ଜାତି ବିବାଦରେ ଫସିଗଲେ ଛାତ୍ରଛାତ୍ରୀ…ଓଡି଼ଶା କହୁଛି ଓବିସି, ଛତିଶଗଡ଼ କହୁଛି ଆଦିବାସୀ । ଅଧିକ ସୁବିଧା ପାଇଁ ଛତିଶଗଡ ମୁହାଁ ଓଡିଶା ପିଲା…ଗୋଟିଏ ରାଜ୍ୟରେ ଘର, ଅନ୍ୟ ରାଜ୍ୟରେ ସ୍କୁଲ

298

କନକ ବ୍ୟୁରୋ: ଓଡିଶା ଶିକ୍ଷା ବ୍ୟବସ୍ଥାରୁ ମୁହଁ ଫେରାଇ ଛତିଶଗଡ଼ ଶିକ୍ଷା ମୋହରେ ନବରଙ୍ଗପୁର ଜିଲ୍ଲା ସୀମାନ୍ତ ଅଞ୍ଚଳର ଓଡ଼ିଆ ଛାତ୍ର ଛାତ୍ରୀ। ଓଡ଼ିଶା ଶିକ୍ଷା ବ୍ୟବସ୍ଥାରେ ତ୍ରୁଟି ଥିବା ଦର୍ଶାଇ ଶିକ୍ଷା ବ୍ୟବସ୍ଥାରୁ ମୁହଁ ଫେରାଉ ଥିବା ଅଭିଯୋଗ ଆଣିଲେ ଛାତ୍ର ଛାତ୍ରୀ । ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଛତିଶଗଡ଼ ମାଟିରୁ ଓଡିଶା ସରକାରଙ୍କୁ ଆହ୍ୱାନ ଦେଲେ ଛାତ୍ର ଛାତ୍ରୀ ।

 

ରାଜ୍ୟର ସୀମାନ୍ତ ବର୍ତ୍ତି ଅଂଚଳରୁ ଆସିଛି ରାଜ୍ୟ ଶିକ୍ଷା ବ୍ୟବସ୍ଥା ଉପରୁ ଛାତ୍ରଛାତ୍ରୀଙ୍କ ଭରସା ତୁଟି ଯିବା ଭଳି ଖବର । ପ୍ରଥମିକ ଶିକ୍ଷାକୁ ସୁଦୃଢ କରିବା ପାଇଁ ସରକାରଙ୍କ କେତେକଣ ମାଗେଣା ଯୋଜନା । ହେଲେ ସେ ସବୁ ଯୋଜନା ନବରଙ୍ଗପୁର କୋଷାଗୁମୁଡା ବ୍ଲକ ସୀମାନ୍ତ ବର୍ତ୍ତି ଅଂଚଳର ମୁରିଆ ସଂପ୍ରଦାୟର ଛାତ୍ରଛାତ୍ରୀଙ୍କୁ ଆକୃଷ୍ଟ କରି ପାରିନି । ଫଳରେ ଓଡିଶା ଶିକ୍ଷା ବ୍ୟବସ୍ଥାରୁ ମୁହଁ ଫେରାଇ ପଡୋଶୀ ରାଜ୍ୟ ଛତିଶଗଡ ସ୍କୁଲରେ ପାଠ ପଢୁଛନ୍ତି ଜାତି ବିବାଦରେ ଫସିଯାଇଥିବା ମୁରିଆ ସଂପ୍ରଦାୟର ଛାତ୍ରଛାତ୍ରୀ । ତେଣୁ ଓଡିଶାର ନିଜ ଘର ହୋଇଥିଲେ ସୁଦ୍ଧା ଆଦିବାସୀ ହିସାବରେ ପାଠ ପଢା ପାଇଁ ପରରାଜ୍ୟକୁ ନିଜର କରୁଛନ୍ତି କୋଷାଗୁମୁଡାର ଛାତ୍ରଛାତ୍ରୀ ।

 

ଅଧିକ ସୁବିଧା ପାଇଁ ଛତିଶଗଡ ମୁହାଁ ଓଡିଶା ପିଲା । ଓଡ଼ିଶାରେ ଘର ଛତିଶଗଡ଼ରେ ପାଠପଢ଼ା । ତେବେ ଛାତ୍ରଛାତ୍ରୀଙ୍କ କହିବା କଥା କୋଷାଗୁମୁଡା ମୁରିଆ ସଂପ୍ରଦାୟକୁ ଓଡିଶା ସରକାର ଓବିସି ତାଲିକା ଭୁକ୍ତ କରି କିଛି ସୁବିଧା ସୁଯୋଗ ଦେଉନାହାନ୍ତି । କିନ୍ତୁ ଛତିଶଗଡ ସରକାର ଏହି ସଂପ୍ରଦାୟକୁ ଆଦିବାସୀ କହି, ସବୁ ସୁବିଧା ସୁଯୋଗ ଯୋଗଇ ଦେଉଛି । ତେଣୁ ଛତିଶଗଡ ବିଦ୍ୟାଳୟରେ ପଢୁଥିବା କୁହନ୍ତି ଛାତ୍ରଛାତ୍ରୀ । କେବଳ ଜାତି ବିବାଦ ନୁହେଁ ରାଜ୍ୟରେ ଦିଆଯାଉଥିବା ନିମ୍ନମାନର ମଧ୍ୟହ୍ନ ଭୋଜନ ପ୍ରସଙ୍ଗ ଉଠାଇଛନ୍ତି ଛାତ୍ରଛାତ୍ରୀ । ଓଡିଶା ସରକାର ଏଥିପ୍ରତି ତୁରନ୍ତ ଦୃଷ୍ଟି ଦିଅନ୍ତୁ ବୋଲି ପିଲାମାନେ ଦାବି କରିଥିବା ବେଳେ ଘଟଣା ତଦନ୍ତ କରିବେ ବୋଲି କହିଛନ୍ତି ନବରଙ୍ଗପୁର ଜିଲ୍ଲାପାଳ ।

 

ତେବେ ଛାତ୍ରଛାତ୍ରୀ ଆଣିଥିବା ଅଭିଯୋଗ ସଠିକ୍ ତଦନ୍ତ ହେଲେ ଓଡିଶା-ଛତିଶଗଡ ସୀମାରେ ବିପଥଗାମୀ ଓଡିଶା ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ଆସିପାରିବ ବୋଲି ସାଧାରଣ ଲୋକ ମତ ପୋଷଣ କରନ୍ତି ।