ବୁଣାକାର ଓ କାରିଗର ସହାୟତା ଯୋଜନା ପାଇଁ ସରକାରଙ୍କୁ କୃତଜ୍ଞତା ଜଣାଇଲେ ଓଡିଶା ଶିଳ୍ପୀ ମହାସଂଘ: କହିଲେ, ଏହି ନିଷ୍ପତ୍ତି ଐତିହାସିକ

67

କନକ ବ୍ୟୁରୋ: ଗତ ଫେବୃୟାରୀ ୧୪ ତାରିଖରେ ରାଜ୍ୟ ସରକାରଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ବରିଷ୍ଠ ବୁଣାକାର ଓ କାରିଗର ସହାୟତା ଯୋଜନା ଘୋଷଣା କରାଯାଇଛି । ଯାହାକି ରାଜ୍ୟର ଲକ୍ଷ ଲକ୍ଷ ହସ୍ତଶିଳ୍ପୀ ଓ ବୁଣାକାରଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳାଇ ଦେଇଛି । ରାଜ୍ୟ ସରକାରଙ୍କ ଏହି ଘୋଷଣାକୁ ଐତିହାସିକ ବୋଲି କହିବା ସହ ରାଜ୍ୟ ସରକାରଙ୍କୁ ରାଜ୍ୟ ହସ୍ତଶିଳ୍ପୀ ଓ ବୁଣାକାରଙ୍କ ନିଜସ୍ୱ ସଂଗଠନ ଓଡିଶା ଶିଳ୍ପୀ ମହାସଂଘ କୃତଜ୍ଞତା ଜଣାଇଛି । ଭୁବନେଶ୍ୱର ସ୍ଥିତ ଜୟଦେବ ଭବନ ପରିସରରେ ଆମେ କୃତଜ୍ଞ ବୋଲି ବୁଣାକାର ଓ କାରିଗର ସମାବେଶର ଆୟୋଜନ କରି ଓଡିଶା ଶିଳ୍ପୀ ମହାସଂଘ ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛି ।

ସୂଚନା ଥାଉକି, ଗତ ୨୦୧୯ ମସିହା ମାର୍ଚ୍ଚ ମାସ ୫ ତାରିଖରେ ଓଡିଶା ଶିଳ୍ପୀ ମହାସଂଘର ବାରଂବାର ଅନୁରୋଧ ପରେ ମୁଖ୍ୟମନ୍ତ୍ରୀ ବରିଷ୍ଠ ହସ୍ତଶିଳ୍ପୀ ଓ ବୁଣାକାରଙ୍କ ପାଇଁ ମାସିକ ଆର୍ଥିକ ସହାୟତା କଥା ଘୋଷଣା କରିଥିଲେ । ବିଡମ୍ବନାର ବିଷୟ ରାଜ୍ୟ ସରକାରଙ୍କ ଏହି ଘୋଷଣା କାର୍ଯ୍ୟକାରୀ ହୋଇ ପାରିନଥିଲା । ହତୋତ୍ସାହ ନହୋଇ ଓଡିଶା ଶିଳ୍ପୀ ମହାସଂଘ ଦୀର୍ଘ ୫ ବର୍ଷ ଧରି ଧାରଣା, ସମାବେଶ ଓ ପତ୍ରାଳାପ ମାଧ୍ୟମରେ ସରକାରଙ୍କୁ ଏହି ଘୋଷଣା କାର୍ଯ୍ୟକାରୀ କରିବାକୁ ଦାବୀ ଜଣାଇ ଆସୁଥିଲା ।

ଶେଷରେ ମୁଖ୍ୟମନ୍ତ୍ରୀ ଓଡିଶା ଶିଳ୍ପୀ ମହାସଂଘର ଅନୁରୋଧ ରକ୍ଷା କରିଥିଲେ ଓ ଗତ ୧୪ ତାରିଖରେ ହସ୍ତଶିଳ୍ପୀ ଓ ବୁଣାକାରଙ୍କ ପାଇଁ ମାସିକ ଆର୍ଥିକ ସହାୟତା ଯୋଜନା ଭଳି ଏକ ବଡ ଉପହାର ଭେଟି ଦେଇଥିଲେ । ଏହି ଯୋଜନା ଅଧୀନରେ ଉଭୟ ୪୦ ବର୍ଷର ମହିଳା ଓ ୫୦ ବର୍ଷର ପୁରୁଷ ହସ୍ତଶିଳ୍ପୀ ଏବଂ ବୁଣାକାରଙ୍କୁ ମାସିକ ଆର୍ଥିକ ସହାୟତା ବାବଦକୁ ୨୦୦୦ ଟଙ୍କା ପ୍ରଦାନ କରାଯିବ । ସେହିଭଳି ୮୦ ବର୍ଷରୁ ଉର୍ଦ୍ଧ ହସ୍ତଶିଳ୍ପୀ ଓ ବୁଣାକାରଙ୍କୁ ମାସିକ ୨୫୦୦ଟଙ୍କା ପ୍ରଦାନ କରାଯିବ । ବର୍ଷକୁ ୧ ଲକ୍ଷ ଟଙ୍କାରୁ କମ ଆୟ କରୁଥିବା ଆର୍ଥିକ ଭାବେ ଦୁର୍ବଳ ବୁଣାକାର ଓ ହସ୍ତଶିଳ୍ପୀଙ୍କ ପାଇଁ ଏହି ଯୋଜନା ଉଦ୍ଧିଷ୍ଟ ଅଟେ । ଓଡିଶା ଶିଳ୍ପୀ ମହାସଂଘର ସଭାପତି ଉଦୟ ମହାନ୍ତିଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥୀ ଭାବେ ଶିଳ୍ପୀ ମହାସଂଘର ମୁଖ୍ୟ ଉପଦେଷ୍ଟା ପଦ୍ମ ବିଭୂଷଣ ସୁଦର୍ଶନ ସାହୁ ପ୍ରଦୀପ ଜାଳି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।

ନିଜ ବକ୍ତବ୍ୟରେ ସୁଦର୍ଶନ ସାହୁ ରାଜ୍ୟ ସରକାରଙ୍କ ଉଚ୍ଚ ପ୍ରଶଂସା କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ରାଜ୍ୟର ହସ୍ତଶିଳ୍ପୀ ଓ ବୁଣାକାରଙ୍କ ପାଇଁ ଏକ ସ୍ୱୀକୃତି ଭଳି ଅଟେ । ଆର୍ଥିକ ଅନଟନ ମଧ୍ୟରେ ପିଢୀ ପରେ ପିଢୀ କଳାର ପରଂପରାକୁ ବଂଚାଇ ଆସିଥିବା ଅନେକ ଶିଳ୍ପୀ ଓ ବୁଣାକାର ପରିବାର ପାଇଁ ମାସିକ ଆର୍ଥିକ ସହାୟତା ଯୋଜନା ଅନେକ ଖୁସି ଆଣି ଦେବ ବୋଲି ପଦ୍ମ ବିଭୂଷଣ ସୁଦର୍ଶନ ସାହୁ କହିଥିଲେ । ନିଜ ବକ୍ତବ୍ୟରେ ଶିଳ୍ପୀ ମହାସଂଘର ସଭାପତି ଉଦୟ ମହାନ୍ତି, ରାଜ୍ୟ ସରକାରଙ୍କୁ ଉଚ୍ଚ ପ୍ରଶଂସା କରିବା ସହ ଏହି ଯୋଜନା ନିର୍ବାଚନ ପୂର୍ବରୁ ଲାଗୁ କରିବାକୁ ଅନୁରୋଧ କରିଥିଲେ । ଅନ୍ୟତମ ଅତିଥୀ ଭାବେ ମହାସଂଘର ଉପଦେଷ୍ଟା ସିଦ୍ଧାର୍ଥ ଘୋଷ, ସଂଗଠନ ସଂପାଦିକା ସରୋଜିନୀ ଦାସ, ଉପ ସଭାପତି ଶରତ ପ୍ରଧାନ, ବାଲେଶ୍ୱର ଜିଲ୍ଲା ସଭାନେତ୍ରୀ ବାସନ୍ତୀ ନାୟକ, ଶିଳ୍ପୀ ସଂଗଠକ ବିପିନ ବିହାରୀ ସାହୁ, ଫିଓ ର ଓଡିଶା ଚାପଟର ମୁଖ୍ୟ କମଳ ସାହୁ, ଶିକ୍ଷା ଟ୍ରଷ୍ଟ ମୁଖ୍ୟ ଇ. ଆଲେକଜାଣ୍ଡର ଦାସ, ଶିଳ୍ପୀ ସଂଗଠକ ଦିଲ୍ଲିପ ପଟ୍ଟନାୟକ, ବରିଷ୍ଠ ବୁଣାକର ଲକ୍ଷ୍ମୀଧର ଚାନ୍ଦ, ଜମ୍ବେଶ୍ୱର ବେହେରା, ଦେବୀ ପ୍ରସନ୍ନ ନନ୍ଦ, ଆଦରମଣୀ ବରାଳ ପ୍ରମୁଖ ନିଜ ବକ୍ତବ୍ୟରେ ଶିଳ୍ପୀ ଓ ବୁଣାକାର ଏକତା ସଂପର୍କରେ ନିଜ ବକ୍ତବ୍ୟ ରଖିଥିଲେ ।

