ରାଜଧାନୀରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ମାମଲା: ତୁରନ୍ତ ତଦନ୍ତ କରି ରିପୋର୍ଟ ଦେବାକୁ ଭୁବନେଶ୍ୱର ଡିସିପିଙ୍କୁ କହିଲେ ମହିଳା କମିଶନ

ତଦନ୍ତରେ ଅବହେଳା ହେଲେ ଡିଜିପିଙ୍କ ହସ୍ତକ୍ଷେପ ଲୋଡିବେ କହିଲେ କମିଶନର

118

କନକ ବ୍ୟୁରୋ: ଭୁବନେଶ୍ୱର ଗଣଦୁଷ୍କର୍ମ ମାମଲାରେ ତଦନ୍ତକୁ ତ୍ୱରାନ୍ୱିତ କରି ରିପୋର୍ଟ ଦେବା ପାଇଁ କହିଛନ୍ତି ରାଜ୍ୟ ମହିଳା କମିଶନ । ପିଡିତା ଜଣେ ଝିଅ ହୋଇଥିବାରୁ ଦୁଷ୍କର୍ମକାରୀ କିପରି ଦଣ୍ଡ ପାଇବ ସେ ଦିଗରେ ରାଜ୍ୟ ମହିଳା କମିଶନ ସଜାଗ ରହିଛି । ଏବଂ ତଦନ୍ତ କିପରି ଆଗକୁ ବଢିବ ଏବଂ ରିପୋର୍ଟ କିପରି ପ୍ରସ୍ତୁତ ହେବ ସେନେଇ ଡିସିପିଙ୍କ ସହିତ କଥା ହୋଇଥିବା କହିଛନ୍ତି ରାଜ୍ୟ ମହିଳା କମିଶନ । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ପୁରା ଘଟଣାରେ ଦୋଷୀକୁ ଯେପରି ଦଣ୍ଡ ମିଳିବ ସେଦିଗରେ ରାଜ୍ୟ ମହିଳା କମିଶନ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବ ବୋଲି ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରା ସୂଚନା ଦେଇଛନ୍ତି ।

ସେପଟେ କମିଶନରେଟ ପୋଲିସ ଓ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ରିପୋର୍ଟ ତଲବ କରିଛନ୍ତି ରାଜ୍ୟ ମହିଳା ଓ ଶିଶୁ ଅଧିକାର ସୁରକ୍ଷା ଆୟୋଗ । ୭ ଦିନ ମଧ୍ୟରେ ମାମଲାର ରିପୋର୍ଟ ଦେବା ପାଇଁ କୁହାଯାଇଛି । ଏଫଆଇଆର ରିପୋର୍ଟ, ପିଡିତାଙ୍କ ବୟସ ପ୍ରମାଣ ପତ୍ର ସହ ମାମଲାରେ କାହାକୁ ଗିରଫ କରିଛନ୍ତି କି ନାହିଁ ସେନେଇ ରିପୋର୍ଟରେ ଦର୍ଶାଇବେ । ଏଥିସହ ପୀଡିତାଙ୍କ କାଉନସେଲିଂ ହୋଇଛି କି ନାହିଁ ଏବଂ କ୍ଷତିପୂରଣ ନେଇ କଣ ପଦକ୍ଷେପ ନିଆଯାଇଛି ସେନେଇ ରିପୋର୍ଟ ଦେବାକୁ କହିଛନ୍ତି, ରାଜ୍ୟ ମହିଳା ଓ ଶିଶୁ ଅଧିକାର ଅଧ୍ୟକ୍ଷା ସଂଧ୍ୟାବତୀ ପ୍ରଧାନ ।