‘ବୁଲବୁଲ’ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଆରମ୍ଭ ହେଲା ବର୍ଷା । ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା, ଓ ଭଦ୍ରକରେ ପ୍ରବଳ ବର୍ଷା ସମ୍ଭାବନା, ୟେଲୋ ୱିାର୍ଣ୍ଣିଂ ଜାରି

1,243

କନକ ବ୍ୟୁରୋ: ବୁଲବୁଲ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପାଗ କୋହଲା ସାଙ୍ଗକୁ ଆରମ୍ଭ ହୋଇଛି ବର୍ଷା । ବିଶେଷକରି ଜଗତସିଂହପୁର,ପାରାଦୀପ ଓ ଅସ୍ତରଙ୍ଗରେ ଝିପ୍ ଝିପ୍ ବର୍ଷା ଆରମ୍ଭ ହୋଇଛି । ପବନ ବି ଆରମ୍ଭ ହୋଇଛି । ବର୍ଷା ସମ୍ଭାବନାକୁ ନଜରରେ ରଖି ଆଜି ପାଇଁ ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା, ଓ ଭଦ୍ରକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ସବୁ ଜିଲ୍ଲାରେ ଆଜି ପ୍ରବଳ ବର୍ଷା ସମ୍ଭାବନା ରହିଛି ।ସେହିପରି ଆସନ୍ତାକାଲି ବାଲେଶ୍ୱର, ଭଦ୍ରକ , କେନ୍ଦ୍ରାପଡା ଓ ଜଗତସିଂହପୁରରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହିସବୁ ଜିଲ୍ଲାକୁ ଆସନ୍ତାକାଲି ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏହା ସହିତ ଆସନ୍ତାକାଲି କଟକ, ଯାଜପୁର ଓ ମୟୂରଭଞ୍ଜରେ ପ୍ରବଳ ହେବାର ସମ୍ଭାବନା ରହିଥିବାରୁ ଏହିସବୁ ଜିଲ୍ଲାକୁ ୟେଲୋୱାର୍ଣ୍ଣିଂ ଜାରି କରାଯାଇଛି ।

ସେପଟେ, ବାତ୍ୟା ପଶ୍ଚିମବଙ୍ଗ ଓ ବାଂଲାଦେଶ ମୁହାଁ ହେଉଥିଲେ ବି ମୁକାବିଲା ପାଇଁ ପ୍ରସ୍ତୁତି କରିଛନ୍ତି ସରକାର । ଓଡିଶା ଉପକୂଳ ଦେଇ ଗତି କରୁଥିବାରୁ , ଉପକୂଳର ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରଭାବିତ ହେବାକୁ ଥିବା ଜିଲ୍ଲାଗୁଡିକୁ ଓଡ୍ରାଫର ଦୁଇଟି ଟିମ୍ ଏବଂ ସହାୟତା କରିବା ପାଇଁ ଏନ୍ଡିଆରଏଫ୍ର ଗୋଟିଏ ଟିମ୍ ପଠାଯାଇଛି । ଅଗ୍ନିଶମ ବାହିନୀକୁ ମଧ୍ୟ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଗଛ କଟା ମେସିନ୍ ମଧ୍ୟ ସଜାଗ ରଖାଯାଇଛି ।

ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବାରୁ ତଳିଆ ଅଂଚଳରେ ଥିବା ଲୋକମାନେ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ କୁହାଯାଇଛି । ଏହାକୁ ଦୃଷ୍ଟିରେ ରଖି ୮ ଓ ୯ ତାରିଖରେ ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡା ତିନିଟି ଜିଲ୍ଲାର ସବୁ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା ହୋଇଛି । ସେହିପରି ୯ ତାରିଖ ଦିନ ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡ. ଯାଜପୁର, ଭଦ୍ରକ, ବାଲେଶ୍ୱର ଆଦି ୯ଟି ଜିଲ୍ଲାରେ ସ୍କୁଲ ବନ୍ଦ୍ ରଖିବାକୁ ନିଷ୍ପତି ନିଆଯାଇଛି ।