କରୋନା ରୋଗୀଙ୍କ ପାଇଁ ଓଡ଼ିଶାକୁ ଆସିଲା ଔଷଧ: ରାଜ୍ୟରେ ପହଞ୍ଚିଲା ୩ଟି ଯାକ କରୋନା ମେଡିସିନ; ଏପଟେ ଆଇଏଲଏସ ନିର୍ଦ୍ଦେଶକ କହିଲେ, ପୁରୀରେ ଆରମ୍ଭ ହୋଇଛି ସେରୋଲଜିକାଲ ଟେଷ୍ଟ

ଭୁବନେଶ୍ୱର, ଗଂଜାମ, ଗଜପତି ଓ କଟକରେ ହେବ ଆରମ୍ଭ

8,398

କନକ ବ୍ୟୁରୋ: କରୋନା ରୋଗୀଙ୍କ ପାଇଁ ଓଡ଼ିଶାକୁ ଆସିଲା ଔଷଧ । ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ସଚିବ ପ୍ରଦୀପ୍ତ ମହାପାତ୍ରା । ଓଡିଶାକୁ ରେମଡିସିଭର, ଫାବି ଫ୍ଲୁ ଭଳି,ଡେକ୍ସାମେଥାସୋନ ଔଷଧ କିଛି ମେଡିକାଲକୁ ଆସିସାରିଥିବା ସେ କହିଛନ୍ତି । ସେହିପରି ଡ୍ରଗ କଂଟ୍ରୋଲର ମାମିନା ପଟ୍ଟନାୟକ କହିଛନ୍ତି ଆଜି ଓଡ଼ିଶାରେ ପହଂଚିବ ଫାବି ଫ୍ଲୁ ଔଷଧର ୧୨ଶହ ଷ୍ଟ୍ରିପ । ରୋଗୀଙ୍କ ମତାମତ ନେଇ ମାଇଲ୍ଡ ଟୁ ମୋଡରେଟ ଅର୍ଥାତ ସାମାନ୍ୟରୁ ମଧ୍ୟମ ଧରଣର ଲକ୍ଷଣ ଥିବା ରୋଗୀଙ୍କୁ ଏହି ଔଷଧ ଦିଆଯିବ । ସେହିପରି ରେମଡେସିଭିର ଔଷଧ ମୋଡରେଟ ଟୁ ସିଭିୟର ଅର୍ଥାତ ମଧ୍ୟମରୁ ଅଧିକ ଲକ୍ଷଣ ଥିବା ରୋଗୀଙ୍କୁ ରେମଡେସିଭିର ଔଷଧ ଦିଆଯିବ । ଡାକ୍ତରୀ ଦଳର ପରାମର୍ଶରେ ରୋଗୀଙ୍କୁ ଏହି ଔଷଧ ଦିଆଯିବ । ତେବେ ଡେକ୍ସାମେଥାସୋନ ରାଜ୍ୟରେ ପଚୁର ପରିମାଣରେ ମହଜୁଦ ରହିଛି । ୨ଲକ୍ଷ ଟାବଲେଟ ଓ ୨ଲକ୍ଷ ଇଞ୍ଜେକସନ ଅଛି ।

କୋଭିଡ ୧୯ ଚିକିତ୍ସା ପାଇଁ ଗିଲିଡ ସାଇନ୍ସେସ ପ୍ରସ୍ତୁତ କରିଥିବା ଔଷଧ ରେମଡେସିଭିର ବେଶ ଉପାଦେୟ ହୋଇଛି । ରେମଡେସିଭିରର କ୍ଲିନିକାଲ ପରୀକ୍ଷଣ ପରେ ଜଣାପଡିଛି ଯେ ଆକ୍ରାନ୍ତଙ୍କୁ ସଂକ୍ରମଣରୁ ମୁକ୍ତ କରିବାର ସମୟ ସୀମା ପ୍ରାୟ ୫ଦିନ କମି ଯାଇଛି । ଅନ୍ୟ ଚିକିତ୍ସାରେ ୧୫ଦିନରେ ରୋଗୀ ଭୂତାଣୁ ମୁକ୍ତ ହେଉଥିବା ବେଳେ ରେମଡେସିଭିର ନେଇଥିବା ଆକ୍ରାନ୍ତ ହାରାହାରି ୧୧ଦିନରେ ସୁସ୍ଥ ହେଉଥିବା ଦେଖିବାକୁ ମିଳିଛି । ସେହିପରି ବିଶେଷକରି ଯେଉଁ ରୋଗୀମାନେ ଅକ୍ସିଜେନ ସର୍ପୋଟ ଆବଶ୍ୟକ କରୁଛନ୍ତି ସେମାନଙ୍କ ଚିକିତ୍ସା ପାଇଁ ଡେକ୍ସାମେଥାସୋନ ବ୍ୟବହାର କରାଯିବ ବୋଲି କୁହାଯାଇଛି ।

ଡେକ୍ସାମେଥାସୋନ ଏକ ଲୋକଷ୍ଟ ଷ୍ଟେରଏଡ୍ । ଏହା ବିଶେଷକରି ଯନ୍ତ୍ରଣା କମାଇବା ପାଇଁ ଆର୍ଥାରାଇଟିସ୍ ଭଳି ରୋଗୀଙ୍କ ଚିକିତ୍ସାରେ ବ୍ୟବହାର କରାଯାଇଥାଏ । କିନ୍ତୁ ଏବେ ଏହାକୁ ଗମ୍ଭୀର ଥିବା କରୋନା ରୋଗୀମାନଙ୍କ ପାଇଁ ଅର୍ଥାତ ଅକ୍ସିଜେନ୍ ସର୍ପୋର୍ଟର ଥିବା ରୋଗୀ ବା ଅଧିକ ଯନ୍ତ୍ରଣା ଅନୁଭବ କରୁଥିବା ରୋଗୀଙ୍କ କ୍ଷେତ୍ରରେ ବ୍ୟବହାର କରିବାକୁ ଅନୁମତି ଦେଇଛି ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ସେପଟେ ସାମାନ୍ୟ ଲକ୍ଷଣ ଥିବା ସଂକ୍ରମିତଙ୍କ ପାଇଁ ଫାବି ଫ୍ଲୁ ଔଷଧ ବ୍ୟବହାର କରାଯାଇପାରିବ । ଯେଉଁ କରୋନା ରୋଗୀଙ୍କ ନିକଟରେ ସାମାନ୍ୟ ଲକ୍ଷଣ ଥିବ ସେହି ସଂକ୍ରମିତଙ୍କ ଠାରେ ଫାବିଫ୍ଲୁ ବ୍ୟବହାର କରାଯିବ । ଡାକ୍ତରଙ୍କ ପରାମର୍ଶ କ୍ରମେ ସାମାନ୍ୟ ଲକ୍ଷଣ ତିବା ସଂକ୍ରମିତ ପ୍ରଥମ ଦିନ ଏହି ଔଷଧର ୧୮ଶହ ମିଲିଗ୍ରାମ ଓ ପରେ ୧୪ଦିନ ଯାଏଁ ୮ଶହ ମିଲିଗ୍ରାମ ବ୍ୟବହାର କରିପାରିବେ ।