କନକ ବ୍ୟୁରୋ: ବାହାନଗା ଟ୍ରେନ ଦୁର୍ଘଟଣା ନେଇ ଅନେକ ହୃଦୟବିଦାରକ କାହାଣୀ ସାମ୍ନାକୁ ଆସୁଛି । କେଉଁଠି ପୂରା ପରିବାର ଶେଷ ହୋଇଯାଇଥିବା ବେଳେ ଆଉ କେଉଁଠି ଶିଶୁର ମୁଣ୍ଡ ଉପରୁ ବାପାମାଆଙ୍କ ହାତ ଉଠିଯାଇଛି । ଅନେକ ଏଭଳି ଆହତ ଅଛନ୍ତି ଯେଉଁମାନଙ୍କ ଅବସ୍ଥା ଗୁରୁତର ଥିବା ବେଳେ ଆଉ କିଛି ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏମାନଙ୍କ ଭିତରେ ସାମିଲ ଅଛନ୍ତି ୨୪ ବର୍ଷୀୟ ବିଶ୍ୱଜିତ ମଲ୍ଲିକ । ବିଶ୍ୱଜିତ ମୃତଦେହ ଥିବା ସ୍ଥାନକୁ ଯାଇ ମଧ୍ୟ ଜୀବିତ ରହିଛନ୍ତି । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଛି ଯେ ମୃତବ୍ୟକ୍ତି ଭାବେ ଶବ ଗୃହକୁ ଯାଇ ଜଣେ ବ୍ୟକ୍ତି ଜୀବିତ ହେଲେ କେମିତି?
ଜାତୀୟ ଗଣମାଧ୍ୟମର ଏକ ରିପୋର୍ଟ ଅନୁସାରେ, ବିଶ୍ୱଜିତଙ୍କୁ ତାଙ୍କ ବାପା କିଛି ସମୟ ପୂର୍ବରୁ ସାଲିମାର ଷ୍ଟେସନରେ କରମଣ୍ଡଳ ଏକ୍ସପ୍ରେସରେ ବସାଇଦେଇଥିଲେ । ସେତେବେଳେ ତାଙ୍କୁ ଜଣାନଥିଲା ଯେ ଆଗାମୀ ଦିନରେ ତାଙ୍କ ପୁଅ ଏତେବଡ ଦୁର୍ଘଟଣାର ସାମ୍ନା କରିବାକୁ ଯାଉଛି । କିଛି ଘଣ୍ଟା ପରେ ଯେତେବେଳେ ବିଶ୍ୱଜିତଙ୍କ ବାପା ହିଲାରାମ ମଲିକଙ୍କୁ ଦୁର୍ଘଟଣା ବାବଦରେ ଖବର ମିଳିଥିଲା ସେତେବେଳେ ସେ ତାଙ୍କ ପୁଅ ମୋବାଇଲକୁ ଫୋନ ଲଗାଇଥିଲେ । ସଂଯୋଗବଶତଃ ବିଶ୍ୱଜିତ ଫୋନ ଉଠାଥିଲେ । ଆହତ ହେବା କାରଣରୁ ସେ ଅଧିକ କିଛି କହିପାରିନଥିଲେ । ସେ ଏହା ଅନ୍ଦାଜ ଲଗାଇପାରିଥିଲେ ଯେ ବିଶ୍ୱଜିତକୁ ଗମ୍ଭୀର ଆଘାତ ଲାଗିଛି । ଏହା ପରେ ବିଶ୍ୱଜିତଙ୍କ ବାପା ଏକ ଆମ୍ବୁଲାନ୍ସ ଡକାଇ ତାଙ୍କ ସମ୍ପର୍କୀୟଙ୍କ ସହ ବାଲେଶ୍ୱର ଅଭିମୁଖେ ବାହାରିଥିଲେ । ୨୩୦ କିମି ଯାତ୍ରା କରି ସେ ବାଲେଶ୍ୱରରେ ପହଞ୍ଚିଥିଲେ ।
ଘଟଣାସ୍ଥଳରେ ପହଞ୍ଚିବା ପରେ ସେମାନେ ବିଶ୍ୱଜିତକୁ ଖୋଜିବା ଆରମ୍ଭ କରିଦେଇଥିଲେ । ତେବେ ତାଙ୍କର କୌଣସି ଖୋଜଖବର ମିଳିପାରିନଥିଲା । ସମୟ ସହ ସମସ୍ତଙ୍କ ଆଶା ମଉଳିବାରେ ଲାଗିଥିଲା । ତେବେ ବାପାଙ୍କର ଭରସା ଥିଲା ଯେ ପୁଅ ନିହାତି ଜୀବିତ ଅଛି । ଘଟଣାସ୍ଥଳରେ ତାଙ୍କ ପୁଅ ବାବଦରେ ପଚରାଉଚରା କରିବା ପରେ ହାଲିରାମ ଶବଗୃହରେ ପହଞ୍ଚି ଯାଇଥିଲେ । ଏଠାରେ ମୃତକଙ୍କ ଶବ ରଖାଯାଇଥିଲା ପ୍ରଥମେ ସେମାନଙ୍କୁ ଭିତରକୁ ଯିବାକୁ ଅନୁମତି ମିଳିନଥିଲା । ତେବେ କିଛି ସମୟ ପରେ ଜଣଙ୍କର ନଜର ପଡିଥିଲା ଜଣେ ବ୍ୟକ୍ତିଙ୍କ ଉପରେ ଯାହାଙ୍କର ଡାହାଣ ହାତ ହଲିବାରେ ଲାଗିଥିଲା ।
ହାଲିରାମ ଦେଖିଥିଲେ ଯେ ଏହା ବିଶ୍ୱଜିତଙ୍କ ହାତ ଭଳି ଲାଗୁଥିଲା ତୁରନ୍ତ ତାଙ୍କ ସେଠାରୁ ବାହାର କରି ବାଲେଶ୍ୱର ମେଡିକାଲ ନିଆଯାଇଥିଲା । ଗୁରୁତର ଥିବା କାରଣରୁ ତାଙ୍କୁ କଟକ ବଡମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ତେବେ ତାଙ୍କ ବାପା ତାଙ୍କୁ ସେଠାରୁ ନିଜ ସାଥିରେ ନେଇଯାଇଛନ୍ତି । ଯେହେତୁ ତାଙ୍କ ପାଖରେ ଆମ୍ବୁଲାନ୍ସ ଉପଲବ୍ଧ ଥିଲା ବଣ୍ଡରେ ଦସ୍ତଖତ କରି ସେମାନେ ତାଙ୍କୁ ସେଠାରୁ ନେଇଯାଇଛନ୍ତି । ବର୍ତ୍ତମାନ ତାଙ୍କ ଚିକିତ୍ସା କୋଲକାତାର ଏସକେଏସ ଡାକ୍ତରଖାନାରେ ଜାରିରହିଛି । ତାଙ୍କ ହାତ ଏବଂ ପାଦରେ ଆଘାତ କାରଣରୁ ସେ ଗୁରୁତର ରହିଛନ୍ତି ।
Follow Us