ସତ ହେବ ପାଇଲଟ ହେବାର ସ୍ୱପ୍ନ । ବିଜୁଙ୍କ ପରି ଯୁବଗୋଷ୍ଠୀ ବି ହେବେ ଝଡର ଇଗଲ ।

130

କନକ ବ୍ୟୁରୋ: ବିଜୁଙ୍କ ସ୍ୱପ୍ନରେ ଲାଗିବ ଡେଣା । ‘ଗତି’ର ହେବ ନବକଳେବର । ବିରାସଲରେ ଜୋରଦାର ହେବ ପାଇଲଟ ଟ୍ରେନିଂ । ଖାଲି ଆକାଶକୁ ଅନାଇ ଉଡାଜାହାଜ ଉଡିବା ଦେଖିଲେ ହେବନି କି ବିମାନରେ ବସିବାର ସ୍ୱପ୍ନ ଦେଖିଲେ ହେବନି । ଆପଣ ବି ଚାହିଁଲେ ଆକାଶରେ ଉଡାଇପାରିବେ ବିମାନ । ଉଡାଜାହାଜ ଉଡାଣର ଅ, ଆ ଶିଖି ଆକାଶର ଛାତି ଚିରି ଉଡି ବି ପାରିବେ । କାରଣ ଓଡିଶା ଆକାଶରେ ଉଡିବାକୁ ବିରାସଲରେ ଦିଆଯାଉଛି ବିମାନଚାଳନାର ବିଦ୍ୟା । ଆଉ ପାଇଲଟ ଟ୍ରେନିଂର ଏହି ପାଠକୁ ଏବେ ଅଧିକ ଦିଆଯାଇଛି ଫୋକସ । ଗଭମେଣ୍ଟ ଆଭିଏସନ ଟ୍ରେନିଂ ଇନଷ୍ଟିଚ୍ୟୁଟ୍ ବା ଗତି ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି । ଗତି ନବକଳେବର ହେବା ପରେ ପିଲାଙ୍କ ପାଇଲଟ ହେବା ସ୍ୱପ୍ନ ଅଧିକ ସହଜ ଓ ସରଳ ହେବ । ଆଉ ଓଡିଶାରୁ ବାହାରିବେ ବିଜୁଙ୍କ ପରି ଜଣେ ଜଣେ ଝଡର ଇଗଲ…

ବିମାନକୁ ନେଇ ୭୫ ବର୍ଷ ତଳେ ବିଜୁ ପଟ୍ଟନାୟକ ଦେଖିଥିଲେ ସୁନେଲୀ ସ୍ୱପ୍ନ । ଯୁବବର୍ଗ ଆଗକୁ ଯିବେ, ଶତ୍ରୁଙ୍କ ସାମ୍ନାରେ ସମ୍ମୁଖ ଯୋଦ୍ଧା ସାଜିବେ । ସେ ମହିଳା ହୁଅନ୍ତୁ କି ପୁରୁଷ ? ପରାକ୍ରମର ପ୍ରଶିକ୍ଷଣ ନେଇ ସ୍ୱାଧୀନ ଭାରତରେ ପାଇଲଟ ବନିବେ ଯୁବପିଢି । ଆଉ ରଖିବେ ମାଟି ମାଆ ଓଡିଶାର ଟେକ । ୭୫ ବର୍ଷ ତଳେ ଅର୍ଥାତ ୧୪ ସେପ୍ଟେମ୍ବର ୧୯୪୬ ମସିହାରେ ଏହି ସ୍ୱପ୍ନକୁ ସତ କରିବାକୁ ଓଡିଶା ଫ୍ଲାଇଙ୍ଗ କ୍ଲବ ପ୍ରତିଷ୍ଠା କରିଥିଲେ ବିଜୁ ପଟ୍ଟନାୟକ । ଭୁବନେଶ୍ୱରରେ ପ୍ରତିଷ୍ଠା କରାଯାଇଥିବା ବେଳେ ଏହା ଥିଲା ଦେଶର ସବୁଠୁ ପୁରାତନ ଶିକ୍ଷାନୁଷ୍ଠାନ ଯାହା ବିମାନ ବିଦ୍ୟା ପ୍ରଦାନରେ ଭାରତର ଏକ ଅଗ୍ରଣୀ ଅନୁଷ୍ଠାନ ଭାବେ ନାମ କରିଥିଲା । ଓଡିଶା ଫ୍ଲାଇଙ୍ଗ କ୍ଲବ ପଛରେ ବିଜୁଙ୍କ ସହ ରଣପୁର ରାଜା ବ୍ରଜେନ୍ଦ୍ର ରାଜ ସିଂହଦେଓ ଏବଂ ତାଙ୍କ ପରିବାରର ଅବଦାନ ଅନେକ ରହିଥିଲା ।

କାଳକ୍ରମେ ବଦଳିଗଲା ଓଡିଶା ଫ୍ଲାଇଙ୍ଗ କ୍ଲବର ନାଁ । ନୂଆ ନାଁ ହେଲା ଗତି । ନାଁ ସିନା ବଦଳିଗଲା ହେଲେ ବଦଳିନି ବିଜୁଙ୍କ ଲକ୍ଷ୍ୟ, ଦିଗହରା ହୋଇନି ପ୍ରବାଦପୁରୁଷଙ୍କ ସ୍ୱପ୍ନ । ଆଜି ବି ଜୀବିତ ରହିଛି ଯୁଗପୁରୁଷଙ୍କ ଯୁଗାନ୍ତକାରୀ ଇଚ୍ଛା । ଯାହା ଗତି ମାଧ୍ୟମରେ ସଫଳ ରୂପାୟନ ହେବାର ଅପେକ୍ଷା କରିଛି । ଢେଙ୍କାନାଳ ବିରାସଲ ଏୟାରଷ୍ଟ୍ରିପକୁ ସ୍ଥାନାନ୍ତର ହୋଇଛି ଗତି । ଯେଉଁଠି ପିଲାଙ୍କୁ ଶିଖାଯାଉଛି ବିମାନ ଉଡାଣର ରଣକୌଶଳ । ନୂଆ ମ୍ୟାନେଜମେଣ୍ଟ ପିଲାଙ୍କ ଟ୍ରେନିଂ ଉପରେ ପୂରା ଫୋକସ ଦେଇଛି । ପିଲା ଯେତେ ଅପରେସନ କରିବେ, ଯେତେ ଉଡାଣ ଭରିବେ ସେମାନଙ୍କ ମନରେ ସେତେ ସାହସ ଆସିବ । ଅଧିକରୁ ଅଧିକ ପିଲା କେମିତି ସେଠାରେ ଉଡାଣ ଶିଖିବେ ତା ଉପରେ ଗୁରୁତ୍ୱ ଦିଆଯାଉଥିବା ବେଳେ ଓଡିଆ ଝିଅ ସଞ୍ଜୀବନୀ ମହାନ୍ତି ବିରାସେଲରେ ନିଜର ସ୍ୱପ୍ନକୁ ଉଡାଣ ଶିଖାଉଛନ୍ତି । ଅର୍ଥାତ ସେ ଦିନରାତି ସେଠାରେ ବିମାନ ଚଳାଚଳର ଟ୍ରେନିଂ ନେଉଛନ୍ତି ।

ପିପିଷ୍ଟିରଲ ଭିରସ ଏସଡବ୍ଲ୍ୟୁ ୧୨୧ ଏୟାରକ୍ରାଫ୍ଟ ଇଟାଲୀରୁପ ଆସିଛି । ପିଲାଙ୍କ ଟ୍ରେନିଂ ପାଇଁ ୫ଟି ମହଜୁଦ ରହିଛି । ଏୟାରକ୍ରାଫ୍ଟର ପରିମାଣ ୧୨କୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛନ୍ତି ଗତିର କର୍ତ୍ତୃପକ୍ଷ । ତେବେ ଆଜିର ପିଲାଙ୍କ ପାଖରେ ପାଇଲଟ ହେବାର ସୁଯୋଗ ଅନେକ ଥିବା ବେଳେ ଉଡାଣରେ କ୍ୟାରିୟର କରିବାକୁ ଓଡିଶାର ଅନେକ ପିଲାଙ୍କ ପାଖରେ ସୂଚନା ପହଞ୍ଚିପାରୁନି । ତେଣୁ ଆଗାମୀ ଦିନରେ ଗତି ପିଲାଙ୍କୁ ପାଇଲଟ କରିବାରେ ବଡ ଭୂମିକା ଗ୍ରହଣ କରିବ ।