କନକ ବ୍ୟୁରୋ : ସମଗ୍ର ରାଜ୍ୟରେ କରୋନାକୁ ମୁକାବିଲା କରିବା ପାଇଁ ସୂଚନା ଓ ପ୍ରଯୁକ୍ତିବିଦ୍ୟା ବିଭାଗ ମଧ୍ୟ ଅଣ୍ଟା ଭିଡିଛି । କୋଭିଡ ପଞ୍ଜିକରଣ ହେଉ ବା କ୍ଵାରେଣ୍ଟିନ ସେଣ୍ଟର ବାବଦରେ ତଥ୍ୟ ଜାଣିବାକୁ ହେଉ ଏହି ବିଭାଗ କିଭଳି କାର୍ୟ୍ୟ କରୁଛି ସେ ବାବଦରେ ଆଜି ବିସ୍ତୃତ ତଥ୍ୟ ଦେଇଛନ୍ତି ସୂଚନା ଓ ପ୍ରଯୁକ୍ତିବିଦ୍ୟା ସଚିବ ମନୋଜ ମିଶ୍ର । ତେବେ ରାଜ୍ୟ ସରକାର ଏବେ ଜିଆଇଏସ ମ୍ୟାପିଂ ବ୍ୟବସ୍ଥା ଆରମ୍ଭ କରିଛନ୍ତି । ଜିଆଇଏସ ଅର୍ଥାତ ଭୌଗୋଳିକ ସୂଚନା ପ୍ରକ୍ରିୟା ବାବଦରେ ଶ୍ରୀ ମିଶ୍ର କହିଛନ୍ତି ଯେ ରାଜ୍ୟରେ ଥିବା କ୍ଵାରେଣ୍ଟିନ ସେଣ୍ଟର ଓ କୋଭିଡ ହସ୍ପିଟାଲ ବାବଦରେ ଏକ ମ୍ୟାପିଂ କରାଯାଇଛି । ଅକ୍ଷାଂଶ ଓ ଦ୍ରାଘିମାକୁ ଆଧାର କରି ରାଜ୍ୟ ସରକାର ଏହି ନୂଆ ବ୍ୟବସ୍ଥାକୁ ପ୍ରସ୍ତୁତ କରିଛନ୍ତି ।
ଓଡିଶା ସ୍ପେସ ଆପ୍ଲିକେସନ ସେଣ୍ଟର ବା ଓସକାକ ମାଧ୍ୟମରେ ପ୍ରସ୍ତୁତ କରାଯାଇଥିବା ଏହି ପ୍ରଣାଳୀ ଦ୍ୱାରା ପ୍ରଥମେ ଅସ୍ଥାୟୀ ମେଡିକାଲ ସେଣ୍ଟରକୁ ମ୍ୟାପିଂ କରାଯାଇଛି ।ଆସନ୍ତାକାଲିଠାରୁ ସ୍ୱାସ୍ଥ୍ୟ ବିଭାଗରେ ଏହି ମ୍ୟାପିଂକୁ ସମସ୍ତେ ଦେଖିପାରିବେ ବୋଲି ସେ ସୂଚନା ଦେଇଛନ୍ତି । ଏହି ଜିଆଇଏସ ମ୍ୟାପିଂ ବ୍ୟବସ୍ଥା ଅନୁଯାୟୀ ପ୍ରତି ଜିଲ୍ଲାରେ କେତୋଟି ଟିଏମସି(ଅସ୍ଥାୟୀ ମେଡିକାଲ ସେଣ୍ଟର) କରାଯାଇଛି ତାହା ପ୍ରଦର୍ଶିତ ହେବ ।ପ୍ରତି ଅସ୍ଥାୟୀ ମେଡିକାଲ ସେଣ୍ଟର ବାବଦରେ ସମ୍ପୂର୍ଣ୍ଣ ତଥ୍ୟ ଜଣେ ପାଇପାରିବ ।
ଅସ୍ଥାୟୀ ମେଡିକାଲ ସେଣ୍ଟରରେ କେତେ ସଂଖ୍ୟାରେ ବେଡ଼ ବ୍ୟବସ୍ଥା ହୋଇଛି, ନୋଡାଲ ଅଧିକାରୀଙ୍କ ନାମ ସହ ତାଙ୍କ ମୋବାଇଲ ନମ୍ବର ମଧ୍ୟ ଉପଲବ୍ଧ ଅଛି । ଏହା ସହ ସେହି ସେଣ୍ଟରରେ କିଭଳି ବ୍ୟବସ୍ଥା ଅଛି ତାହାର ଫଟୋ ମଧ୍ୟ ଆପଣ ଦେଖିପାରିବେ । ଯିଏ ବି ଓଡ଼ିଶା ବାହାରୁ ଆସୁଛନ୍ତି ସେମାନେ ଚାହିଁଲେ ନିଜ ଗାଁ ପାଖରେ କେଉଁଠାରେ କ୍ଵାରେଣ୍ଟିନ ସେଣ୍ଟର ଅଛି ସେ ବାବଦରେ ଜାଣିପାରିବେ ।ସେହିପରି କେବଳ ଅସ୍ଥାୟୀ ମେଡିକାଲ ସେଣ୍ଟର ନୁହେଁ, ରାଜ୍ୟର ସମସ୍ତ କୋଭିଡ ହସ୍ପିଟାଲ ବାବଦରେ ମଧ୍ୟ ଆପଣ ସମସ୍ତ ତଥ୍ୟ ଜାଣିପାରିବେ ବୋଲି ସୂଚନା ଓ ପ୍ରଯୁକ୍ତିବିଦ୍ୟା ସଚିବ ମନୋଜ ମିଶ୍ର କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/05/22-7.jpg)