ଗାନ୍ଧୀ ଜୟନ୍ତୀରୁ ରାଜ୍ୟରେ ନୂଆ ଖାଦ୍ୟ ସୁରକ୍ଷା ବ୍ୟବସ୍ଥା : କେନ୍ଦ୍ର ନୀତିରେ ଗରିବ ହେଉଥିଲେ ବଂଚିତ, ରାଜ୍ୟ ନୀତି ସମସ୍ତଙ୍କୁ ଦେବ ଆହାର ।

ଗାନ୍ଧୀ ଜୟନ୍ତୀରୁ ରାଜ୍ୟରେ ନୂଆ ଖାଦ୍ୟ ସୁରକ୍ଷା ବ୍ୟବସ୍ଥା : କେନ୍ଦ୍ର ନୀତିରେ ଗରିବ ହେଉଥିଲେ ବଂଚିତ, ରାଜ୍ୟ ନୀତି ସମସ୍ତଙ୍କୁ ଦେବ ଆହାର ।

କନକ ବ୍ୟୁରୋ : ରାଜ୍ୟରେ ଲାଗୁ ହେବ ନୂଆ ଖାଦ୍ୟ ସୁରକ୍ଷା ବ୍ୟବସ୍ଥା । ଆଗାମୀ ଅକଟୋବର ୨ ଗାନ୍ଧୀ ଜୟନ୍ତୀରୁ ସାରା ରାଜ୍ୟରେ ଏହା କାର୍ଯ୍ୟକାରୀ ହେବ । ଆମ ମୁଖ୍ୟମନ୍ତ୍ରୀ ଆମ କଥା କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି । କେନ୍ଦ୍ରର ନୂଆ ଖାଦ୍ୟ ସୁରକ୍ଷା ଆଇନ ରାଜ୍ୟରେ ଲାଗୁ ହେଲା ପରେ ବହୁ ଗରିବ ଲୋକ ଏଥିରେ ସାମିଲ ହୋଇପାରି ନାହାନ୍ତି । ତେଣୁ ସବୁ ଗରିବ ଲୋକଙ୍କୁ ଖାଦ୍ୟ ସୁରକ୍ଷା ଯୋଗାଇଦେବାକୁ ଅଂଟା ଭିଡିଛନ୍ତି ରାଜ୍ୟ ସରକାର ।

publive-image
ରାଜ୍ୟର ଯୁକ୍ତି ଅନୁସାରେ, ୨୦୧୧ ଜନଗଣନା ଆଧାରରେ କେନ୍ଦ୍ର ସରକାର ରାସନ ଯୋଗାଉଛନ୍ତି । ଏଥିପାଇଁ ରାଜ୍ୟର ଲକ୍ଷ ଲକ୍ଷ ଗରିବ ଲୋକ ସୁବିଧା ପାଇବାରୁ ବଂଚିତ ହେଉଛନ୍ତି । ଏସପର୍କରେ ବାରମ୍ବାର କେନ୍ଦ୍ରକୁ ଚିଠି ଲେଖି ଦୃଷ୍ଟି ଆକର୍ଷଣ କରିବାକୁ ଉଦ୍ୟମ କରାଯାଇଥିଲେ ମଧ୍ୟ ସୁଫଳ ମିଳିନାହିଁ । ଏଦିଗରେ କେନ୍ଦ୍ର କିଛି ବିଚାର ମଧ୍ୟ କରିନାହିଁ । ତେଣୁ ୨୦୧୪ ନିର୍ବାଚନୀ ଇସ୍ତାହାରରେ ଯେଉଁ ପ୍ରତିଶ୍ରୁତି ଦିଆଯାଇଥିଲା ତାକୁ କାର୍ଯ୍ୟକାରୀ କରିବାକୁ ଯାଇ ନବୀନ ଏହି ଘୋଷଣା କରିଛନ୍ତି ।

publive-image
ଓଡିଶା ସରକାର ରାଜ୍ୟରେ ନୂଆ ଖାଦ୍ୟ ସୁରକ୍ଷା ବ୍ୟବସ୍ଥା ଆରମ୍ଭ କରିବାକୁ ଘୋଷଣା କରିଛନ୍ତି ଯାହା ଅକଟୋବର ୨ରୁ ସାରା ରାଜ୍ୟରେ କାର୍ଯ୍ୟକାରୀ ହେବ । ରାଜ୍ୟର ସବୁ ଗରିବ ଲୋକ ଏହାର ସୁବିଧା ପାଇବେ । ଜଣେ ବି ଲୋକ ଖାଦ୍ୟ ସୁରକ୍ଷାରୁ ବଂଚିତ ହେବେ ନାହିଁ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ପୂର୍ବରୁ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନାରେ ମଧ୍ୟ ରାଜ୍ୟର ୯ ଲକ୍ଷ ପରିବାର ବଂଚିତ ହୋଇଥିବା ଦର୍ଶାଇ ନବୀନ ଘୋଷଣା କରିଥିଲେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା । ଯେଉଁଥିରେ ରାଜ୍ୟର ୭୦ ଲକ୍ଷ ପରିବାର ଉପକୃତ ହେବେ ବୋଲି ରାଜ୍ୟ ସରକାରଙ୍କ ତରଫରୁ କୁହାଗଲା ।

publive-image
୨୦୧୯ ନିର୍ବାଚନ ପୂର୍ବରୁ ପ୍ରତିପକ୍ଷଙ୍କ ଠାରୁ ଦୁଇ ପାଦ ଆଗରେ ରହି ନବୀନ ମାରିଛନ୍ତି ଆଉ ଏକ ମାଷ୍ଟରଷ୍ଟ୍ରୋକ । ଠିକ ଯେମିତି ୨୦୦୯ ନିର୍ବାଚନର ଠିକ ପୂର୍ବରୁ ୨୦୦୮ରେ ୨ ଟଙ୍କାରେ ଚାଉଳ ଆଉ ୨୦୧୪ ନିର୍ବାଚନ ପୂର୍ବରୁ ୨୦୧୩ରେ ଟଙ୍କାକରେ ଚାଉଳ ଘୋଷଣା କରି ନବୀନ ରାଜନୈତିକ କ୍ଷେତ୍ରରେ ବଡ ସଫଳତା ହାସଲ କରିଥିଲେ, ଠିକ ସେମିତି ଏହି ଘୋଷଣା ୨୦୧୯ ନିର୍ବାଚନରେ ମଧ୍ୟ ଏକ ବଡ ଫରକ ଆଣିବ ବୋଲି ଆକଳନ କରାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe