ସିଏସକେ କ୍ୟାମ୍ପରୁ ଫେରିଲେ ଶୁଭ୍ରାଂଶୁ ସେନାପତି : ବଖାଣିଲେ ଧୋନୀଙ୍କ ସହ ବିତାଇଥିବା ସ୍ମୃତି

1,676

କନକ ବ୍ୟୁରୋ: ପାଖାପାଖି ୨ ମାସ ଚେନ୍ନାଇ ସୁପରକିଙ୍ଗସ୍ ଶିବିରରେ ରହି ଓଡ଼ିଶା ଫେରିଛନ୍ତି ଶୁଭ୍ରାଂଶୁ ସେନାପତି । ସାଥିରେ ଅନେକ ସ୍ମୃତି ଓ ଅନୁଭୂତି ନେଇ ଫେରିଛନ୍ତି । ବିଶେଷ କରି ମହେନ୍ଦ୍ର ସିଂହ ଧୋନୀଙ୍କ ସହ ବିତାଇଥିବା ସମୟକୁ ନେଇ ସେ ବେଶ୍ ଖୁସି ବ୍ୟକ୍ତ କରିଛନ୍ତି । ଧୋନୀଙ୍କ ସହ ନେଟ୍ସରେ ବ୍ୟାଟିଂ କରିବା ତାଙ୍କ ପାଇଁ ମ୍ୟାଜିକ୍ ମୁମେଂଟ ଥିବା ବୋଲି କହିଛନ୍ତି ଶୁଭ୍ରାଂଶୁ । ବ୍ୟାଟିଂ ସମୟରେ ତାଙ୍କର ବ୍ୟାଟିଂ ଶୈଳୀ ଉପରେ ମତାମତ ଦେଇଥିଲେ ଧୋନୀ । ଏକ ଆଡ୍ ସୁଟିଂ ସମୟରେ ମଧ୍ୟ ଧୋନୀଙ୍କ ସହ ତାଙ୍କର ଦେଖା ହୋଇଥିଲା । ଏହି ସମୟରେ ଓଡ଼ିଶା ସଂପର୍କରେ ଧୋନୀଙ୍କ ସହ କଥା ହୋଇଥିଲେ ।

କ୍ଲବ ମ୍ୟାଚ୍ ଖେଳିବା ପାଇଁ ଧୋନୀ, ସମ୍ବଲପୁର, ବାଲେଶ୍ୱର ଓ ବାରିପଦା ଆସିଥିବା କଥା କହିଥିଲେ । ଏହା ସହ ଶିବ ଶଙ୍କର ଦାସ, ପ୍ରଭଞ୍ଜନ ମଲ୍ଲିକଙ୍କ ପରି ଖେଳାଳିଙ୍କୁ ମନେ ପକାଇଥିଲେ । ସେତେବେଳେ ଓଡ଼ିଶା ଇଷ୍ଟ ଜୋନ୍ରେ ଷ୍ଟ୍ରଙ୍ଗ ଟିମ୍ ଥିଲା ବୋଲି କହିଥିଲେ ଧୋନୀ । ଏହା ସହ ଶୁଭ୍ରାଂଶୁ ସେନାପତି କହିଥିଲେ, ସୁପରକିଙ୍ଗସ୍ ଶିବିରରେ ରହିଥିବା ବେଳେ ଅଷ୍ଟ୍ରେଲିଆର ପୂର୍ବତନ ଖେଳାଳି ମାଇକ୍ ହସି ତାଙ୍କର ସବୁଠୁ ନିକଟତର ଥିଲେ । ବ୍ୟାଟିଂ ଷ୍ଟାଇଲ୍ ଉପରେ ସେ ଅନେକ ଟିପ୍ସ ଦେଇଥିବା କହିଛନ୍ତି । ଏପରିକି ୱେଷ୍ଟଇଣ୍ଡିଜ୍ କ୍ରିକେଟର ବ୍ରାଭୋ ବେଶ ମଜାଦାର ଥିଲେ ବୋଲି କହିଛନ୍ତି ଶୁଭ୍ରାଂଶୁ ସେନାପତି ।