ଓଡିଶାରେ ଆରମ୍ଭ ଭାରତର ପ୍ରଥମ ଅନଲାଇନ ଚିତ୍ରକଳା ପ୍ରଦର୍ଶନୀ । ସ୍ଥାନ ପାଇଲା ଓଡିଆ ଚିତ୍ରଶିଳ୍ପୀଙ୍କ କାରୁକାର୍ଯ୍ୟ…

149

କନକ ବ୍ୟୁରୋ: କଳା ଓ ସଂସ୍କୃତି ପାଇଁ ଓଡିଶା ସାରା ବିଶ୍ୱରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ଆଉ ଓଡିଶାର ଚିତ୍ରଶିଳ୍ପୀ ବି ନିଜ ଚମତ୍କାର ସୃଜନଶୀଳତା ପାଇଁ ସବୁଠି ଶ୍ରେଷ୍ଠତ୍ୱ ହାସଲ କରିଛନ୍ତି । ଏହି ଚିତ୍ରକଳା ଓ ସଂସ୍କୃତିକୁ ଏକ ସୁଉଚ୍ଚ ସ୍ଥାନରେ ପହଞ୍ଚାଇବାକୁ କଳାର କଳ୍ପନା କରିଛି ଦି ଟ୍ରାଇବ୍ ଷ୍ଟୋର୍ । ଆଉ ଇନଫିନିଟି ଆର୍ଟ ହାଉସ୍ ବ୍ୟାନରରେ ପ୍ରଥମ ଥର ପାଇଁ ଭାରତରେ ଆରମ୍ଭ ହୋଇଛି ଅନଲାଇନ ଆର୍ଟ ଏଗଜିଭିସନ ଅର୍ଥାତ ଭର୍ଚୁଆଲ ମାଧ୍ୟରେ ଚିତ୍ରକଳା ପ୍ରଦର୍ଶନୀ । ଯାହାର ନାଁ ରହିଛି ଓଡିଶା: ଦି ଟ୍ରୁ କଲର ଅଫ ଆର୍ଟ । ଏହି ଅନଲାଇନ ଚିତ୍ରକଳା ପ୍ରଦର୍ଶନୀ ଓଡିଶାର ବହୁ ଶିଳ୍ପୀଙ୍କ ସୃଜନାତ୍ମକ ସର୍ଜନାକୁ ଦେଶ ସହ ବିଦେଶରେ ବି ପହଞ୍ଚାଇପାରିବ ।

୩୧ ଜଣ ବଛା ବଛା ଶିଳ୍ପୀଙ୍କର ୧୧୭ଟି ଚିତ୍ରକଳା ଏହି ଅନଲାଇନ ପ୍ରଦର୍ଶନୀରେ ସ୍ଥାନପାଇଥିବା ବେଳେ ଏହା ହେଉଛି ଭାରତର ପ୍ରଥମ ଅନଲାଇନ ଚିତ୍ରକଳା ପ୍ରଦର୍ଶନୀ ଯାହା ଓଡିଶାର ଦକ୍ଷ ଚିତ୍ରଶିଳ୍ପୀଙ୍କ କାରୁକାର୍ଯ୍ୟକୁ ନେଇ ଆରମ୍ଭ କରାଯାଇଛି । ବଡ ବଡ ଦେଶରେ ଏମିତି ଚିତ୍ରକଳାକୁ ଅନଲାଇନ ପ୍ରଦର୍ଶନୀ କରାଯାଏ ମାତ୍ର ପ୍ରଥମ ଥର ପାଇଁ ଓଡିଶାରୁ, ଓଡିଆ ଚିତ୍ରକରଙ୍କ ଛବିକୁ ନେଇ ଏମିତି ଏକ ନିଆରା ପ୍ରଦର୍ଶନୀ କରିଛନ୍ତି ଟ୍ରାଇବ ଷ୍ଟୋରର ପ୍ରତିଷ୍ଠାତା ରୁଦ୍ର ପ୍ରସାଦ ଦାସ ।

ଅନଲାଇନ ଚିତ୍ରକଳା ପ୍ରଦର୍ଶନୀରେ ପଦ୍ମଭୂଷଣ ଯତୀନ ଦାସ, ବିଜୟ ବିଶ୍ୱାଳ, ସୂର୍ଯ୍ୟକାନ୍ତ ସ୍ୱାଇଁ, ସତ୍ୟରଞ୍ଜନ ସାହୁ, ପଞ୍ଚାନନ ସାମଲ, ନିତ୍ୟାନନ୍ଦ ଓଝା ଆଦି ଅନେକ ପ୍ରତିଷ୍ଠିତ ଓ ବରିଷ୍ଠ ଚିତ୍ରଶିଳ୍ପୀଙ୍କ କଳାକୃତି ଏହି ପ୍ରଦର୍ଶନୀରେ ସ୍ଥାନପାଇଛି । ତେବେ ନବାଗତ ଚିତ୍ରଶିଳ୍ପୀ ବା ଚିତ୍ରକଳାରେ ରୁଚି ରଖୁଥିବା ବ୍ୟକ୍ତି ବି ନିଜ ଚିତ୍ରକୁ ଏହି ଅନଲାଇନ ପ୍ରଦର୍ଶନୀକୁ ପଠାଇପାରିବେ । ଗତ ସେପ୍ଟେମ୍ବର ୧୧ ତାରିଖରୁ ଏହି ପ୍ରଦର୍ଶନୀ ଆରମ୍ଭ ହୋଇଥିବା ବେଳେ ଏହା ଆଗାମୀ ଦିନରେ ଚାଲୁ ରହିବ ବୋଲି କହିଛନ୍ତି ଟ୍ରାଇବ ଷ୍ଟୋରର ପ୍ରତିଷ୍ଠାତା ରୁଦ୍ର ପ୍ରସାଦ ।

ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କି, ଯଦି ଆପଣ ଅନଲାଇନରେ ଆପଣଙ୍କ ପ୍ରିୟ ଚିତ୍ରକରଙ୍କର ପେଣ୍ଟିଂ କିଣିବାକୁ ଚାହୁଁଛନ୍ତି କିମ୍ବା ଅନ୍ୟ ଚିତ୍ର କିଣିବାକୁ ଇଚ୍ଛୁକ ଅଛନ୍ତି ତେବେ ଏହି ୱେବସାଇଟକୁ ଯାଇ କିଣି ପାରିବେ…

www.infinityarthouse.com