ଏୟାରଲିଫ୍ଟ ହୋଇ ଚେନ୍ନାଇର ଆପୋଲ ହସ୍ପିଟାଲ ଗଲେ ଅମ୍ରିତ୍ ପ୍ରଧାନ : ଚିକିତ୍ସା ଓ ଫୁସଫୁସ ପ୍ରତିରୋପଣ ପାଇଁ ଖର୍ଚ୍ଚ ହେବ ଦେଢ କୋଟିରୁ ଅଧିକ

15,507

କନକ ବ୍ୟୁରୋ : ଗତକାଲି ଦିନତମାମ ଚର୍ଚ୍ଚାରେ ଥିଲେ ୨୪ ବର୍ଷିୟ ଅମ୍ରିତ ପ୍ରଧାନ । ଯିଏ ଭୁବନେଶ୍ୱର ଏମ୍ସରୁ ଏୟାରଲିଫ୍ଟ ହୋଇ ଚେନ୍ନାଇର ଆପୋଲ ହସ୍ପିଟାଲକୁ ଗଲେ । ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ, ଏହି ଅମ୍ରିତ ପ୍ରଧାନ କିଏ । କରୋନାରେ ଆକ୍ରାନ୍ତ ହୋଇ ଗୁରୁତର ହେବା ପରେ ପ୍ରାୟ ଦେଢ କୋଟିରୁ ଅଧିକ ଚିକିତ୍ସା ଖର୍ଚ୍ଚ କରିବା ପାଇଁ ପରିବାର ଲୋକ କେମିତି ସାହସ କରିପାରିଲେ ।

ବ୍ରହ୍ମପୁର ସହର ବାସୁଦେବ ନଗରରେ ରହୁଥିବା ୨୪ ବର୍ଷୀୟ ଅମ୍ରିତ ପ୍ରଧାନ, ବେଙ୍ଗାଲୁରୁର ଏକ ଆଇଟି କମ୍ପାନିରେ ସଫ୍ଟୱେୟାର ଇଂଜିନିୟର ଭାବେ କାମ କରୁଥିଲେ । ତାଙ୍କ ବାପା ଜଣେ ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ । ମାଆ ପ୍ରାଥମିକ ସ୍କୁଲର ଶିକ୍ଷୟିତ୍ରୀ । ଗତ ଏପ୍ରଲ ମଧ୍ୟଭାଗରେ ମାଆ ପ୍ରଥମେ କରୋନା ଆକ୍ରାନ୍ତ ହେବାପରେ ପୁରା ପରିବାରରେ ସଂକ୍ରମଣ ବ୍ୟାପିଗଲା । ପରିବାରର ସମସ୍ତେ ସୁସ୍ଥ ହୋଇଥିବାବେଳେ ଅମ୍ରିତଙ୍କ ସ୍ୱାସ୍ଥ୍ୟବସ୍ଥା କିନ୍ତୁ ବିଗିଡି ଯାଇଥିଲା । ପୁରା ପରିବାରର କରୋନା ଚିକିତ୍ସା ବାବଦକୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇସାରିଥିଲା । ହେଲେ ପରିବାରରେ ସବୁଠାରୁ ସାନ ଅମ୍ରିତଙ୍କ ଚିକିତ୍ସା ପାଇଁ ଅର୍ଥ ଯୋଗାଡ କରବାକୁ ସୋସିଆଲ ମିଡିଆର ସାହାରା ନେଇଥିଲେ ପରିବାର ସଦସ୍ୟ ।

ତେବେ ‘ମିଲାପ’ ସାଇଟ୍ ଜରିଆରେ ଲୋକଙ୍କଠାରୁ ଟଙ୍କା ସଂଗ୍ରହ କରିବା କରିବା ପାଇଁ କେତେକ ପରାମର୍ଶ ଦେଲେ । ଯାହା ତାଙ୍କୁ ବିଶେଷ ସହାୟକ ହେଲା । ପ୍ରାୟ ୫ ହଜାର ୬୮୮ ଜଣଙ୍କଠାରୁ ୬୩ ଲକ୍ଷ ଟଙ୍କା ଯୋଗାଡ କରିପାରିଲେ ଅମ୍ରିତଙ୍କ ପରିବାର । ଏହାପରେ ଅମ୍ରିତଙ୍କ ଅଧିକ ଚିକିତ୍ସା ପାଇଁ ଚେନ୍ନାଇର ଆପୋଲୋ ହସ୍ପିଟାଲ ନେବାକୁ ସ୍ଥିର କଲେ । ଯେଉଁଠି ପରବର୍ତୀ ଚିକିତ୍ସା ପାଇଁ ଦେଢକୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇପାରେ । ଏଥିପାଇଁ ମଧ୍ୟ ବଦାନ୍ୟ ବ୍ୟକ୍ତି ସହାୟତା କରିବାକୁ ଅନୁରୋଧ କରିଛନ୍ତି ଅମ୍ରିତଙ୍କ ପରିବାର ସଦସ୍ୟ ।