ଏହି ସମାବେଶରେ ସାରା ରାଜ୍ୟରୁ ୮ ଶହରୁ ଉର୍ଦ୍ଧ ହସ୍ତଶିଳ୍ପୀ ଓ ବୁଣାକାର ସାମିଲ ହୋଇଥିଲେ । ବୈଠକ ପ୍ରାରମ୍ଭରେ ଓଡିଶା ଶିଳ୍ପୀ ମହାସଂଘର ବିଭିନ୍ନ ଜିଲ୍ଲା ଶାଖା ପକ୍ଷରୁ ମହାସଂଘର ମୁଖ୍ୟ ଉପଦେଷ୍ଟା, ପଦ୍ମ ବିଭୂଷଣ ସୁଦର୍ଶନ ସାହୁ, ସଭାପତି ଉଦୟ ମହାନ୍ତି ଓ ସଂପାଦକ ପ୍ରୟରଂଜନ କରଙ୍କୁ ଉତରିୟ ପ୍ରଦାନ କରି ସଂବର୍ଦ୍ଧିତ କରାଯାଇଥିଲା । ପରେ ଓଡିଶା ଶିଳ୍ପୀ ମହାସଂଘ ପକ୍ଷରୁ ସଭାପତି ଉଦୟ ମହାନ୍ତି ମହାସଂଘର ଶହେରୁ ଉର୍ଦ୍ଧ ପ୍ରମୁଖ କର୍ମକର୍ତା ଓ ଶୁଭେଚ୍ଛୁମାନଙ୍କୁ ଉତରୀୟ ଓ ଫୁଲଗଛ ଦେଇ ସମ୍ମାନିତ କରିଥିଲେ ।

ଶିଳ୍ପୀ ମହାସଂଘର ସଂପାଦକ ପ୍ରିୟରଂଜନ କର ମଂଚ ପରିଚାଳନା କରିଥିବାବେଳେ ଖୋର୍ଦ୍ଧ ଜିଲ୍ଲା ସଭାପତି ଗଗନ ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମର ପରିଚାଳନାରେ ଜବାର ଖାନ, ଇନ୍ଦିରା ପାତ୍ର, ଅଶୋକ କୁମାର ଗୁଇଁ, ବୈଷ୍ଣବ ମହାରଣା, ନିରଂଜନ ମୁଖୀ, ଦ୍ୱିଜବର ଦାସ, ଜିତେନ୍ଦ୍ର ପରିଡା, ସଂଜୟ ମୁଦୁଲି, ଜମ୍ବେଶ୍ୱର ବେହେରା, ପ୍ରଶାନ୍ତ ବେହେରା, ଅଜୟ ଜଗଦ୍ଦେବ,ଗୈାର ରଣା, ଅଂଜୁଲତା ବେହେରା, ସନ୍ତୋଷ ଓଝା, ସନ୍ତେଷ କାମିଲା, ନରେନ୍ଦ୍ର ରଣା, ଖଗେଶ୍ୱର ମଲ୍ଲିକ, ଆନନ୍ଦ ନାୟକ, ଅଚ୍ୟୁତାନନ୍ଦ ମହାରଣା, ଶରତ ମହାରଣା, ବେବୀରାଣୀ ଜେନା, ସଂଧ୍ୟାରାଣୀ ଗିରି, ମିନତୀ ବର,ଦିପ୍ତୀରାଣୀ ବେହେରା, ସଂମ୍ପା ସିଲ, ପ୍ରଣତି ଦାସ ପ୍ରମୁଖ ସହଯୋଗ କରିଥିଲେ ।