କନକ ବ୍ୟୁରୋ: ନୂଆଦିଲ୍ଲୀ ଗଣତନ୍ତ୍ର ଦିବସ ପରେଡ୍ରେ ଏଥର ଝଲସିବ ଓଡ଼ିଶାର ପ୍ରଜ୍ଞାପନ ମେଢ଼ । କର୍ତ୍ତବ୍ୟପଥରେ ଓଡ଼ିଶାର କଳାକୃତି ଦେଖିବ ସାରା ଦେଶ । ଦୀର୍ଘ ୩ ବର୍ଷର ବ୍ୟବଧାନ ପରେ ଏଥର ଓଡ଼ିଶାର ପ୍ରଜ୍ଞାପନ ମେଢ଼କୁ ସୁଯୋଗ ମିଳିଛି । ଓଡ଼ିଶାର ମେଢ଼ ମନୋନୀତ ହୋଇଥିବା ନେଇ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଚିଠି ଜରିଆରେ ସୂଚିତ କରାଯାଇଛି ।
ଏଥର ପ୍ରଜ୍ଞାପନ ମେଢ଼ରେ ରଘୁରାଜପୁରର ଶିଳ୍ପୀଗ୍ରାମର ଝଲକ ଦେଖିବାକୁ ମିଳିବ । ପଟ୍ଟଚିତ୍ର ଖଚିତ କାନ୍ଥ, କୋଣାର୍କ ଘୋଡ଼ା, ପରମ୍ପରିକ ଚିତା, ହାତୀ, ଚିତ୍ରଶିଳ୍ପରେ ମଗ୍ନ ଥିବା ମହିଳା, ଇ-ନେଟୱାର୍କିଂକୁ ସୂଚାଉଥିବା ଚିହ୍ନ ଆଦିକୁ ମେଢ଼ରେ ସ୍ଥାନ ଦିଆଯାଇଛି । ଦିଲ୍ଲୀ କର୍ତବ୍ୟପଥରେ ଆୟୋଜିତ ହେବାକୁ ଥିବା ଗଣତନ୍ତ୍ର ଦିବସ ସମାରୋହରେ ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ଛତିଶଗଡ଼, ଗୁଜରାଟ, ହରିୟାଣା, ଝାଡ଼ଖଣ୍ଡ, ଲଦାଖ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ମଣିପୁର, ମେଘାଳୟ, ଓଡ଼ିଶା, ରାଜସ୍ଥାନ, ତାମିଲନାଡ଼ୁ, ତେଲେ୍ଙ୍ଗାନା ଓ ଉତରପ୍ରଦେଶରୁ ପ୍ରଜ୍ଞାପନ ମେଢ଼ ପାଇଁ ମନୋନୀତ ହୋଇଛି । ଯେଉଁ ରାଜ୍ୟ କିମ୍ବା କେନ୍ଦ୍ର ଶାସିତ ରାଜ୍ୟରୁ ପ୍ରଜ୍ଞାପନ ମେଢ଼ଗୁଡ଼ିକ ଆସିବ, ସେଠିକାର ସରକାରଙ୍କ ପକ୍ଷରୁ ଏହାକୁ ୨୦୨୪ ଜାନୁୟାରୀ ୧୯ ତାରିଖ ମଧ୍ୟରେ ସଂପୂର୍ଣ୍ଣ ରୁପେ ପ୍ରସ୍ତୁତ କରାଯିବାର ଆବଶ୍ୟକତା ରହିଛି । ବିଶିଷ୍ଟ ଶିଳ୍ପୀ ଗଜେନ୍ଦ୍ର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପ୍ରଜ୍ଞାପନ ମେଢ ପ୍ରସ୍ତୁତ କରିବେ ଶିଳ୍ପୀ କୀର୍ତ୍ତିିକିଶୋର ମହାରଣା ।