ରାଜ୍ୟରେ ଦେଖାଦେଇପାରେ କରୋନା ଟୀକାର ଅଭାବ : ଅଧିକ ଟୀକା ଯୋଗାଇବା ପାଇଁ କେନ୍ଦ୍ରକୁ ଚିଠି ଲେଖିଲା ରାଜ୍ୟ

110

କନକ ବ୍ୟୁରୋ: ରାଜ୍ୟରେ ଦେଖାଦେଇପାରେ କରୋନା ଟୀକାର ଅଭାବ । ମହଜୁଦ ଅଛି ୬ ଲକ୍ଷ ଡୋଜ୍ କୋଭିସିଲ୍ଡ ଟୀକା । ଗଚ୍ଛିତ ଟୀକା ୨ ଦିନ ଯିବା ନେଇ ଆଶଙ୍କା ପ୍ରକାଶ । ଅଧିକ ଟୀକା ଯୋଗାଇବା ପାଇଁ କେନ୍ଦ୍ରକୁ ଚିଠି ଲେଖିଲା ରାଜ୍ୟ । ରାଜ୍ୟରେ ୧ କୋଟି ୧୬ ଲକ୍ଷ ଲୋକଙ୍କ ଟୀକାକରଣ ନେଇ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ୩୩ ଲକ୍ଷ ୪ ହଜାର ୭୩୨ ଜଣଙ୍କୁ ଟୀକା ଦିଆଯାଇଥିବା ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।

ତେବେ ରାଜ୍ୟରେ କରୋନା ବଢି ଚାଲିଥିବା ବେଳେ ଟୀକାକରଣକୁ ଗୁରୁତ୍ୱ ଦେଉଛନ୍ତି ସରକାର । ଅନ୍ୟ ରାଜ୍ୟ ତୁଳନାରେ ଓଡିଶା ଟୀକାକରଣରେ ରେକର୍ଡ କରୁଛି । ତେଣୁ ଅଧିକ ଟୀକା ଯୋଗାଇ ଦେବାକୁ କେନ୍ଦ୍ରକୁ ଜଣାଇଛନ୍ତି ରାଜ୍ୟ ସରକାର । ତେବେ ଆଜି ରାଜ୍ୟରେ କରୋନା ସଂକ୍ରମଣ ୫ ଶହ ଟପିଛି । ଗତ ୨୪ ଘଂଟା ଭିତରେ ୫୭୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରୁ ୩୩୭ ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୨୩୬ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ୨୪ଘଂଟା ଭିତରେ ୩୦୦ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । କରୋନାରୁ କବଳରୁ ରକ୍ଷା ପାଇବାକୁ ସାରା ଦେଶରେ ଟୀକାକରଣକୁ ଫୋକସ ଦିଆଯାଉଥିବା ବେଳେ ରାଜ୍ୟରେ ଟୀକା ନେଇ ଆଶଙ୍କା ଦେଖାଦେଇଛି ।