ଜର୍ମାନୀର ପ୍ରସିଦ୍ଧ ଗଣ୍ଟିଜେନ ବିଶ୍ୱବିଦ୍ୟାଳୟରେ ରିସର୍ଚ୍ଚ କରିବେ ଓଡିଆ ପୁଅ । ଓଡିଶାର ମୁଖ୍ୟମନ୍ତ୍ରୀ ଓ ସଚିବଙ୍କୁ ଜ୍ଞାନ ବାଣ୍ଟିଥିବା ଯୁବକଙ୍କ ବିଷୟରେ ଜାଣନ୍ତୁ

49

କନକ ବ୍ୟୁରୋ : ପଙ୍କ ପୋଖରୀରୁ ଫୁଟୁଛି ପଦ୍ମ । ଏକ ଅଖ୍ୟାତ ପଲ୍ଲୀରୁ ବିଖ୍ୟାତ ରସାୟନ ବିଜ୍ଞାନୀ ହେବାର ଯାତ୍ରା । ସମ୍ବଲପୁରର ଏକ ଉପାନ୍ତ ଗାଁରୁ ଜର୍ମାନୀର ପ୍ରସିଦ୍ଧ ବିଶ୍ୱବିଦ୍ୟାଳୟକୁ ଯାତ୍ରା । ଆଉ ଏଭଳି କଷ୍ଟସାଧ୍ୟ ଯାତ୍ରାକୁ ଅତିକ୍ରମ କରିଛନ୍ତି ସମ୍ବଲପୁର ବଲାସିଂହାରର ଶେଷଦେବ କିଷାନ । ଦୃଢ ଇଚ୍ଛାଶକ୍ତି ଆଗରେ ହାର ମାନିଛି ଗରିବି । କଠିନ ଅଧ୍ୟବସାୟ ବଳରେ ଜର୍ମାନୀର ପ୍ରସିଦ୍ଧ ଗଟିଂଜେନ ବିଶ୍ୱବିଦ୍ୟାଳୟରେ ଜଣେ ରିସର୍ଚ ଏସୋସିଏଟ ଭାବେ ନିଯୁକ୍ତି ପାଇଛନ୍ତି ଶେଷଦେବ । ଆଉ ଏଭଳି ସଫଳତା ପାଇବା ସହ ଦେଶ ତଥା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ଶେଷଦେବ ।

ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକର ଅନୁନ୍ନତ ଓ ଉପାନ୍ତ ଅଂଚଳର ଗାଁ ବଲାସିଂହାର ଶେଷଦେବ କିଷାନ । ବୟସ ପାଖାପାଖି ୨୪ । । ଗାଁକୁ ଯିବା ପାଇଁ ଭଲ ରାସ୍ତାଟିଏ ମଧ୍ୟ ନାହିଁ । ଗାଁକୁ ଯିବାକୁ ହେଲେ କାଦୁଅ ସର ସର ରାସ୍ତାରେ ଯିବାକୁ ପଡ଼ିଥାଏ । ଏଭଳି ଗାଁରେ ଏକ ଗରିବ ଆଦିବାସୀ ପରିବାରରେ ଶେଷଦେବଙ୍କ ଜନ୍ମ । ଛୋଟ ସମୟରୁ ନିଜ ବାପାଙ୍କୁ ହରାଇଥିବା ଶେଷଙ୍କ ଘରେ ଜଣେ ରୋଗିଣା ଭଉଣୀ । ରହିବା ପାଇଁ ଭଲ ଘରଟିଏ ମଧ୍ୟ ନାହିଁ । ତେବେ ଏଭଳି ପରିସ୍ଥିତିରେ ମଧ୍ୟ ଦୃଢ଼ ଇଚ୍ଛାଶକ୍ତି ଓ କଠିନ ପରିଶ୍ରମ ବଳରେ ନିଜ ପରିବାରର ପାଳନପୋଷଣ କରିବା ସହ ପାଠ ପଢ଼ି ଆଜି ଜର୍ମାନିର ଗଟିଂଜେନ ବିଶ୍ୱବିଦ୍ୟାଳୟରେ ଜଣେ ରିସର୍ଚ ଏସୋସିଏଟ ଭାବେ ନିଯୁକ୍ତି ପାଇଛନ୍ତି ଶେଷଦେବ । ଆଉ ଶେଷଦେବଙ୍କ ଏହି ସଫଳତା ପୂରା ଅଞ୍ଚଳକୁ ଗୌରବାନ୍ୱିତ କରିଛି ।

ଏହି ସଫଳତା ପାଇଁ ସମ୍ବଲପୁର ଜିଲ୍ଲାପାଳ ଶେଷଦେବଙ୍କୁ ସମ୍ମାନିତ କରିବା ସହ ସେ ଯୁବ ପିଢ଼ୀଙ୍କ ପାଇଁ ପ୍ରେରଣାର ଉତ୍ସ ତଥା ରୋଲ ମଡ଼େଲ ବୋଲି କହିଛନ୍ତି । ସମ୍ବଲପୁର ପ୍ରେସକ୍ଲବ ମଧ୍ୟ ଶେଷଙ୍କୁ ସମ୍ମାନିତ କରିଛି । ଏପଟେ ଶେଷଙ୍କ ଦିବ୍ୟାଙ୍ଗ ଭଉଣୀ ନାମରେ ଏକ ବିଜୁ ପକ୍କା ଘର ଦିଆଯିିବା ସହ ଗାଁ କୁ ସବୁଦିନିଆ ରାସ୍ତା ପାଇଁ ଅତିଶୀଘ୍ର ବ୍ୟବସ୍ଥା କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ଦୃଢ ଇଚ୍ଛାଶକ୍ତି ଥିଲେ ଯେକୌଣସି ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଜଣେ ନିଜର ଲକ୍ଷ୍ୟ ହାସଲ କରିପାରିବ ତାହା ପ୍ରମାଣିତ କରିଛନ୍ତି ଶେଷଦେବ । ଗତ କିଛି ଦିନ ପୂର୍ବେ ସଚିବାଳୟରେ ନଲେଜ ହବରେ ନିଜର ସଫଳତାର କାହାଣୀ କହିଥିଲେ ଶେଷଦେବ । ଏପରିକି ମୁଖ୍ୟମନ୍ତ୍ରୀ ଓ ସଚିବଙ୍କ ସାମ୍ନାରେ ନିଜର ଅନୁଭୂତି ବଖାଣିଥିଲେ ଶେଷଦେବ ।