କରୋନା କାଳରେ ଆଜି ଆସୁଛି ସାଧାରଣ ବଜେଟ୍: ମହାମାରୀ ମାଡ଼ରେ ହନ୍ତସନ୍ତ ହେଉଛି ସାଧାରଣ ମଣିଷ; କେନ୍ଦ୍ର ବଜେଟରୁ ଅଧିକ ଆଶା କରୁଛି ଓଡ଼ିଶା
କନକ ବ୍ୟୁରୋ: ଦେଶରେ କୋଭିଡ୍ ସଂକ୍ରମଣ ସ୍ତର ନିୟନ୍ତ୍ରଣରେ ଥିବା ତଥା ଅର୍ଥନୀତିର ପୁନରୁଦ୍ଧାର ପ୍ରକ୍ରିୟା ତ୍ୱରାନ୍ୱିତ ପାଇଁ ପ୍ରୟାସ କରାଯାଉଥିବା ବେଳେ ବଜେଟକୁ ନେଇ ସବୁ ମହଲରେ ଉତ୍କଷ୍ଠା ବଢ଼ିବାରେ ଲାଗିଛି। ବିଶେଷକରି ଓଡ଼ିଶା ଭଳି ରାଜ୍ୟର ଆଶା କେନ୍ଦ୍ରଠାରୁ ଟିକିଏ ଅଧିକ ରହିଛି। ରାଜ୍ୟ ଆଶା କରୁଛି ଯେ ଏଥର ସାଧାରଣ ବଜେଟରେ କେନ୍ଦ୍ର ସରକାର କୌଣସି ସ୍ୱତନ୍ତ୍ର ଅନୁଦାନ ବା ଅଧିକ ଅର୍ଥରାଶି ବରାଦ କରିବା ଦରକାର, ଯାହା ଫଳରେ ରାଜ୍ୟ ଅର୍ଥନୀତିରେ ତୁରନ୍ତ ସୁଧାର ଆସିବ।
Kanak News is now on WhatsApp
Join and get latest news updates delivered to you via WhatsApp
ଚଳିତ ମାସ ୧୮ ତାରିଖରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ଅର୍ଥ ମନ୍ତ୍ରୀମାନଙ୍କ ସହ ୨୦୨୧-୨୨ ପ୍ରାକ୍ ବଜେଟ୍ ଆଲୋଚନା କରିଥିଲେ। ଏଥିରେ ଓଡ଼ିଶାର ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ରାଜ୍ୟର ୧୩ଟି ବିଭିନ୍ନ ପ୍ରସ୍ତାବକୁ ବଜେଟ୍ରେ ସାମିଲ ପାଇଁ ଦାବି କରିଥିଲେ। ରେଳ ବଜେଟ୍ରେ ଅତି କମ୍ରେ ୭୨୦୦ କୋଟି ଟଙ୍କା ବ୍ୟବସ୍ଥା କରିବା ତଥା ରାଜ୍ୟର ଦୁର୍ଗମ ଅନଗ୍ରସର ଅଞ୍ଚଳରେ ଇଣ୍ଟରନେଟ୍ ସୁବିଧା ପାଇଁ ବଜେଟ୍ରେ ୫,୬୫୦ କୋଟି ଟଙ୍କାର ବ୍ୟୟ ବରାଦ କରିବାକୁ ପ୍ରମୁଖ ଭାବେ ଦାବି ଉପସ୍ଥାପନ କରିଥିଲେ। ଜାତୀୟ ରାଜପଥର ନିର୍ମାଣ ଓ ରକ୍ଷାବେକ୍ଷଣ ପାଇଁ ଆବଶ୍ୟକ ବଜେଟ୍ ବ୍ୟବସ୍ଥା କରିବାକୁ ମଧ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା। ଏହା ଉପରେ କେନ୍ଦ୍ର ସରକାର କି ଆଭିମୁଖ୍ୟ ରଖୁଛନ୍ତି,ତାହାକୁ ଓଡ଼ିଶା ଅପେକ୍ଷା କରୁଛି।
