ବନ୍ଦ କରାଯାଇଛି । ରାଜ୍ୟର ବିଭିନ୍ନ ଗାଁରୁ ଆସିଛି ଏଭଳି ରିପୋର୍ଟ । ଗାଁ ଭିତରକୁ ବାହାର ଲୋକ ଯିବା ନିଷେଧ । ବାଉଁଶର ବ୍ୟାରିକେଟ୍ କରାଯାଇ ଗାଁ ଗୁଡିକୁ ବନ୍ଦ କରାଯାଇଛି ।

Advertisment

ଗାଁ ବାହାରେ ବାଉଁଶର ବ୍ୟାରିକେଟ୍ । ନା କେହି ବାହାରକୁ ଯିବେ । ନା ବାହାରୁ କେହି ଗାଁ ଭିତରକୁ ପ୍ରବେଶ କରିବେ । ଏପରି ଦୃଶ୍ୟ ଦେଖିବାକୁ ମିଳିଛି ଯାଜପୁରର ଜାରକା ଅଂଚଳରେ । ସାରା ରାଜ୍ୟରେ ତାଲାବନ୍ଦ କଡାକଡି ଭାବେ ପାଳନ କରାଯାଉଛି । ଯାଜପୁର ଏସପି ଚରଣ ସିଂ ମୀନା ନିଜେ ଜାରକା ବଜାରରେ ପହଁଚି ଲୋକଙ୍କୁ ସତର୍କ କରାଇଛନ୍ତି ।

କୋଣାର୍କ, ଚନ୍ଦ୍ରଭାଗା ତେଲୁଗୁ ବସ୍ତିରେ ସରକାରଙ୍କ ତାଲାବନ୍ଦ ନିର୍ଦ୍ଦେଶକୁ ବେଶ ଗୁରୁତର ସହ ପାଳନ କରାଯାଉଛି । ବସ୍ତିର ପ୍ରବେଶ ରାସ୍ତା ସମ୍ପୂର୍ଣ୍ଣ ଭାବେ ଲକ୍ଡାଉନ କରିଛନ୍ତି ସ୍ଥାନୀୟ ଯୁବକ । ବସ୍ତିରେ ପାଖାପାଖି ୧୫ହଜାରରୁ ଅଧିକ ଲୋକ ବସବାସ କରୁଥିବାବେଳେ, ସଭିଁଙ୍କ ସ୍ୱାସ୍ଥ୍ୟଗତ ସୁରକ୍ଷା ଦୃଷ୍ଟିରୁ ବାହାର ଲୋକଙ୍କୁ ବସ୍ତି ଭିତରେ ପ୍ରବେଶ କରିବାକୁ ଦିଆଯାଉ ନାହିଁ ।

ସେପଟେ ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକ ବାଚ ଗାଁରେ ବି ସମାସ ଦୃଶ୍ୟ ଦେଖିବାକୁ ମିଳିଛି । ଗାଁ ମୁଣ୍ଡରେ ବାଉଁଶ ବାନ୍ଧି ରାସ୍ତା ଅବରୋଧ କରିଛନ୍ତି ଗ୍ରାମବାସୀ । କୌଣସି ବାହାର ଲୋକଙ୍କୁ ଗାଁରେ ପ୍ରବେଶ ଉପରେ କଟକଣା ରହିଛି । ଆଉ କୌଣସି ଆବଶ୍ୟକ କାମ ପାଇଁ ଗାଁ ବାହାରକୁ ଯିବାକୁ ହେଲେ ହାତ ଧୋଇକି ବାହାରକୁ ଯିବେ, ଏବଂ ଗାଁକୁ ପ୍ରବେଶ କଲାବେଳେ ବି ହାତ ଧୋଇ ପ୍ରବେଶ କରିବେ । କରୋନା ଭୂତାଣୁ ପାଇଁ ସତର୍ତକା ଦୃଷ୍ଟିରୁ ଏପରି ପଦକ୍ଷେପ ନେଇଛନ୍ତି ଗାଁର ସରପଂଚ ରାଜେନ୍ଦ୍ର ସ୍ୱାଇଁ । ଗାଁ ଲୋକ ଗାଁରେ ରହିବେ ଏବଂ କରୋନା ମହାମାରୀ ଠାରୁ ନିଜକୁ ଏବଂ ଅନ୍ୟମାନଙ୍କୁ ବଂଚାଇବେ । ଏଭଳି ବାର୍ତା ନେଇ ରାଜ୍ୟର ଅନେକ ଗାଁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରାଯାଇଛି ।