ଏମ୍ସକୁ ମିଶାଇ ରାଜ୍ୟର ୧୬୧ କେନ୍ଦ୍ରରେ ଚାଲିଛି ଟିକାକରଣ: ରାଜଧାନୀର ୬ଟି ସ୍ଥାନରେ ୧୦୦ ଜଣଙ୍କୁ ଦିଆସାରିଲାଣି କରୋନା ଟିକା; ଟିକା ନେଲେ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଡାକ୍ତର ଲକ୍ଷ୍ମୀଧର ସାହୁ

ବିଏମସି କମିଶନରଙ୍କ ସୂଚନା, ସୋମବାର ଠାରୁ ରାଜଧାନୀରେ ବଢିବ ଟିକା କେନ୍ଦ୍ର

75

କନକ ବ୍ୟୁରୋ: ରାଜ୍ୟର ପ୍ରଥମ ଟିକାକରଣ ଆରମ୍ଭ ହୋଇଛି କ୍ୟାପିଟାଲ ହସ୍ପିଟାଲରୁ । ଏଠାରେ ପ୍ରଥମ ଟିକା ନେଇଛନ୍ତି ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ । ବିରଂଚି ନାୟକଙ୍କୁ ପ୍ରଥମେ ଟିକା ଦିଆଯାଇଥିଲା । ଟିକା ନେବା ପରେ ସଂପୂର୍ଣ୍ଣ ଭଲ ଅଛନ୍ତି । ତାଙ୍କ ଠାରେ କୌଣସି ପାଶ୍ୱର୍ ପ୍ରତିକ୍ରିୟା ଦେଖିବାକୁ ମିଳିନାହିଁ । ବିରଂଚିଙ୍କ ପରେ ହସ୍ପିଟାଲର ନିର୍ଦ୍ଦେଶକ ଡାକ୍ତର ଲକ୍ଷ୍ମୀଧର ସାହୁ ଟିକା ନେଇଛନ୍ତି । ଏବଂ ଟିକା ନେବା ପରେ ସେ ସଂପୂର୍ଣ୍ଣ ସୁସ୍ଥ ଥିବା କହିଛନ୍ତି । ଟିକା ନେବା ପରେ ତାଙ୍କର କୌଣସି ସମସ୍ୟା ହୋଇନାହିଁ । ସେହିଭଳି ଅତିରିକ୍ତ ଡିଏମଇଟି ଡାକ୍ତର ଉମାକାନ୍ତ ଶତପଥୀ ମଧ୍ୟ ଟିକା ଗ୍ରହଣ କରିଛନ୍ତି । ଟିକା ନେବା ପରେ ସେଭଳି କୌଣସି ସମସ୍ୟା ଦେଖା ଦେଇନଥିବା ସେ କହିଛନ୍ତି । ଟିକାକୁ ନେଇ ବେଶ୍ ଖୁସି ପ୍ରକାଶ କରିଛନ୍ତି ଅତିରିକ୍ତ ଡିଏମଇଟି ।

ସେପଟେ, ଭୁବନେଶ୍ୱରର ଯେଉଁ ୬ଟି ସ୍ଥାନରେ ଚାଲିଛି କରୋନା ଟିକାକରଣ, ତାହା ମଧ୍ୟରୁ ଗୋଟିଏ ହେଉଛି  ୟୁନିଟ୍ ୪ର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର । ଏଠାରେ ସମସ୍ତ ବ୍ୟବସ୍ଥା ସହିତ ଚାଲିଛି କରୋନା ଟିକାକରଣ । ଡିଏମ୍ଇଟିର କର୍ମଚାରୀ ଶୁଭେନ୍ଦୁ ମଣ୍ଡାଲି ନେଇଛନ୍ତି କରୋନା ଟିକା । ସେହିଭଳି କଟକ ଏସସିବି ମେଡିକାଲର ବରିଷ୍ଠ ଡାକ୍ତର ପ୍ରଫେସର ଜୟନ୍ତ ପଣ୍ଡା ମଧ୍ୟ ନେଇଛନ୍ତି କରୋନା ଟିକା । ଅନ୍ୟପଟେ, କେନ୍ଦ୍ରାପଡା ଜିଲ୍ଲାରେ ମଧ୍ୟ ଆରମ୍ଭ ହୋଇଛି କରୋନା ଟିକାକରଣ । ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ପ୍ରଥମେ କରୋନା ଟିକା ଗ୍ରହଣ କରିଛନ୍ତି ଡାକ୍ତର କିଶୋର ମିଶ୍ର । ଅନ୍ୟ ମାନଙ୍କୁ ଟିକା ନେବାକୁ ପ୍ରୋତ୍ସାହିତ କରିବାକୁ ଡାକ୍ତର କିଶୋର ମିଶ୍ର ପ୍ରଥମେ ନେଇଛନ୍ତି କରୋନା ଟିକା ।

