କନକ ବ୍ୟୁରୋ: ରାଜ୍ୟର ୭ଟି ସହର ଓ ୧୯ଟି ନଦୀର ପ୍ରଦୂଷଣ ନେଇ ଆଜି ବିଧାନସଭା ଗୃହ କମିଟିର ସଦସ୍ୟମାନେ ଉଦ୍ବେଗ ପ୍ରକାଶ କରିଛନ୍ତି । ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଦସ୍ୟ ସଚିବ ଦେବୀଦ ବିଶ୍ୱାଳ କହିଛନ୍ତି- ନେସନାଲ୍ ଗ୍ରୀନ୍ ଟ୍ରିବୁନାଲ୍ ବା ଏନଜିଟି ବିଚାରରେ ଓଡ଼ିଶାର ୭ଟି ସହରର ବାୟୁ-ପଦୂଷଣ ଚିନ୍ତାଜନକ । ତେବେ ଏହି ବାୟୁ ପ୍ରଦୂଷଣ ମଡରେଟ୍ ବା ମଧ୍ୟମଧରଣର ସ୍ଥିତିରେ ରହିଛି । ଏଠାରେ ବାୟୁ-ମାନର ସୂଚୀ ବା “ଏୟାର କ୍ୱାଲିଟି ଇଣ୍ଡେକସ’’ ୧୦୦ ଉପରେ ରହୁଛି- ଯାହାକି ମଡରେଟ୍ ବା ମଧ୍ୟମଧରଣର ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଦିଲ୍ଲୀରେ ବାୟୁ ପ୍ରଦୂଷଣ ଏବେ ପାଖାପାଖି ୬୦୦ରେ ପହଁଚିଥିଲା ବେଳେ ଓଡ଼ିଶାରେ ଏହି ସଂଖ୍ୟା ପ୍ରାୟ ୧୦୦ ପାଖାପାଖି ରହୁଛି । ଓଡ଼ିଶାର କଟକ, ଭୁବନେଶ୍ୱର, ଅନୁଗୁଳ, ତାଳଚେର, ବାଲେଶ୍ୱର, ରାଉରକେଲା ଓ କଳିଙ୍ଗନଗର ସହର ବାୟୁ ପ୍ରଦୂଷିତ କ୍ଷେତ୍ର ଭିତରେ ରହିଛି । ଭାରତର ୧୨୨ଟି ସହରରେ ବାୟୁ ପ୍ରଦୂଷଣ ପରିଲକ୍ଷିତ ହୋଇଥିବା ବେଳେ ଏଥିରେ ଓଡ଼ିିଶାର ୭ଟି ସହର ରହିଛି ।
ସେହିଭଳି ନଦୀ ପ୍ରଦୂଷଣରେ ଭାରତର ୩୫୧ଟି ନଦୀ ଚିହ୍ନଟ ହୋଇଥିବା ବେଳେ ଓଡ଼ିଶାର ୧୯ଟି ନଦୀ ପ୍ରଦୂଷିତ ବୋଲି ଚିହ୍ନଟ ହୋଇଛି । ଏଥିରେ ଗଙ୍ଗୁଆ ନାଳ ସବୁଠୁ ଅଧିକ ପ୍ରଦୂଷିତ ଥିବା ଦେଖାଯାଇଛି । ଓଡ଼ିଶା ସରକାର ୧୦ଟି ନଦୀର ପ୍ରଦୂଷଣ କମାଇବାକୁ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରି ଏନଜିଟି ନିକଟରେ ରିପୋର୍ଟ ଦାଖଲ କରିଛନ୍ତି । ଅନ୍ୟପଟରେ ପତଳା ପଲିଥିନ୍ ବ୍ୟବହାର ବନ୍ଦ ପାଇଁ ସବୁସ୍ତରରେ ସଚେତନତା ସୃଷ୍ଟି କରିବାକୁ ଗୃହ କମିଟି ସୁପାରିଶ କରିଛି ।