ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲାରେ ମହିଳା କମିସନକୁ ଅଡିଓ ଟେପ୍ ହସ୍ତାନ୍ତର କଲେ ପୀଡିତାଙ୍କ ପରିବାର: ନ୍ୟୁଜ ଚ୍ୟାନେଲର ଏମଡି ଓ ପୀଡ଼ିତାଙ୍କ ମାଆଙ୍କ ମଧ୍ୟରେ ରହିଛି କଥାବାର୍ତା

ଏପଟେ ୪୮ ଘଂଟା ଭିତରେ ପଦକ୍ଷେପ ପାଇଁ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ନିର୍ଦ୍ଦେଶ

420

କନକ ବ୍ୟୁରୋ: ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲାରେ ଆଜି ପୀଡିତାଙ୍କ ପରିବାର ପକ୍ଷରୁ ଏକ ଅଡିଓ ଟେପ ମହିଳା କମିସନ ଅଧ୍ୟକ୍ଷାଙ୍କୁ ଦିଆଯାଇଛି । ସେମାନେ କହିଛନ୍ତି, ଏହି ଟେପରେ ପୀଡିତାଙ୍କ ମାଆ ଓ ସଂପୃକ୍ତ ନ୍୍ୟୁଜ ଚ୍ୟାନେଲର ଏମଡିଙ୍କ ମଧ୍ୟରେ କଥାବାର୍ତା ରେକର୍ଡ ହୋଇଛି । ସେପଟେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ ଶିଶୁ ସୁରକ୍ଷା କମିସନ ଅଧ୍ୟକ୍ଷା ୪୮ ଘଂଟା ଭିତରେ ପଦକ୍ଷେପ ନେଇ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏପଟେ ସଂପୃକ୍ତ ନ୍୍ୟୁଜ ଚ୍ୟାନେଲର ଏମଡିଙ୍କୁ ନୋଟିସ ମଧ୍ୟ ଜାରି କରିଛନ୍ତି । ଲକଡାଉନ ବେଳେ ଗତ ଅପ୍ରେଲରୁ ମେ ମାସ ମଧ୍ୟରେ ଜଣେ ୧୪ବର୍ଷର ନାବାଳିକାଙ୍କୁ ଗଣଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଛି । ଏଥିରେ ନ୍ୟଜ ଚ୍ୟାନାଲର ୪ ଜଣ, ଜଣେ ପୁଲିସ କର୍ମୀ ଓ ତାଙ୍କର ଦୁଇଜଣ ସହଯୋଗୀ ସାମିଲ ଥିବା ଅଭିଯୋଗ ଅଛି ।

ମହିଳା ଓ ଶିଶୁ ସୁରକ୍ଷା ଆୟୋଗର ଏହି କଡା ଆଭିମୁଖ୍ୟ, ଇନ୍ଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲାରେ, ପୁଲିସକୁ ପଦକ୍ଷେପ ନେବା ପାଇଁ ବାଧ୍ୟ କରିଛି । ୪୮ ଘଂଟା ମଧ୍ୟରେ କମିଶନରେଟ ପୁଲିସ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି କମିଶନ । ସେପଟେ ପୁଲିସ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରି ମାମଲାର ତଦନ୍ତ ଆରମ୍ଭ କରିଦେଇଛି ।  ଅନ୍ୟପଟେ ପୀଡିତାଙ୍କ ମାଆ ଓ ତାଙ୍କ ଓକିଲ ଆଜି ମହିଳା କମିଶନ ଅଧ୍ୟକ୍ଷାଙ୍କୁ ଭେଟିଛନ୍ତି । କମିଶନଙ୍କୁ ପୁରା ବିଷୟରେ ଅବଗତ କରାଇବା ପରେ ଗଣମାଧ୍ୟମକୁ ପୀଡିତାଙ୍କ ଓକିଲ କହିଛନ୍ତି, ସଂପୃକ୍ତ ନ୍ୟୁଜ୍ ଚ୍ୟାନେଲର ଏମଡି ଓ ପୀଡିତାଙ୍କ ମାଆଙ୍କ ମଧ୍ୟରେ ଫୋନରେ ହୋଇଥିବା ଏକ ବାର୍ତାଳାପ ଅଡିଓ କ୍ଲିପକୁ ମହିଳା କମିଶନଙ୍କୁ ଦେଇଛନ୍ତି ।

ସେପଟେ ସଂପୃକ୍ତ ନ୍ୟୁଜ ଚ୍ୟାନେଲ ପକ୍ଷରୁ କୁହାଯାଇଛି, ପୀଡିତାଙ୍କ ମାଆ ବ୍ଲାକ୍ମେଲ୍ କରିବାକୁ ଚେଷ୍ଟା କରିଥିଲେ । ଘଟଣାର ସତ୍ୟତା ଜାଣିବା ପାଇଁ ଚ୍ୟାନେଲ ପକ୍ଷରୁ ଗଠନ କରାଯାଇଥିବା ଏକ ଅନ୍ତରୀଣ କମିଟି ଅନୁସନ୍ଧାନ କରି ଜାଣିବାକୁ ପାଇଥିଲା ଯେ ଏଭଳି ଅଭିଯୋଗରେ କୌଣସି ସତ୍ୟତା ନାହିଁ ।