ଭାରତୀୟ ହକି ଦଳକୁ ନବୀନଙ୍କ ବଡ ଭେଟି । ଆଉ ୧୦ ବର୍ଷ ହକି ଦଳର ପ୍ରାୟୋଜକ ରହିବ ଓଡ଼ିଶା ।

217

କନକ ବ୍ୟୁରୋ : ହକିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା । ଭାରତୀୟ ପୁରୁଷ ଓ ମହିଳା ହକି ଦଳକୁ ସମ୍ବର୍ଦ୍ଧନା ଦେବା ସହ ନବୀନ କରିଛନ୍ତି ବଡ ଘୋଷଣା । ଆହୁରି ୧୦ ବର୍ଷ ଯାଏଁ ଭାରତୀୟ ହକି ଦଳର ପ୍ରାୟୋଜକ ରହିବାକୁ ନବୀନ ଘୋଷଣା କରିଛନ୍ତି । ଅଥାର୍ତ ୨୦୩୩ ଯାଏଁ ଭାରତୀୟ ହକି ଟିମର ପ୍ରାୟୋଜକ ରହିବ ଓଡ଼ିଶା । ପୂର୍ବରୁ ୨୦୧୮ରୁ ୨୦୨୩ ଯାଏଁ ଭାରତୀୟ ହକିର ପ୍ରାୟୋଜକ ରହିବାକୁ ରାଜ୍ୟ ସରକାର ହକି ଇଣ୍ଡିଆ ସହ ଚୁକ୍ତି କରିଥିଲେ ।

ଏଭଳି ଘୋଷଣା କରି ହକି ଇଣ୍ଡିଆକୁ ବଡ ଭେଟି ଦେଇଛନ୍ତି ନବୀନ । ହକି ପ୍ରତି ଓଡ଼ିଶାବାସୀଙ୍କ ଭଲପାଇବାକୁ ଏହି ଘୋଷଣା ସହ ଦ୍ୱିଗୁଣିତ କରିଛନ୍ତି ନବୀନ । ଏହାସହ ଜାତୀୟ କ୍ରୀଡାକୁ ଓଡ଼ିଶା କେତେ ଗୁରୁତ୍ୱ ଦେଉଛି ତାହା ଏହି ଘୋଷଣା ମାଧ୍ୟମରେ ଦର୍ଶାଇଛନ୍ତି ନବୀନ । ପୂର୍ବରୁ ଭାରତୀୟ ହକିର ପ୍ରାୟୋଜକ ହୋଇ ଓଡ଼ିଶା ବେଶ ପ୍ରଂଶସା ସାଉଁଟିଛି । ଖାସକରି ଅଲିମ୍ପିକ୍ସରେ ଦୀର୍ଘ ୪୧ ବର୍ଷ ପରେ ଭାରତୀୟ ହକି ଦଳ ପଦକ ଜିତିବା ପରେ ଓଡ଼ିଶା ଓ ନବୀନଙ୍କୁ ପୂରା ଦେଶ ପ୍ରଂଶସା କରିଥିଲା । ଦୁର୍ଦ୍ଦିନରେ ଗତି କରୁଥିବା ଭାରତୀୟ ହକିକୁ ନୂଆ ଜନ୍ମ ଦେଇଥିବାରୁ ନବୀନ ବେଶ ବାହାବା ସାଉଁଟିଥିଲେ । ଏପରିକି ଓଡ଼ିଶା ଫର୍ମୁଲା ପୂରା ଦେଶ ଆପଣାଉ ବୋଲି ଦାବି ହୋଇ୍ଥିଲା । ଏହାସହ ଭାରତୀୟ ମହିଳା ହକି ଟିମର ଅଧିନାୟିକା ରାନୀ ରାମପାଲ ମଧ୍ୟ ଓଡ଼ିଶାକୁ ଅନୁକରଣ କରିବା ସହ ପ୍ରତ୍ୟେକ ରାଜ୍ୟ ଗୋଟିଏ ଗୋଟିଏ ଖେଳକୁ ଆପଣାନ୍ତୁ ବୋଲି କହିଥିଲେ ।