ବାତ୍ୟା ସ୍ଥିତିକୁ ନେଇ ଏସଆରସିଙ୍କ ସୂଚନା : ଧାମରା ନିକଟରେ ଆସନ୍ତାକାଲି ପୂର୍ବାହ୍ନରେ କରିବ ଲ୍ୟାଣ୍ଡଫଲ୍ ; ଆଜି ଅପରାହ୍ନରୁ ବଢିବ ପବନ ବେଗ

୫୦ରୁ ୬୦ ହଜାର ଲୋକଙ୍କୁ କରାଗଲାଣି ସ୍ଥାନାନ୍ତର; ଆଜି ସଂଧ୍ୟା ସୁଦ୍ଧା ସରିବ ସ୍ଥାନାନ୍ତର ପ୍ରକ୍ରିୟା

2,483

କନକ ବ୍ୟୁରୋ : ମାଡି ଆସୁଛି ବାତ୍ୟା ୟାସ୍ । ବାତ୍ୟା ନେଇ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ସୂଚନା । ଭିତରକନିକା, ଚାନ୍ଦବାଲି, ଧାମରାରେ ବାତ୍ୟା ଲ୍ୟାଣ୍ଡଫଲ ସମ୍ଭାବନା ରହିଛି । ସେସବୁ ସ୍ଥାନରେ ପ୍ରଶାସନ ତରଫରୁ ବ୍ୟବସ୍ଥା କରାଯାଇଛି । ୩୫ ଟି ବ୍ଲକରେ ୫୦ମିମିରୁ ଅଧିକ ବର୍ଷା ହୋଇଛି । ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକରେ ଅଧିକ ବର୍ଷା ହୋଇଛି । ରାଜନଗର ଓ ପାରାଦୀପରେ ସର୍ବାଧିକ ବର୍ଷା ଆକଳନ କରାଯାଇଛି । ପବନର ବେଗ ଅପରାହ୍ନରୁ ବୃଦ୍ଧି ପାଇବ । ସନ୍ଧ୍ୟାରୁ ପବନର ବେଗ ଆହୁରି ଅଧିକ ହେବ । ୧୦ଟା ସୁଦ୍ଧା ୫୦ରୁ ୬୦ ହଜାର ଲୋକଙ୍କୁ ସ୍ଥାନାନ୍ତରଣ କରାଗଲାଣି । ୬ହଜାର ୯୦୦ ବାତ୍ୟା ଆଶ୍ରୟସ୍ଥଳରେ ୭ଲକ୍ଷ ଲୋକ ରହିବା ଭଳି ବ୍ୟବସ୍ଥା ।

ଅନୁଗୁଳ , ସୁନ୍ଦରଗଡ, ଢେଙ୍କାନାଳ ଜିଲ୍ଲାପାଳଙ୍କୁ ସତର୍କ କରାଯାଇଛି । କଚ୍ଚା ଘରେ ନରହି ଛାତ ଘରେ ଆଶ୍ରୟ ନେବାକୁ କୁହାଯାଇଛି । ଏପରିକି ଘରେ ଦୁଇରୁ ତିନି ଦିନ ପାଇଁ ପାଣି ଷ୍ଟକ୍ ରଖିବାକୁ ପରାମର୍ଶ ଦିଆଯାଇଛି । ୫ଜିଲ୍ଲାକୁ ସଚିବମାନେ ଯାଇ ସ୍ଥିତି ଅନୁଧ୍ୟାନ କରୁଛନ୍ତି । ଶକ୍ତି, ପୂର୍ତ୍ତ ବିଭାଗ ଓ ମେଡିକାଲ ଗୁଡିକରେ ସମସ୍ତ ବ୍ୟବସ୍ଥା ହୋଇଛି । ଜୁଆର ଆଶଙ୍କା ଥିବା ସ୍ଥାନରୁ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଦଗତସିଂହପୁରରେ ପ୍ରଭାବ ପଡିବ । ଯାଜପୁର ଓ ମୟୂରଭଞ୍ଜର କିଛି ଅଂଶରେ ପ୍ରଭାବ ପକାଇବ । ସେହିପରି ୭୧୦ଟି ଡିଜି ସେଟ୍, ୮୧୩ଟି ଟ୍ୟାଙ୍କର ପଠାଯାଇଛି । ବିଜୁଳି ବିଭାଗର ୧୦ ହଜାର ଲୋକଙ୍କୁ ମୁତୟନ କରାଯାଇଛି । ଆଉ ୨ ହଜାର ଅତିରିକ୍ତ ଲୋକଙ୍କୁ ମୁତୟନ କରାଯିବ କହିଛନ୍ତି ଏସଆରସି ।