କଟକଣା କୋହଳ ହେବା ପରେ ଏବେ ବିଲ ମୁହାଁ ଚାଷୀ । ହେଲେ ଫସଲ ଅମଳ ପରେ ବିଲରେ ପଡୁନି ବ୍ୟବସାୟୀ କି ଗ୍ରାହକଙ୍କ ପାଦ ।

546

କନକ ବ୍ୟୁରୋ: ଚାଷୀଙ୍କ ଉପରେ କଟକଣା କୋହଳ ହେବା ପରେ ଏବେ କିଛି ଚାଷୀ ବିଲ ମୁହାଁ ହୋଇଛନ୍ତି । ନିଆଳିରେ ମୁଗଚାଷୀ ବିଲରେ ଯେତିକି ଫଶଲ ରହିଛି ତାକୁ ଅମଳ କରିବାକୁ ଚେଷ୍ଟା କରୁଛନ୍ତି । ସେପଟେ ଧର୍ମଗଡରେ ଲଙ୍କା ଚାଷ କରି କାନ୍ଦୁଛି ଚାଷୀ । ଲଙ୍କା ଅମଳ ହେବା ପରେ ବିକ୍ରି ହୋଇପାରୁନି ଯାହା ଚାଷୀଙ୍କୁ ଚିନ୍ତାରେ ପକାଇଦେଇଛି ।

କରୋନା କଟକଣା କୋହଳ ହେବା ପରେ ଅମଳରେ ଲାଗିପଡିଛନ୍ତି ନିଆଳି ଅଂଚଳ ଚାଷୀ । ମୁଗ ଅମଳର ସମୟ ହୋଇଯାଇଥିବାରୁ ଚାଷୀକୁ ଫୁରସତ ନାହିଁ । ଶହ ଶହ ହେକ୍ଟର ଜମିରେ ମୁଗ ଚାଷକୁ ନେଇ ଚିନ୍ତାରେ ଥିବା ଚାଷୀକୁ ଏବେ ସାମାନ୍ୟ ଆଶ୍ୱସ୍ତି ମିଳିଛି । ସାମାଜିକ ଦୂରତା ରଖି, ମୁହଁରେ ଗାମୁଛା ଘୋଡାଇ ମୁଗ ଅମଳ କରୁଛନ୍ତି ନିଆଳିର ଚାଷୀ । ନିଆଳି ବ୍ଲକର ନିଆଳି, ଅଲଣା, ବିଳାସୁଣି, କସର୍ଦା, ସିଠାଳ, ଏକବରୁଆଁ, ରାଣୀଓଳା, ଜଲ୍ଲାରପୁର, କପାସି, ମାଧବ, ସଡାଂଶ, ଏରଂଚ, କୃଷ୍ଣପ୍ରସାଦ, ନିଭରଣର ପଂଚାୟତରେ ହଜାର ହଜାର ଚାଷୀ ଏବେ ମୁଗ ବିରି ଅମଳ କରୁଛନ୍ତି ।

କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକରେ ଲଙ୍କା ଚାଷୀଙ୍କ ଚିନ୍ତା ବଢିଛି । ୩୦ରୁ ଅଧିକ ଚାଷୀ ୧୦ ଏକରରୁ ଅଧିକ ଜମିରେ ଲଙ୍କା ଚାଷ କରିଥିଲେ । ଫସଲ ଅମଳ ହେବା ପରେ ଗ୍ରାହକଙ୍କ ଦେଖାନାହିଁ । ପୁଣି ବର୍ଷା ଯୋଗୁଁ ଫସଲ ନଷ୍ଟ ହେବାର ଆଶଙ୍କା ବି ରହିଛି । ଆଗକୁ ଅକ୍ଷୟ ତୃତୀୟା । ଲଙ୍କା ବିକି ବିହନ, ଖତ, ସାର କିଣି ଖରିପ ଋତୁର ଚାଷ ଆରମ୍ଭ କରିବା କଥା ଚାଷୀ । କିନ୍ତୁ ଏହା ସମ୍ଭବ ହେଉନାହିଁ ।
ଅମଳ ଫସଲ ବିକ୍ରି ନହୋଇ ପାରିବା ଚାଷୀକୁ ଅଡୁଆ ପରିସ୍ଥିତିରେ ପକାଇ ଦେଇଛି ।

ଅନ୍ୟପକ୍ଷରେ ଧର୍ମଗଡ ନିର୍ବାହୀ ଅଧିକାରୀ କହିଛନ୍ତି ଚାଷୀଙ୍କ ପରିବା କିଣାଯାଉଛି ଏବଂ ଆଗକୁ ବି କିଣାଯିବ । ଏଥିପାଇଁ ଟୋଲଫ୍ରି ନମ୍ବର ମଧ୍ୟ ଜାରି ହୋଇଛି । ଟଙ୍କା ଋଣ କରି ବିଲରେ ପରିଶ୍ରମ କରି ଫଶଲ ଉତ୍ପାଦନ କରିଛି ଚାଷୀ । ହେଲେ କେଉଁ ଏହା ପଚିସଢିଯାଉଛି ତ ଆଉ କେଉଁଠି ବିକ୍ରି ନହୋଇପାରି ଚାଷୀ ପାଖରେ ପଡିରହିଛି ଫସଲ । ଯାହା ଚାଷୀର ଦୁଃଖକୁ ଦ୍ୱିଗୁଣିତ କରିଛି ।