ଐତିହାସିକ ମୁହୂର୍ତର କୁନି ସାକ୍ଷୀ । ମୋଦିଙ୍କ ସହ ଚନ୍ଦ୍ରଯାନ-୨ର ଅବତରଣ ଦେଖିବେ ୬୦ ଛାତ୍ରଛାତ୍ରୀ । ଓଡ଼ିଶାରୁ ସରନ୍ୟା ଓ ଚିନ୍ମୟଙ୍କୁ ମିଳିଲା ସୁଯୋଗ ।

331

କନକ ବ୍ୟୁରୋ : ସଫଳତାର ସହ ଚନ୍ଦ୍ରର ନିକଟତର ହେଉଛି ଚନ୍ଦ୍ରଯାନ-୨ । ଆସନ୍ତା ୭ତାରିଖ ରାତି ଗୋଟାଏ ୫୫ମିନିଟରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ ଏହି ଯାନ । ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରଯାନ-୨ର ଅବତରଣକୁ ଦେଖିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଉ ମୋଦିଙ୍କ ସହ ଦେଶର ୬୦ଜଣ ଛାତ୍ରଛାତ୍ରୀ ଏହି ବହୁ ପ୍ରତିକ୍ଷିତ ମୁହୂର୍ତ୍ତକୁ ଦେଖିବେ । ଏହି ୬୦ଜଣିଆ ତାଲିକା ଭିତରେ ଓଡ଼ିଶାରୁ ୨ଜଣ ରହିଛନ୍ତି ।

ସେପ୍ଟେମ୍ବର ୭ ତାରିଖ । ସମୟ- ରାତି ଗୋଟାଏ ୫୫ ମିନିଟ୍ । ଏହି ମୁହୂର୍ତ୍ତକୁ ଅନାଇ ରହିଛି ସାରା ବିଶ୍ୱ । କାରଣ ଏହି ସମୟରେ ଭାରତର ମହାକାଶ ଇତିହାସରେ ଯୋଡି ହୋଇଯିବ ଆଉ ଏକ ସଫଳତାର ଫର୍ଦ୍ଦ । ଚନ୍ଦ୍ରପୃଷ୍ଠରେ ଅବତରଣ କରିବ ଚନ୍ଦ୍ରଯାନ-୨ । ଅବତରଣର ପରେ ଲ୍ୟାଣ୍ଡର ବିକ୍ରମ ଭିତରେ ଥିବା ରୋଭର ପ୍ରଜ୍ଞାଠାରୁ ଅଲଗା ହୋଇଯିବ ଏବଂ ଚନ୍ଦ୍ରପୃଷ୍ଠରେ ଗବେଷଣା ଆରମ୍ଭ କରିବ । ଆଉ ଏହି ଐତିହାସିକ ମୁହୂର୍ତର ପ୍ରତିଟି କ୍ଷଣକୁ ଦେଖିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେଥିପାଇଁ ଇସ୍ରୋ ପକ୍ଷରୁ କରାଯାଇଛି ସ୍ୱତନ୍ତ୍ର ପ୍ରସ୍ତୁତି ।

ଅବତରଣ ଦେଖିବେ ୨ ଓଡିଆ । ମୋଦିଙ୍କ ସହ ସାରା ଦେଶରୁ ଦେଖିବେ ୬୦ ଛାତ୍ରଛାତ୍ରୀ । ପ୍ରଧାନମନ୍ତ୍ରୀଙ୍କ ସହ ଚନ୍ଦ୍ରଯାନ ଅବତରଣର ଦୃଶ୍ୟ ଦେଖିବା ପାଇଁ ସାରା ଦେଶରୁ ୬୦ଜଣ ଛାତ୍ରଛାତ୍ରୀ ସୁଯୋଗ ପାଇଛନ୍ତି । ଏମାନଙ୍କ ମଧ୍ୟରେ ରହିଛନ୍ତି ଦୁଇ ଓଡିଆ ଛାତ୍ରଛାତ୍ରୀ । ଝାରସୁଗୁଡା ଏମସିଏଲ ଡିଏଭି ସ୍କୁଲର ଅଷ୍ଟମ ଶ୍ରେଣୀ ଛାତ୍ର ଚିନ୍ମୟ ଚୌଧୁରୀ ଓ ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଡିଏଭି ସ୍କୁଲର ନବମ ଶ୍ରେଣୀ ଛାତ୍ରୀ ସରନ୍ୟା ନନ୍ଦ । ଅଗଷ୍ଟ ୧୦ରୁ ୨୫ତାରିଖ ମଧ୍ୟରେ ଇସ୍ରୋ ପକ୍ଷରୁ କରାଯାଇଥିବା ଏକାଧିକ ପର୍ଯ୍ୟାୟ ବିଶିଷ୍ଟ ବିଜ୍ଞାନ କୁଇଜରେ ଉତ୍ତୀର୍ଣ୍ଣ ହେବା ପରେ ଉଭୟଙ୍କୁ ମିଳିଛି ଏହି ସୁଯୋଗ । ଏହି ପରୀକ୍ଷାରେ ୧୦ମିନିଟ ମଧ୍ୟରେ ୨୦ଟି ପ୍ରଶ୍ନର ଉତ୍ତର ଦେବାକୁ ପଡିଥିଲା । ଚନ୍ଦ୍ରଯାନ-୨ ଚନ୍ଦ୍ରପୃଷ୍ଠରେ ସଫଳତାର ସହ ଅବତରଣ କଲେ ୟୁଏସଏ, ଋଷ୍ ଓ ଚୀନ ପରେ ଚତୁର୍ଥ ରାଷ୍ଟ୍ର ଭାବେ ଏହି ସଫଳତା ହାସଲ କରିବ ।