କନକ ବ୍ୟୁରୋ: ଓଡିଶାରେ ଚାଲିଛି ସାପବିଷର ରାକେଟ? କେଉଁଠୁ ଆସୁଛି, କୁଆଡେ ଯାଉଛି ? ମାଷ୍ଟରମାଇଣ୍ଡ କିଏ, କିଏ କରୁଛି କାରବାର ? - ରାଜ୍ୟରୁ ସାପ ବିଷର ରାକେଟ୍ ଧରାପଡିବା ପରେ ସାଧାରଣ ଲୋକଙ୍କ ମନରେ ଏଭଳି ଅନେକ ପ୍ରଶ୍ନ । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି..
ପ୍ରଥମଥର ପାଇଁ ଓଡିଶାରେ ଏତେ ପରିମାଣର ସାପର ବିଷ ଧରାପଡିଲା, ହେଲେ କିଏ ଏହି କାରବାର କରୁଛି ଏବଂ କେଉଁ ଉଦ୍ଦେଶ୍ୟରେ ସାପର ବିଷ ସଂଗ୍ରହ କରାଯାଉଛି, ତାର ଉତ୍ତର ମିଳିପାରୁନାହିଁ । କାରଣ ଏହି କାରବାର ପଛର ମୁଖ୍ୟ କାର୍ପଟଦାର କୁହାଯାଉଥିବା ସତ୍ୟନାରାୟଣ ଦାସ ଏବେ ବି ଫେରାର ଅଛି । ସବୁଠାରୁ ବଡ ପ୍ରଶ୍ନ ହେଉଛି, ଓଡିଶାରେ ଏହି ସାପବିଷ କାହିଁକି ବିକ୍ରି ହେଉଛି ? ଓଡିଶାରେ ଏହାର ବ୍ୟବହାର କଣ ? ଏଠାରେ ଔଷଧ ତିଆରି ପାଇଁ ସାପବିଷ କିଣାଯାଉନାହିଁ । ଆଉ ସବୁଠାରୁ ବଡ ସନ୍ଦେହ ହେଲା, ସାପବିଷକୁ ନିଶାଭାବେ ବ୍ୟବହାର କରିବା ପାଇଁ ଏହି ବିଷ ବିକ୍ରି ହେଉଛି ।
ଇଣ୍ଡିଆନ ଜର୍ଣ୍ଣାଲ ଅଫ ସାଇକୋଲଜିକାଲ ମେଡିସିନ, ଏହାର ଏକ ରିପୋର୍ଟରେ କହିଛି, ତମାଖୁ, ଗଂଜେଇ ଓ ଅଫିମ ଭଳି ନିଶା ପାଇଁ, କମ ଡୋଜର ସାପବିଷ ବ୍ୟବହାର କରାଯାଏ । ଏହା ଶରୀର ଭିତରକୁ ଯିବାମାତ୍ରେ ଦେହ ଥରିଉଠେ, ଝାପସା ଦେଖାଯାଏ ଏବଂ କିଛି ସମୟ ପାଇଁ ବ୍ଲାକଆଉଟ ହୋଇଯାଏ । ଇଣ୍ଡିଆନ ଜର୍ଣ୍ଣାଲ ଅଫ ସାଇକୋଲଜିକାଲ ମେଡିସିନ ଏହାର ରିପୋର୍ଟରେ ଦର୍ଶାଇଛି, ଥରେ ଏହି ସାପବିଷକୁ ନିଶା ଭାବରେ ବ୍ୟବହାର କଲେ ପରବର୍ତୀ ସମୟରେ ଏଥିପ୍ରତି ଆକର୍ଷଣ ଅତ୍ୟନ୍ତ ବଢିଯିବ । ଅର୍ଥାତ ସାପବିଷର ଜାଲରେ ସେ ପଡିଯିବାର ଆଶଙ୍କା ରହିଛି ।