ନିଯୁକ୍ତି ନେଇ ବିଧାନସଭାରେ ସ୍ୱର ଉଠାଇଲେ ତାରା । କହିଲେ, ଆନ୍ଧ୍ର ନୀତି ଆପଣାଉ ଓଡ଼ିଶା ।

685

କନକ ବ୍ୟୁରୋ : ଓଡ଼ିଶାରେ ଆନ୍ଧ୍ରପ୍ରଦେଶ ଫର୍ମାଟ୍ ଲାଗୁ କରିବା ପାଇଁ ଉଠିଲା ଦାବି । ଆନ୍ଧ୍ରପ୍ରଦେଶରେ ସମସ୍ତ ସରକାରୀ ଓ ବେସରକାରୀ ସଂସ୍ଥାରେ ସ୍ଥାନୀୟ ଯୁବକ ଏବଂ ଯୁବତୀଙ୍କ ପାଇଁ ୭୫ ପ୍ରତିଶତ ଚାକିରି ସଂରକ୍ଷଣ ବ୍ୟବସ୍ଥା ରହିଛି । କିନ୍ତୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଓଡ଼ିଶାରେ ଏମଓୟୁକୁ ଉଲ୍ଲଂଘନ କରି ମାତ୍ର ୧୦ ପ୍ରତିଶତ ଯୁବକ ଯୁବତୀଙ୍କୁ ନିଯୁକ୍ତି ଦିଆଯାଇଛି । ସେଥିପାଇଁ ଓଡିଶାରେ ଆନ୍ଧ୍ରପ୍ରଦେଶର ଫର୍ମାଟ୍ ଲାଗୁ କରିବା ନେଇ ସରକାରଙ୍କୁ ବାଚସ୍ପତି ନିର୍ଦ୍ଦେଶ ଦେବାକୁ ଅନୁରୋଧ କରିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ।

ଆଜି ଗୃହରେ ନିଯୁକ୍ତି ପ୍ରସଙ୍ଗ ଉଠାଇ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି, ଆନ୍ଧ୍ରପ୍ରଦେଶରେ ସ୍ଥାନୀୟ ଯୁବକ ଏବଂ ଯୁବତୀଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରାଯାଇଛି । କିନ୍ତୁ ଓଡିଶାରେ କୌଣସି ସଂସ୍ଥାନରେ ବି ଚାକିରି ମିଳୁନି । ଅଧିକାଂଶ ଯୁବକ ଦାଦନ ଖଟିବାକୁ ଯାଉଛନ୍ତି । ଆଉ ସବୁଠାରୁ ବଡ କଥା ହେଉଛି, ଓଡିଶାରେ ଯେଉଁ ସୁଯୋଗ ରହିଛି, ସେଗୁଡିକୁ ରାଜ୍ୟ ସରକାର ଉତ୍ସାହିତ କରୁନାହାନ୍ତି । ତେବେ ଏନେଇ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ।