ବାତ୍ୟା ‘ଫୋନି’ ପରେ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ! ‘ପୂର୍ବ ପ୍ରସ୍ତୁତି ନେଇ ଓଡ଼ିଶା ଠାରୁ ଦେଶ ଶିଖିବା ଆବଶ୍ୟକ’

773

କନକ ବ୍ୟୁରୋ: ‘ଫୋନି’ ଗଲା ପରେ ଜାତୀୟ ଗଣମାଧ୍ୟରେ ଓଡ଼ିଶାକୁ ନେଇ ଚର୍ଚ୍ଚା । ଦେଶର ଅନ୍ୟ ରାଜ୍ୟ ପାଇଁ ଉଦାହରଣ ପାଲଟିଲା ଓଡ଼ିଶା । ଆଉ ଏଭଳି ପ୍ରଳୟଙ୍କାରୀ ବାତ୍ୟାକୁ କିଭଳି ରାଜ୍ୟ ସରକାର ମୁକାବିଲା କଲେ ତାହାକୁ ଅନ୍ୟ ରାଜ୍ୟ ଗୁଡ଼ିକ ଅନୁକରଣ କରିବା ଆବଶ୍ୟକ ବୋଲି ଜାତୀୟସ୍ତରରେ ଆଲୋଚନା ଜୋର ଧରିଛି । କାରଣ ବାତ୍ୟା ‘ଫୋନି’ ପୂର୍ବରୁ ଯେତେବେଳେ ଜାତୀୟ ପାଣିପାଗ ବିଭାଗ ଓଡ଼ିଶା ସରକାରଙ୍କୁ ସତର୍କ କରାଇଥିଲା । ସେବେଠାରୁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ବ୍ୟାପକଭାବେ କରିଥିଲେ ।  ଯାହାର ଫଳ ସ୍ୱରୂପ ଆଜି କୋଠାବାଡ଼ି ଭାଙ୍ଗି ଯାଇଛି ସତ କିନ୍ତୁ ଲକ୍ଷ ଲକ୍ଷ ଜୀବନ ସୁରକ୍ଷିତ ରଖିବାରେ ସଫଳତା ହାସଲ କରିଛନ୍ତି ରାଜ୍ୟ ସରକାର ।

ଏପରିକି ବାତ୍ୟା ନାଁ ଶୁଣିବା ପରଠାରୁ ରାଜ୍ୟ ସରକାରଙ୍କ ମୂଳ ଲକ୍ଷ୍ୟ ଥିଲା ଜିରୋ କାଜୁଆଲିଟୀ  । ଆଉ ୨୪ ଘଣ୍ଟା ମଧ୍ୟରେ ବିପଦପୂର୍ଣ୍ଣ ସ୍ଥାନରୁ ୧୨ ଲକ୍ଷ ଲୋକଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତରଣ କରି ଇତିହାସ ରଚିଲା ଓଡ଼ିଶା । ଯେଉଁଥି ପାଇଁ ମିଳିତ ଜାତି ସଂଘ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ବିଭିନ୍ନ ମହଲରୁ ପ୍ରଶଂସା ସାଉଣ୍ଟୁଛନ୍ତି ରାଜ୍ୟ ସରକାର । ଦୀର୍ଘ ୨୦ ବର୍ଷ ତଳେ ୧୯୯୯ ମସିହା ମହାବାତ୍ୟାରେ ଯେଉଁଭଳି ପ୍ରାଣହାନି ହୋଇଥିଲା ଏହାରି ମଧ୍ୟରେ ବିଭିନ୍ନ ବିପର୍ଯ୍ୟୟକୁ ଦୃଢ଼ତାର ସହ ମୁକାବିଲା କରିବାକୁ ପୂର୍ବ ପ୍ରସ୍ତୁତି ରହୁଛନ୍ତି ରାଜ୍ୟ ସରକାର । ଯାହାକୁ ଅନ୍ୟ ରାଜ୍ୟମାନେ ଅନୁସରଣ କରିବା ଜରୁରୀ ହୋଇପଡ଼ିଛି ।

ଦୀର୍ଘ ୨୦ ବର୍ଷ ତଳେ ହୋଇଥିବା ମହାବାତ୍ୟାରେ ମାତ୍ର ୨୩ଟି ବାତ୍ୟା ଆଶ୍ରୟସ୍ଥଳୀ ହୋଇଥିବାବେଳେ ରାଜ୍ୟ ସରକାର ଏବେ ୮୭୯ଟି ବହୁମୂଖୀ ବାତ୍ୟା ଆଶ୍ରସ୍ଥଳୀ ନିର୍ମାଣ କରି ସଜାଗ ରହିଛନ୍ତି । ଯାହାକି ରାଜ୍ୟ ସରକାରଙ୍କ ବଡ଼ ଉପଲବ୍ଧି । ଏହାସହ ରାଜ୍ୟର ୪୦୦ ରୁ ଉଦ୍ଧ୍ୱର୍ ସଂଗଠନରୁ ସ୍ୱାଚ୍ଛାସେବୀମାନଙ୍କୁ ବିପର୍ଯ୍ୟୟ ମୁକାବିଲା କରିବା ପାଇଁ ତାଲିମ ପ୍ରଦାନ କରାଯାଇ ପ୍ରସ୍ତୁତ ରଖାଯାଉଛି । କେବଳ ଏତିକି ନୁହେଁ ଦୁର୍ବିପାକ ସମୟରେ କିଭଳି ଯୋଗାଯୋଗରେ ସମସ୍ୟା ସୃଷ୍ଟି ନହେବ ସେନେଇ ରାଜ୍ୟ ସରକାର ବ୍ୟାପକ ପ୍ରସ୍ତୁତି କରିଛନ୍ତି । ଯେଉଁଥିରେ ପ୍ରଭାବିତ ଜିଲ୍ଲାମାନଙ୍କର ଜିଲ୍ଲାପାଳମାନଙ୍କୁ ଡ଼ିଜିଟାଲ୍ ମୋବାଇଲ୍ ସାଟେଲାଇଟ୍ ରେଡ଼ିଓ ସିଷ୍ଟମ୍  ଯୋଗାଇ ଦିଆଯାଇଛି ।  ଯାହାଫଳରେ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରାଯାଇ ପାରିବ ।

ପ୍ରାକୃତିକ ବିପର୍ଯ୍ୟୟକୁ କଡ଼ା ମୁକାବିଲା କରୁଥିବା ଓଡ଼ିଶାର ଏଭଳି କାର୍ଯ୍ୟ ଶୈଳୀକୁ ଦେଶର ସମସ୍ତ ରାଜ୍ୟ ଅନୁକରଣ କରନ୍ତୁ ବୋଲି ଦାବି ଉଠୁଛି । ଓଡ଼ିଶା ସରକାର ଯେଉଁଭଳି ୨୦ ବର୍ଷ ତଳେ ହୋଇଥିବା ତାଣ୍ଡବ ପରେ ସଜାଗ ରହୁଛନ୍ତି ସେଭଳି ଚିନ୍ତାଧାରା ପୂର୍ବ ପ୍ରସ୍ତୁତି କରିବା ପାଇଁ ଓଡ଼ିଶା ପ୍ରାକୃତିକ ଦୁର୍ବିପାକ ପୃଷ୍ଠାରୁ ଅଧ୍ୟୟନ କରନ୍ତୁ ରାଜ୍ୟ ଗୁଡ଼ିକ ବୋଲି ଟ୍ୱିଟ୍ କରି କହିଛନ୍ତି, ବିଶିଷ୍ଟ ଲେଖକ ଅମିତାଭ ଘୋଷ ।