ଗୋଟିଏ ମହଲର କହିବା କଥା ହେଉଛି ଯେ ବର୍ତ୍ତମାନ କେନ୍ଦ୍ର ସରକାର ପୂର୍ବ ଭାରତର ବିକାଶର ଦିଗରେ ପ୍ରାଥମିକତା ଦେଉଥିବାରୁ ଯଦି ପୂର୍ବ ଭାରତ ପାଇଁ କୌଣସି ଘୋଷଣା କରାଯାଏ ସେଥିରୁ ଓଡ଼ିଶାକୁ ମଧ୍ୟ ଫାଇଦା ମିଳିପାରିବ। ପୂର୍ବ ଭାରତର ଦୁଇ ରାଜ୍ୟ ପଶ୍ଚିମବଙ୍ଗ ଓ ଆସାମରେ ଚଳିତ ବର୍ଷ ବିଧାନସଭା ନିର୍ବାଚନ ହେବ। ଅତଏବ ଦୁଇ ରାଜ୍ୟ ପରିପ୍ରେକ୍ଷୀରେ ବଜେଟ ଘୋଷଣା ଗୁରୁତ୍ୱ ବହନ କରୁଥିବା ବେଳେ ଓଡ଼ିଶାକୁ ମଧ୍ୟ ବଜେଟ୍ର ସୁଫଳ ମିଳିବାର ଅନୁମାନ କରାଯାଉଛି।
ମୋଦୀ ସରକାରଙ୍କ ପ୍ରଥମ ପାଳିରେ ଓଡ଼ିଶାରେ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠାନ ଉପରେ ଗୁରୁତ୍ୱ ପ୍ରଦାନ କରାଯାଇ ୨୦୧୪-୧୫ ବଜେଟରେ ଓଡ଼ିଶାରେ ଆଇଆଇଏମ ତଥା ୨୦୧୫-୧୬ରେ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଆଣ୍ଡ ଏଜୁକେସନ ରିସର୍ଚ୍ଚ (ଆଇଏସଇଆର) ପ୍ରତିଷ୍ଠା ନେଇ ଘୋଷଣା କରାଯାଇଥିଲା। ଏହାଛଡ଼ା ୨୦୧୭-୧୮ ବଜେଟ୍ରେ ପାଇକ ବିଦ୍ରୋହର ୨୦୦ତମ ପୂର୍ତ୍ତି ପାଳନ ପାଇଁ ବ୍ୟୟ ବରାଦ ତଥା ଯାଜପୁର ଜିଲ୍ଲା ଚଣ୍ଡିଖୋଲରେ ଏକ ଅଶୋଧିତ ତୈଳ ରିଜର୍ଭ ସ୍ଥାପନ ପାଇଁ ଘୋଷଣା କରାଯାଇଥିଲା।
ହେଲେ ୨୦୧୭-୧୮ ପରବର୍ତ୍ତୀ ବଜେଟମାନଙ୍କରେ ଓଡ଼ିଶା ସମ୍ପର୍କରେ କୌଣସି ଘୋଷଣା କରାଯାଇ ନାହିଁ। ଖଣିଜ ପଦାର୍ଥ ରୟାଲଟି ହାର ବୃଦ୍ଧି ହେବ ଏକ ବଡ଼ ପ୍ରସଙ୍ଗ ହୋଇ ରହିଛି। ଏ ସଂକ୍ରାନ୍ତରେ ଆଗକୁ କଣ ହେବ, ତାହା ମଧ୍ୟ ବଜେଟ୍ ଉପସ୍ଥାପନରୁ ଜଣା ପଡ଼ିବ। ସେପଟେ ରେଳ ବଜେଟ୍ରେ ଓଡ଼ିଶାକୁ ଏଥର କେତେ ଆବଣ୍ଟନ କରାଯିବ ତାହାକୁ ନେଇ ମଧ୍ୟ ଅଙ୍କକଷା ଆରମ୍ଭ ହୋଇଛି। ୨୦୨୦-୨୧ରେ ଓଡ଼ିଶାକୁ ରେଳ ବଜେଟ୍ରେ ୪୩୭୩ କୋଟି ମିଳିଥିଲା। ରାଜ୍ୟର ଦାବି ଥିଲା ୬୫୦୦ କୋଟି ଟଙ୍କା। ୨୦୧୯-୨୦ ତୁଳନାରେ ଗତବର୍ଷର ବଜେଟ୍ରେ ୧୪୯୨ କୋଟି ଟଙ୍କା କମ୍ ବଜେଟ୍ ମିଳିଥିଲା। ଏଥର ଦାବି କରାଯାଇଥିବା ୭୨୦୦ କୋଟିର ରେଳ ବଜେଟ୍ ପ୍ରସ୍ତାବ ଅନ୍ତର୍ଗତ ଓଡ଼ିଶାକୁ କେତେ ମିଳିବ ତାହାକୁ ନେଇ ସମସ୍ତଙ୍କର ନଜର ରହିବା ସ୍ୱାଭାବିକ।