ଆଷାଢ଼ ଯାଇ ଶ୍ରାବଣ ଚାଲିଲା, ହେଲେ ମିଳିଲାନି ବର୍ଷାର ଦେଖା…ବର୍ଷା ପାଇଁ ଆକାଶକୁ ଚାହିଁ ରହିଛି ଚାଷୀ

ବିଭିନ୍ନ ସ୍ଥାନରେ ବିଲ ଫାଟି ଆଁ; ପାଣି ନଥିବାରୁ ହୋଇପାରୁନି ରୁଆ କାମ

253

କନକ ବ୍ୟୁରୋ: ଶ୍ରାବଣରେ ଗଜା ମରୁଡି ଭୟ । ଏଭଳି ଅବସ୍ଥା ରାଜ୍ୟର ବିଭିନ୍ନ ଜିଲ୍ଲାରେ ଦେଖାଦେଇଛି । ଆଷାଢ଼ ଯାଇ ଶ୍ରାବଣ ଚାଲିଲା, ହେଲେ ବର୍ଷାର ଦେଖା ନାହିଁ । ବର୍ଷା ପାଇଁ ଆକାଶକୁ ଚାହିଁ ରହିଛି ଚାଷୀ । ବର୍ଷା ଅଭାବରୁ ଚାଷୀର ଚାଷ କାମ ଆଗେଇ ପାରୁନି । ଫଳରେ ଗଜା ମରୁଡ଼ି ହେଉଛି ଧାନ । ଅସ୍ତରଙ୍ଗ ଓ ବସ୍ତାରେ ସମାନ ସ୍ଥିତି । ବର୍ଷା ଅଭାବରୁ ଚାଷୀ ମୁଣ୍ଡରେ ହାତ ଦେଇ ବସିଛି । ଗତ ବର୍ଷ ତୁଳନାରେ ଚଳିତ ବର୍ଷ କମ ବର୍ଷା ହୋଇଥିବାରୁ ଚାଷି ପାଇଁ ସମସ୍ୟା ସୃଷ୍ଟି ହୋଇଛି ।

ଧାନ ବିଲ ଏବେ ପଡିଆ ପଡିଛି । କେଉଁଠି ବିଲରେ ଗୋରୁ ଚରୁଛନ୍ତି ତ ଆଉ କେଉଁଠି ଚାଷ କଲେ ଧୁଳି ଉଡୁଛି । ଧାନ ବିଲ ସବୁ ଫାଟି ଆଁ କରିଛି । ବର୍ଷା ଭରଷାରେ ଚାଷୀ ପକାଇଥିବା ଧାନ ତଳି ମରିବାକୁ ବସିଲାଣି । ଏତେବେଳକୁ ଚାଷୀ ନିଜ ବିଲରେ ଧାନ ରୁଆ କାମ ଆରମ୍ଭ କରିବା କଥା । କିନ୍ତୁ ଚଳିତ ବର୍ଷ ଧାନ ତଳି ପକା ଆରମ୍ଭ ହୋଇନି । ଯାହାକୁ ନେଇ ଚିନ୍ତାରେ ଚାଷୀ । ଏଭଳି ଚିତ୍ର ରାଜ୍ୟ ଅନେକ ସ୍ଥାନରେ ଦେଖିବାକୁ ମିଳିଛି । ଯାଜପୁର, କଂଟାବାଝି, ବାରିପଦା, ଅସ୍ତରଙ୍ଗ, ବସ୍ତା ଅଂଚଳରୁ ଚାଷୀଙ୍କର ଏହି ଦୟନୀୟ ସ୍ଥିତି ଦେଖିବାକୁ ମିଳିଛି । ଧାନ ବିଲରେ ପାଣି ହେଲେ ଚାଷୀ ତାର ଧାନ କାମ ଆଗେଇ ନେବ ବୋଲି ଚାତକ ପରି ଚାହିଁ ରହିଛି ।