ବାହାନା ବିଦେଶରେ ଡାକ୍ତରୀ ପାଠ, ଅଭିଭାବକଙ୍କୁ ବିଦେଶ ଆଳ ଦେଖାଇ ଲକ୍ଷ ଲକ୍ଷ ଲୁଟିନେଲେ ଠକ । ମହାଠକେଇର ପର୍ଦ୍ଦାଫାସ କଲା କନକ ନ୍ୟୁଜ୍ ।

580

କନକ ବ୍ୟୁରୋ: ବିଦେଶରେ ଶିକ୍ଷାର ଆଳ ଦେଖାଇ ଅଭିଭାବକଙ୍କୁ ଲୁଟୁଛନ୍ତି ଦଲାଲ । ଯାହାର ପ୍ରମାଣ ଲାଗିଛି କନକ ନ୍ୟୁଜ ହାତରେ । ଏଆଇପିଏମଟି କିମ୍ବା ନିଟ ପରୀକ୍ଷାରେ ବିଫଳ ହୋଇଥିବା ଛାତ୍ରଛାତ୍ରୀଙ୍କୁ କମ ଦାମରେ ବିଦେଶରେ ପଢିବା ଲାଗି ଆସୁଛି ଅଫର । ଆଉ ଦଲାଲଙ୍କ ଏହି ଅଫରରେ ରାଜି ହୋଇଗଲେ ଆଖିରେ ଧୁଳି ଦେଇ ବେସରକାରୀ କମ୍ପାନୀ ଜରିଆରେ ହେଉଛି ଟଙ୍କା ଆତ୍ମସାତ । ରୁଷିଆ କିମ୍ବା ୟୁକ୍ରେନରେ ପାଠ ପଢାଇବାର ଲୋଭ ଦେଖାଇ ଖାଲି ଟଙ୍କା ଆତ୍ମସାତ ହେଉନାହିଁ ବରଂ ପିଲାଙ୍କ ଭବିଷ୍ୟତ ସହିତ ଖେଳ ଖେଳାଯାଉଛି ।

ବିଦେଶରେ ଡାକ୍ତରୀ ପାଠପଢାର ସାଂଘାତିକ ସତ । ରୁଷିଆ, ୟୁକ୍ରେନ୍, କିର୍ଗିଜସ୍ତାନ, କଜାଗିସ୍ତାନ ପରି ଦେଶରେ ନାମ ଲେଖାଇଥିବା ଛାତ୍ରଛାତ୍ରୀ ଠକାମିର ଶିକାର ହୋଇଥିବା ଅଭିଯୋଗ ହୋଇଛି । ରୁଷିଆର ଟି.ଭି.ଆର ଷ୍ଟେଟ୍ ମେଡିକାଲ ୟୁନିଭର୍ସିଟିରେ ମେଡିକାଲ ପାଠ୍ୟକ୍ରମ ପାଇଁ ପ୍ରଥମ ସେମିଷ୍ଟର ଲାଗି ୧,୨୮,୩୩୨ ଟଙ୍କା, ଦ୍ୱିତୀୟ ବର୍ଷରେ ୧,୩୬,୦୦୦, ତୃତୀୟ ବର୍ଷରେ ୧,୪୨,୦୦୦ ଓ ଚତୁର୍ଥ ବର୍ଷରେ ୧,୪୭,୦୦୦ ଟଙ୍କା ଧାର୍ଯ୍ୟ କରିଛି । କିନ୍ତୁ ରୁଷ ଏଜୁକେସନ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ କମ୍ପାନୀ ପ୍ରତି ବର୍ଷ ଛାତ୍ରଛାତ୍ରୀଙ୍କ ଠାରୁ ଆଦାୟ କରୁଛି ୪ଲକ୍ଷ ୩୨ ହଜାର ଟଙ୍କା । କନସଲଟାନ୍ସି କମ୍ପାନୀ ଗୁଡିକ ଜାଲ କାଗଜ ପ୍ରସ୍ତୁତ କରି ଠକି ଆସୁଛନ୍ତି ଛାତ୍ରଛାତ୍ରୀମାନଙ୍କୁ । କଲେଜର ନିର୍ଦ୍ଧାରିତ ଫି’ ପୈଠ କରି ମୋଟା ଅଙ୍କର ଅବଶିଷ୍ଟ ଟଙ୍କାକୁ ଅତି ଚଂଚକତାର ସହ ଆତ୍ମସାତ କରୁଛନ୍ତି । ଶୁଣନ୍ତୁ କଣ କହୁଛନ୍ତି, ବାଲେଶ୍ୱରର ଛାତ୍ର ଦେବବ୍ରତ ଉପାଧ୍ୟାୟ ଓ ଭୁବନେଶ୍ୱର ୟୁନିଟ ୮ ର ଛାତ୍ରୀ ପ୍ରଜ୍ଞା ପରମିତା ପ୍ରଧାନ ।

ଏହି ଫି-ଷ୍ଟ୍ରକଚର ଜାଣିବା ପରେ ଏବେ ମୁଣ୍ଡରେ ହାତ ଦେଇଛନ୍ତି ଛାତ୍ର ଛାତ୍ରୀ । କାରଣ ପ୍ରତି ବର୍ଷ କଲେଜ ଫିସର ତିନି ଗୁଣ ଟଙ୍କା ଲୁଟି ନେଉଥିଲେ ଦଲାଲ । ଏମିତି କି ଟଙ୍କା ନେଇ ଅନେକ ଛାତ୍ରଛାତ୍ରୀଙ୍କୁ କଲେଜ ବଦଳରେ ନକଲି ୟୁନିଭର୍ସିଟି କିମ୍ବା କୋଚିଙ୍ଗ ସେଂଟରରେ ମଧ୍ୟ ଭର୍ତି କରାଇଥିବା ଅଭିଯୋଗ ଆସିଛି ।

କେବଳ ରୁଷ ଏଜୁକେସନ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ କମ୍ପାନୀ ନୁହେଁ, ଏହିପରି ଅନେକ ଦଲାଲ କମ୍ପାନୀ ଦେଶରେ ଏବଂ ରାଜ୍ୟରେ ସକ୍ରିୟ ରହିଛନ୍ତି । ପିଲାଙ୍କ ଠାରୁ କୋଟି କୋଟି ଟଙ୍କା ଲୁଟି ମାଲାମାଲ ହେଉଛନ୍ତି । ତେବେ ଏହି ଘଟଣା ଜଣାପଡିବା ପରେ ଆଉ ଦଲାଲଙ୍କ କଥା ଅନୁସାରେ ଟଙ୍କା ଦେଉନାହାନ୍ତି ଛାତ୍ରଛାତ୍ରୀ । ଆଉ ଦଲାଲ କମ୍ପାନୀ ପକ୍ଷରୁ ବାରମ୍ବାର ଏମାନଙ୍କୁ ଧମକ ଦିଆଯାଉଛି । ଓକିଲ ନୋଟିସ ମଧ୍ୟ ପଠାଯାଉଛି । ରୁଷରେ ପାଠ ପଢୁଥିବା ଶତାଧିକ ଛାତ୍ରଛାତ୍ରୀ ରୁଷ ସ୍ଥିତ ଭାରତୀୟ ଦୁତାବାସର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ ।