ଓଡିଶା ରେଳ ଦୁର୍ଘଟଣାକୁ ନେଇ ସାଂସଦ ବରୁଣ ଗାନ୍ଧୀଙ୍କ ଅନୁରୋଧ, ଚାରିଆଡୁ ଛୁଟୁଛି ପ୍ରଶଂସାର ସୂଅ

855

କନକ ବ୍ୟୁରୋ : ଓଡିଶା ବାଲେଶ୍ୱର ଜିଲ୍ଲା ବାହାନଗା ଠାରେ ହୋଇଥିବା ରେଳ ଦୁର୍ଘଟଣାକୁ ନେଇ ସାରା ଦେଶ ଦୁଃଖ ପ୍ରକାଶ କରିଛି । ବିଦେଶରୁ ବି ଅନେକ ନେତା, ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ଆଦି ଶୋକବାର୍ତ୍ତା ପଠାଇଛନ୍ତି । ଏସବୁ ଭିତରେ ବିଜେପି ସାଂସଦ ବରୁଣ ଗାନ୍ଧୀ ଅନ୍ୟ ସାଂସଦମାନଙ୍କୁ ଏଭଳି କିଛି ଅନୁରୋଧ କରିଛନ୍ତି କି ଯାହା ଏବେ ଚର୍ଚ୍ଚା ହେଉଛି । ରେଳ ଦୁର୍ଘଟଣାକୁ ନେଇ ବରୁଣ ଗାନ୍ଧୀ ଶୋକ ପ୍ରକାଶ କରିବା ସହ ସାଥୀ ସାଂସଦମାନଙ୍କୁ ରେଳ ଦୁର୍ଘଟଣାରେ ପୀଡିତ ପରିବାରକୁ ଗୋଟିଏ ମାସର ଦରମା ଦାନ କରିବାକୁ ଅନୁରୋଧ କରିଛନ୍ତି ।

ବରୁଣ ଗାନ୍ଧୀ କହିଛନ୍ତି କି, ପ୍ରଥମେ ପୀଡିତ ପରିବାରଙ୍କୁ ସାହାରା ମିଳିବା ଦରକାର, ଏହାପରେ ନ୍ୟାୟ କଥା । ବରୁଣ ଗାନ୍ଧୀ ତାଙ୍କ ଟ୍ୱିଟରରେ ଲେଖିଛନ୍ତି ଯେ ଓଡିଶାରେ ହୋଇଥିବା ଟ୍ରେନ୍ ଦୁର୍ଘଟଣା ହୃଦୟ ବିଦାରକ । ଯେଉଁ ପରିବାର ଏହି ଦୁର୍ଘଟଣାରେ ଶିକାର ହୋଇଛନ୍ତି ଆମେ ତାଙ୍କୁ ସହାୟତାର ହାତ ବଢାଇବା ସବୁଠାରୁ ବଡ ମାନବିକତା ।

ସୂଚନା ଥାଉ କି, ଶୁକ୍ରବାର ସନ୍ଧ୍ୟାରେ ବାଲେଶ୍ୱର ଜିଲ୍ଲା ବାହାନଗା ଠାରେ କରମଣ୍ଡଳ ଏକ୍ସପ୍ରେସ ଲାଇନଚ୍ୟୁତ ହୋଇ ଏକ ମାଲବାହୀ ଟ୍ରେନକୁ ଧକ୍କା ଦେବା ଫଳରେ ୨୮୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୯ ଶହରୁ ଅଧିକ ଲୋକ ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ଏହାକୁ ନେଇ ରେଳମନ୍ତ୍ରୀ, ପ୍ରଧାନମନ୍ତ୍ରୀ ଓ ଓଡିଶାର ମୁଖ୍ୟମନ୍ତ୍ରୀ ଦୁର୍ଘଟଣା ସ୍ଥଳ ଓ ମେଡିକାଲରେ ପହଂଚି ଘଟଣା ବାବଦରେ ପଚାରି ବୁଝିଛନ୍ତି ।