କନକ ବ୍ୟୁରୋ : ଏଣିକି ଆଂଚଳିକ ପରିବହନ କାର୍ଯ୍ୟାଳୟ ଅଫିସମାନଙ୍କରେ ଆଉ ଲୋକଙ୍କୁ ଲମ୍ବା ଧାଡ଼ିରେ ଠିଆ ହେବାକୁ ପଡ଼ିବ ନାହିଁ । ଚୌକିରେ ଲୋକେ ବସିରହିବେ, ସେମାନଙ୍କ ସବୁ କାମ ସୁରୁଖୁରୁରେ ହେବ । ବଡ଼ ଡିସପ୍ଲେ ସ୍କ୍ରିନରେ ସେମାନଙ୍କ କାମ କେତେ ବାଟ ଆଗେଇଛି, କେତେବେଳେ ଶେଷ ହେବ ସେ ସୂଚନା ଜାରି କରାଯିବ । ଫଳରେ ଡ୍ରାଇଭିଂ ଲାଇସେନନ୍ସ ପାଇଁ ସ୍ଲଟ ବୁକିଂ ହେଉ କି ଚାଲଣ କାଟିବା ଓ ଅନ୍ୟାନ୍ୟ ସେବା ସହଜରେ ମିଳିପାରିବ । ଏଥିପାଇଁ ରାଜ୍ୟ ସରକାରଙ୍କ ପରିବହନ କର୍ତୃପକ୍ଷ ଓ ଜାତୀୟ କ୍ଷୁଦ୍ରଶିଳ୍ପ ନିଗମ ସହିତ ଏକ ବୁଝାମଣା ପତ୍ର ସ୍ୱାକ୍ଷର କରିଛନ୍ତି ।
ଏହି ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ୨ କୋଟି ୧୮ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ ପାଇଁ ଯୋଜନା ହୋଇଛି । ତେବେ ପ୍ରଥମ ପର୍ଯ୍ୟାୟରେ ଏହି ଯୋଜନା ଅନୁଗୁଳ, ବାଲେଶ୍ୱର, ଭଦ୍ରକ, ଭୁବନେଶ୍ୱର-୧, କଟକ, ଗଂଜାମ, ପୁରୀ, ଭୁବନେଶ୍ୱର ଆରଟିଓ ୨ରେ ପରୀକ୍ଷାମୂଳକ ଭାବେ କାର୍ଯ୍ୟକାରୀ ହେବ । ରାଜ୍ୟ ସରକାରଙ୍କ ୫ଟି ଅଧିନରେ ଲୋକଙ୍କୁ ଏଭଳି ସୁବିଧା ମିଳିପାରିବ । ଏହା ଦ୍ୱାରା ଆରଟିଓ ଅଫିସରେ ଘଂଟା ଘଂଟା ଧାଡ଼ିରେ ଠିଆ ହେଉଥିବା ଲୋକଙ୍କୁ ଆଉ କଲବଲ ହେବାକୁ ପଡ଼ିବ ନାହିଁ ।
ସାଧାରଣ ଲୋକ ସହଜରେ ଅନଲାଇନରେ ନିଜର ସ୍ଲଟ ବୁକିଂ କରିବା ସହିତ ସିଧାସଳଖ ମଧ୍ୟ ବୁକିଂ କରିପାରିବେ। ଡ୍ରାଇଭିଂ ଲାଇସେନସ ଓ ଅନ୍ୟ ଗାଡି କାଗଜପତ୍ର ପାଇଁ ଲୋକଙ୍କୁ ଏହି ଉନ୍ନତମାନର ସୁବିଧା ଉପଲବ୍ଧ ହେବ। ଆରଟିଓ ଅଫିସ ଆସୁଥିବା ଲୋକ ଅଫିସରେ ପଡିଥିବା ଚେୟାରରେ ବସି ଅପେକ୍ଷା କରିବେ। ସେମାନେ ବସିଥିବା ବେଳେ ସ୍କ୍ରିନରେ ସେମାନଙ୍କ ନାମ ଓ ଟୋକନ ନମ୍ବର ଦେଖିପାରିବେ। ଏପରିକି ସେମାନଙ୍କ କାମ ସରିବାକୁ ଆଉ କେତେ ସମୟ ଲାଗିବ, ପ୍ରତୀକ୍ଷାଳୟରେ ବସି ସେମାନେ ତାହା ଜାଣିପାରିବେ। ସମୟ ସମୟରେ ସେମାନଙ୍କ କାର୍ଯ୍ୟ କେତେ ବାଟ ଗଲା ତହାର ସୂଚନା ଦିଆଯିବ। ଏହାଦ୍ବାରା ଆରଟିଓ ଅଫିସରେ ସେବାର ମାନ ବୃଦ୍ଧି ପାଇବ। ସମସ୍ତ ସେବା, ଡ୍ରାଇଭିଂ ଲାଇସେନସ, ଚାଲାଣ କାଟିବା ମଧ୍ୟ ସହଜ ହେବ।
Follow Us