ଘର ମାଲିକଙ୍କୁ ମିଠା ଖୁଆଇ ସୁନା ଲୁଟିନେଲେ ଭଡ଼ାଟିଆ : ସୁନା ବ୍ୟବସାୟୀଙ୍କ ପରିବାରକୁ ମିଠାରେ ନିଶା ଦେଇ କଳାକନା ବୁଲାଇଲେ ଆନ୍ଧ୍ର ଦମ୍ପତି

୭ଶହ ଗ୍ରାମ ସୁନା ଓ ୨ଲକ୍ଷ ନଗଦ ଟଙ୍କା ନେଇ ଚମ୍ପଟ

798

କନକ ବ୍ୟୁରୋ : ଘର ମାଲିକଙ୍କୁ ମିଠା ଖୁଆଇ ସୁନା ଲୁଟିନେଲେ ଭଡ଼ାଟିଆ । ଏଭଳି ଅଭାବନୀୟ ଖବର ଆସିଛି ମାଲକାନଗିରି ସଦର ମହକୁମାରୁ । ସହରର ଡିଏନକେ ସ୍ଥିତ ସୁନା ବ୍ୟବସାୟୀ ସୁବାଷ ପଟେଲଙ୍କ ଘରେ ଭଡ଼ାରେ ରହୁଥିଲେ ଆନ୍ଧ୍ରପ୍ରଦେଶ ଗୁଂଟୁର ଜିଲ୍ଲାର ଜଗଦିଶ ଓ ତାଙ୍କ ସ୍ତ୍ରୀ ଅର୍ଚ୍ଚନା । ଗତକାଲି ଲୁଟ କରିବା ଉଦ୍ଦେଶ୍ୟରେ ଘର ମାଲିକଙ୍କ ସହିତ ସାହି ବାସିନ୍ଦାଙ୍କୁ ଲଡ଼ୁରେ ନିଶା ମିଶାଇ ଖୁଆଇ ଥିଲେ ଏହି ଦମ୍ପତି । ଗ୍ରିଲ କାଟି ୭ଶହ ଗ୍ରାମ ସୁନା ଓ ୨ଲକ୍ଷ ନଗଦ ଟଙ୍କା ଧର ଫେରାର ମାରିଥିଲେ ।

ସୂଚନାନୁସାରେ, ଲୁଟ୍ ପାଇଁ ଲୁଟେରା ପ୍ରାୟ ୩ ମାସ ଆଗରୁ ବ୍ଲୁ ପ୍ରିଣ୍ଟ୍ ପ୍ରସ୍ତୁତ କରିଥିଲେ । ସେ ୩ ମାସ ତଳେ ବଣିଆଙ୍କ ଘରେ ଭଡ଼ା ରହିବା ପରେ ଗତିବିଧିକୁ ଦେଖି ଲୁଟର ଯୋଜନା କଲେ । ଘର ମାଲିକଙ୍କ ସହିତ ଘନିଷ୍ଠତା ବଢାଇଥିଲେ । ବିଶ୍ବାସରେ ବିଷ ମିଶାଇ ଗତକାଲି ରାତି ୮ଟା ସମୟରେ ନିଜର ଚାକିରି ହୋଇଯାଇଥିବା କହିଥିଲେ । ଏହା ପରେ ବଣିଆଙ୍କ ପରିବାର ଲୋକଙ୍କୁ ମିଠା ଦେବା ସହ ନିକଟସ୍ଥ ୭ରୁ ୮ଟି ପରିବାରକୁ ମିଠା ଖୁଆଇଥିଲା । ସବୁଠାରୁ ବଡ କଥା ହେଉଛି ଭଡାଟିଆ ମନ୍ଦିରରୁ ମିଠା ପୂଜା କରି ଆଣିଥିବା କହିଥିଲେ । ମିଠା କେବଳ ଘର ମାଲିକଙ୍କୁ ନୁହେଁ ବରଂ ସାହି ପଡିଶାଙ୍କୁ ମଧ୍ୟ ବାଣ୍ଟିଥିଲେ । ମିଠା ଖାଇବାର ୨ ଘଣ୍ଟା ପରେ ସମସ୍ତେ ଅଚେତ ହୋଇ ପଡ଼ିଥିଲେ । ପରେ ଅତି ସହଜରେ ଗ୍ୟାସ କଟର ସାହାଯ୍ୟରେ ଝରକା କାଟି ଘରର କବାଟ ତାଡ଼ି ଘରେ ପଶି ଅତି ସହଜରେ ସୁନା ଗହଣା ସେ ଲୁଟି ନେଇଥିଲା । ଏବେବି ମିଠା ଖାଇଥିବା ସମସ୍ତ ବ୍ୟକ୍ତି ନିଶାସକ୍ତ ହୋଇ ରହିଛନ୍ତି ।

ଏହି ଘଟଣା ଜାଣିବା ପରେ ସଦର ମହକୁମା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏପରିକି ସିସିଟିଭି ଥିଲେ ମଧ୍ୟ ସିସିଟିଭିକୁ କାଟି ନେଇଯାଇଛି ଲୁଟେରା । ସମସ୍ତ ଦିଗକୁ ପୁଲିସ ତଦନ୍ତକରି ଚୋରକୁ ଧରାଯିବ ବୋଲି ଥାନା ଅଧିକାରୀ କହିଛନ୍ତି ।