ବ୍ରହ୍ମପୁରରେ ମଧ୍ୟ ଆରମ୍ଭ ହୋଇଛି କୋଭିଡ୍ ଭାକସିନେସନ୍ । ଟିକାକରଣ ପାଇଁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ କରାଯାଇଛି ସମସ୍ତ ବ୍ୟବସ୍ଥା । ତେବେ ଏଠାରେ ଟିକା ନେବା ପରେ ଟିକା ନେଇଥିବା ବ୍ୟକ୍ତିଙ୍କ ମୁଣ୍ଡ ବୁଲାଇଥିବା ଦେଖିବାକୁ ମିଳିଥିଲା ।  ସେହିଭଳି ଢେଙ୍କାନାଳ ଜିଲ୍ଲାର ୪ଟି ସ୍ଥାନରେ ଚାଲିଛି ଟିକାକରଣ । ଏହା ମଧ୍ୟରୁ କାମାକ୍ଷାନଗରର ଅଁଳାବେରେଣୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆରମ୍ଭ ହୋଇଛି ଟିକାକରଣ । ଖଣି ଇସ୍ପାତ ଓ ପୂର୍ତ ମନ୍ତ୍ରୀ ପ୍ରଫୁଲ ମଲ୍ଲିକ ଏଠାରେ ଟିକାକରଣର ଶୁଭାରମ୍ଭ କରିଛନ୍ତି । ଆସନ୍ତାକାଲିଠାରୁ ଜିଲ୍ଲାର ସମସ୍ତ ସବଡିଭିଜନରେ ଟିକାକରଣ କରାଯିବ ବୋଲି ସୂଚନା ଦିଆଯାଇଛି ।

ସାରା ଦେଶ ଯେଉଁ ମୁହୁର୍ତକୁ ଅପେକ୍ଷା କରି ରହିଥିଲା, ସେହି ସମୟ ଆସି ପହଂଚି ଯାଇଛି । ଆଜି ଦେଶରେ ବିଶ୍ୱର ସବୁଠୁ ବଡ ଟିକାକରଣ ଆରମ୍ଭ ହୋଇଛି । ମାନବ ସଭ୍ୟତା ପ୍ରତି ସଂକଟ ସୃଷ୍ଟି କରିଥିବା କରୋନା ମହାମାରୀ ବିରୋଧରେ ଭାରତର ଏହି ମହାଲଢେଇ ଉପରେ ସାରା ବିଶ୍ୱର ନଜର ଅଟକି ରହିଥିଲା । କାରଣ ଉଭୟ ଭୌଗଳିକ ଓ ଜନସଂଖ୍ୟା ଦୃଷ୍ଟିରୁ ବିଶାଳ ଭାରତରେ ସମୂହ ଟିକାକରଣ ଏକ ବଡ ଆହ୍ୱାନ ଥିଲା । ଏହି ଆହ୍ୱାନକୁ ସାମ୍ନା କରିବା ପାଇଁ ଆଜି ସାରା ଦେଶର ତିନି ହଜାର ଛଅଟି କେନ୍ଦ୍ରରେ ପ୍ରଥମ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହୋଇଛି । ଦିନ ସାଢେ ୧୦ଟାରେ ପ୍ରଧାନମନ୍ତ୍ରୀ ଏହାର ଶୁଭାରମ୍ଭ କରିଛନ୍ତି । ଏପଟେ ଟିକାକରଣ ପାଇଁ ଓଡିଶାରେ ମଧ୍ୟ ପ୍ରସ୍ତୁତି ସରିଛି । ମୋଟ୍ ୧୬୧ଟି କେନ୍ଦ୍ରରେ ପ୍ରଥମ ଦିନରେ ୧ ଲକ୍ଷ ୯୨ ହଜାର ୫୫୫ ଜଣଙ୍କ ଟିକା ଦେବା ପାଇଁ ବ୍ୟବସ୍ଥା କରାଯାଇଛି । ପ୍ରଥମ ପର୍ଯ୍ୟାୟ ଟିକାକରଣରେ ସ୍ୱାସ୍ଥ୍ୟ କର୍ମୀଙ୍କ ଭାଗିଦାରୀ ହିଁ ନିର୍ଭର କରୁଛି କରୋନା ବିରୋଧୀ ଲଢେଇ କେତେ ସଫଳ ହେବ ।