କନକ ବ୍ୟୁରୋ: ଦ୍ୱିତୀୟ ଲହରରେ ରାଜ୍ୟର କରୋନା ସଂକ୍ରମଣ ତଳମୁହାଁ ହୋଇଛି ସତ, ହେଲେ ଏହା ଅତି ଧିମା ଗତିରେ ହ୍ରାସ ପାଉଛି । ଫଳରେ ରାଜ୍ୟର କରୋନା ଗ୍ରାଫ୍, ବେଶ କିଛି ଦିନ ହେଲା ଥିକ୍ ଟେଲ୍ ବା ମୋଟା ଲାଞ୍ଜ ଭଳି ରହିଛି ।
ଜୁନ ୧୫ ତାରିଖରୁ ପ୍ରାୟ ୨୫ ଦିନ ଧରି ୩ ହଜାର ପାଖାପାଖି ଦୈନିକ ମାମଲା ଆସୁଥିଲା । ହେଲେ ଏବେ ଦୁଇ ସପ୍ତାହ ଧରି ୨ ହଜାର ପାଖାପାଖି ଦୈନିକ ସଂକ୍ରମଣ ଚିହ୍ନଟ ହେଉଛି । ଜୁଲାଇ ୧୦ ତାରିଖରୁ ଜୁଲାଇ ୨୩ ପର୍ଯ୍ୟନ୍ତ ପ୍ରତିଦିନ ୨ ହଜାରରୁ ସାମାନ୍ୟ ଉପରେ କିମ୍ବା ତଳେ ଆକ୍ରାନ୍ତ ଚିହ୍ନଟ ହେଉଛି । ଖାଲି ସେତିକି ନୁହେଁ, ଜୁଲାଇ ୨୧ରୁ ୨୩ ପର୍ଯ୍ୟନ୍ତ ଅର୍ଥାତ୍ କ୍ରମାଗତ ୩ ଦିନ ଧରି ୨ ହଜାର ତଳେ ରହୁଛି ସଂକ୍ରମଣ ।
ତାରିଖ ସଂକ୍ରମଣ
- ଜୁଲାଇ ୧୦ ୨,୩୩୪
- ଜୁଲାଇ ୧୩ ୧,୯୩୦
- ଜୁଲାଇ ୧୬ ୨,୦୭୦
- ଜୁଲାଇ ୧୯ ୧,୬୪୮
- ଜୁଲାଇ ୨୧ ୧,୯୨୭
- ଜୁଲାଇ ୨୨ ୧,୯୪୮
- ଜୁଲାଇ ୨୩ ୧,୯୧୭
ରାଜ୍ୟରେ ଦୈନିକ ସଂକ୍ରମଣ ପାଖାପାଖି ୨ ହଜାରରେ ସ୍ଥିର ରହିଥିବା ବେଳେ ତୃତୀୟ ଲହର ଆଶଙ୍କା ମଧ୍ୟ ଚିନ୍ତାର କାରଣ ହୋଇଛି । ଏପଟେ ଭୁବନେଶ୍ୱର ଓ କଟକରେ ମଧ୍ୟ ସଂକ୍ରମଣ ନିୟନ୍ତ୍ରଣକୁ ଆସିନାହିଁ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଖୋର୍ଦ୍ଧା ଓ କଟକ ଜିଲ୍ଲା ଏବେ ବି ରେଡ୍ ଜୋନରେ ରହିଛି । କଟକ ଜିଲ୍ଲାର ସଂକ୍ରମଣ ହାର ୫ ପ୍ରତିଶତ ଉପରେ ରହିଥିବା ବେଳେ ଖୋର୍ଦ୍ଧା ଓ ପୁରୀରେ ଟେଷ୍ଟ ପଜିଟିଭ୍ ରେଟ୍ ୪ ପ୍ରତିଶତ ଉପରେ ରହିଛି । ତେବେ ରାଜ୍ୟର ସଂକ୍ରମଣ ହାର ୨.୪୫ ପ୍ରତିଶତକୁ ଖସି ଆସିଛି । ହସ୍ପିଟାଲ ଉପରୁ ଚାପ କମିଥିବା ବେଳେ ଚିନ୍ତାଜନକ କଥା ହେଉଛି ଏବେ ବି ଆଇସିୟୁରେ ୧୩୯୯ ଜଣ ଓ ଭେଣ୍ଟିଲେଟରରେ ୩୫୭ ରୋଗୀ ଚିକିତ୍ସିତ ହେଉଛନ୍ତି ।