ସାରାଦେଶରୁ ଛୁଟୁଛି ସମବେଦନାର ସୂଅ । ବିଭିନ୍ନ ମହଲରେ ଶୋକ ପ୍ରକାଶ

730

କନକ ବ୍ୟୁରୋ : ମତେ ରକ୍ଷାକର, ମତେ ବଂଚାଅ । ଆର୍ତ ଚିତ୍କାରରେ ଥରହର ହେଉଥିଲା ବାହାନଗା ରେଳଷ୍ଟେସନ । କେହି ଭାବି ନଥିଲେ ଅନେକଙ୍କ ପାଇଁ ଏହି ରେଳ ଯାତ୍ରା ଅନ୍ତିମ ଯାତ୍ରା ହେବ ବୋଲି । ଓଡ଼ିଶାର ବାଲେଶ୍ୱର ଜିଲ୍ଲା ବାହାନଗା ଷ୍ଟେସନରେ ଘଟିଥିବା ଭୟଙ୍କର ଟ୍ରେନ ଦୁର୍ଘଟଣା କଥା ଭାବିଲେ ଲୋମଟାଙ୍କୁରୀ ଉଠିବ ନିଶ୍ଚୟ । କିଏ ବୁଲିବାକୁ , କିଏ ଚାକିରି ତ କିଏ ପାଠ ପଢ଼ିବାକୁ ନିଜ ନିଜ କାମରେ କରମଣ୍ଡଳ ଏକ୍ସପ୍ରେସରେ ବାହାରିଥିଲେ ଗନ୍ତବ୍ୟସ୍ଥଳ । ହେଲେ ଶୁକ୍ରବାର ସଂଧ୍ୟା ସମୟରେ ସବୁକିଛି ଓଲଟପାଲଟ ହୋଇପଡ଼ିଥିଲା । କିଛି ସେକେଣ୍ଡର ସେ କଳା ସମୟ ଅନେକଙ୍କ ଜୀବନରେ ଅନ୍ଧକାର ଭରିଦେଲା । ଦୁର୍ଘଟଣାରେ ଶହ ଶହ ଲୋକଙ୍କ ଜୀବନ ଯାଇଥିବାବେଳେ ଅନେକ ଆହତ ହୋଇଛନ୍ତି । ଏହି ଦୁର୍ଘଟଣାରେ ସାରା ଦେଶରେ ଯେପରି କଳାବାଦଲ ଖେଳିଯାଇଛି । ଏନେଇ ବହୁ ନେତା, ପ୍ରତିଷ୍ଠିତ ବ୍ୟକ୍ତି, କ୍ରିକେଟର, କଳାକାରମାନେ ଶୋକ ପ୍ରକାଶ କରିଛନ୍ତି ।

ବାହାନଗା ରେଳ ଦୁର୍ଘଟଣା ସାରା ବିଶ୍ୱକୁ ମର୍ମାହତ କରିଛି । ରାଜନୀତି, କ୍ରୀଡ଼ା ,କଳା ଓ ବିଭିନ୍ନ ବ୍ୟକ୍ତିମାନେ ଟ୍ୱିଟ କରି ସମବେଦନା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ସେହିପରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ମଲ୍ଲିକାର୍ଜୁନ ଖଡ଼ଗେ, ମନୋଜ ତିୱାରୀ, ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା , ରୁଷିଆ ଆମ୍ବ।।ସଡ଼ର, ଋଷି ସୁନକ, ରୁଷ ରାଷ୍ଟ୍ରପତି ପୁଟିନ, ତାଇୱାନ ରାଷ୍ଟ୍ରପତି, ନେପାଳ ପ୍ରଧାନମନ୍ତ୍ରୀ, ଅଷ୍ଟ୍ରେଲିଆର ମନ୍ତ୍ରୀ, କାନାଡ଼ା ପ୍ରଧାନମନ୍ତ୍ରୀ, ବ୍ରିଟେନ ପ୍ରଧାନମନ୍ତ୍ରୀ, ଜାପାନ ଆମ୍ବାସଡ଼ର ଓ ମାଲଦୀପ ବୈଦେଶିକ ମନ୍ତ୍ରୀ ପ୍ରମୁଖ ଏହି ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣା ନେଇ ଗଭୀର ଶୋକ ପ୍ରକାଶ କରିଛନ୍ତି ।

ସେହିପରି କ୍ରିକେଟର ମାନେ ମଧ୍ୟ ଘଟଣାରେ ଭଗବାନଙ୍କୁ ପ୍ରାର୍ଥନା କରିବା ସହ ମୃତ ବ୍ୟକ୍ତିଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି । ଗୈାତମ ଗମ୍ଭୀର, ହରଭଜନ ସିଂ, ଶିଖର ଧାୱନ, ବିରାଟ କୋହଲି , ବିରେନ୍ଦ୍ର ସେୱାଗ ଆଦି ଟ୍ୱିଟ କରି ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ଆତ୍ମାକୁ ଭଗବାନ ସଦଗତି ପ୍ରଦାନ କରନ୍ତୁ ବୋଲି ପ୍ରାର୍ଥନା କରିଛନ୍ତି ।

ଅନ୍ୟପଟେ ବହୁ କଳାକାର ମଧ୍ୟ ମୃତକଙ୍କ ପରିବାର ଓ ଆହତଙ୍କ ପାଇଁ ସମବେଦନା ଜଣାଇଛନ୍ତି । ଅଭିନେତା ଅକ୍ଷୟ କୁମାର, ଚିରଂଜୀବ , କିରନ ଖେର, ସଲମାନ ଖାନ , ସନି ଦିଓଲ, ବିବେକ ଅଗ୍ନିହୋତ୍ରୀ ,ଜୁନିଅର ଏନଟିଆର ଗଭୀର ଦୁଃଖ ପ୍ରକାଶ କରିବାସହ ଆହତ ଯାତ୍ରୀଙ୍କ ପାଇଁ ଆଶୁ ଆରୋଗ୍ୟ କାମନା କରିଛନ୍ତି । ବିଭିନ୍ନ ସ୍ଥାନରେ ଦୁର୍ଘଟଣାକୁ ନେଇ ନିରବ ପ୍ରାର୍ଥନା କରାଯିବା ସହ ଆତ୍ମାର ସଦଗତି କାମନା କରାଯାଇଛି ।