ବସ୍ ଧର୍ମଘଟରୁ ଓହରିବାକୁ ପରିବହନ ମନ୍ତ୍ରୀଙ୍କ ନିବେଦନ : କହିଲେ ଆଲୋଚନା କଲେ ବାହାରିବ ସମାଧାନର ବାଟ; ପାର୍ବଣରେ ଲୋକେ ହଇରାଣ ନହୁଅନ୍ତୁ

1,177

କନକ ବ୍ୟୁରୋ : ଧର୍ମଘଟରୁ ଓହରିବାକୁ ଘରୋଇ ବସ ମାଲିକ ସଂଘକୁ ଅନୁରୋଧ କରିଛନ୍ତି ପରିବହନ ମନ୍ତ୍ରୀ ଟୁକୁନି ସାହୁ । ଆନ୍ଦୋଳନ ନୁହେଁ ଆଲୋଚନା ଜରିଆରେ ସମାଧାନ କରିବାକୁ ଅପିଲ କରିଛନ୍ତି ମନ୍ତ୍ରୀ । ପାର୍ବଣରେ ବସ ଚଳାଚଳ ବନ୍ଦ ରହିଲେ ସାଧାରଣ ଯାତ୍ରୀ ହଇରାଣ ହେବେ । ତେଣୁ ଲୋକଙ୍କ ସ୍ୱାର୍ଥକୁ ଆଖିରେ ରଖି ବସ ଧର୍ମଘଟରୁ ଓହରିବାକୁ କହିଛନ୍ତି ଟୁକୁନି ସାହୁ ।

ଆଲୋଚନା ଜରିଆରେ ସମସ୍ୟାର ସମାଧାନ ହୋଇପାରିବ । ପୂର୍ବରୁ ମଧ୍ୟ ରଥଯାତ୍ରା ବେଳେ ବସ ମାଲିକ ସଂଘର ଦାବିକୁ ଶୁଣି ସମାଧାନ କରିଥିଲେ ରାଜ୍ୟ ସରକାର । ଏବେ ପୁଣି ୨୬ ତାରିଖରେ ଆଲୋଚନା ପାଇଁ ବସ ମାଲିକ ସଂଘକୁ ଡାକିଛନ୍ତି ସରକାର । ତେଣୁ ଧର୍ମଘଟ ନକରି ବସ ଚଳାଚଳ କରିବାକୁ ପରିବହନ ମନ୍ତ୍ରୀ ଅପିଲ କରିଛନ୍ତି ।

ସେପଟେ ଧର୍ମଘଟରୁ ଓହରିବା ପାଇଁ ପରିବହନ ମନ୍ତ୍ରୀ ଟୁକୁନି ସାହୁଙ୍କ ଅପିଲ କରିବା ପରେ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ଘରୋଇ ବସ୍ ମାଲିକ ସଂଘର ସାଧାରଣ ସଂପାଦକ ଦେବେନ୍ଦ୍ର ସାହୁ । ସେ କହିଛନ୍ତି, ୬ ମାସ ହେଲା ସଂଘ ସହ ମନ୍ତ୍ରୀ ଆଲୋଚନା କରିନାହାନ୍ତି । କେବଳ ପରିବହନ କମିସନର୍ ଆଲୋଚନା କରୁଥିଲେ । ସରକାର ଦାବି ପୂରଣ ନେଇ ଲିଖିତ ପ୍ରତିଶ୍ରୁତି ଦେଲେ ସଂଘ ଧର୍ମଘଟରୁ ଓହରିଯିବ ବୋଲି ସେ କହିଛନ୍ତି ।