ରାଜ୍ୟର ୧୨ଟି ଜିଲ୍ଲାରେ ଆରମ୍ଭ ହେବ ସେରୋ ସର୍ଭେ : ଲୋକଙ୍କ ଠାରୁ ୬ହଜାର ୬୮୦ ନମୂନା ସଂଗ୍ରହ ପାଇଁ ଯୋଜନା

ସେପ୍ଟମ୍ବର ୧୫ ଯାଏଁ ନମୂନା ସଂଗ୍ରହ କାର୍ଯ୍ୟକ୍ରମ; ଜଣାପଡ଼ିବ କେତେ ସୃଷ୍ଟି ହୋଇଛି ରୋଗପ୍ରତିରୋଧ ଶକ୍ତି

121

କନକ ବ୍ୟୁରୋ : ଆଜିଠୁ ରାଜ୍ୟର ୧୨ଟି ଜିଲ୍ଲାରେ ଆରମ୍ଭ ହେବ ସେରୋ ସର୍ଭେ । ଆରଏମଆରସି ଏହି ସେରୋ ସର୍ଭେ ପାଇଁ ନମୂନା ସଂଗ୍ରହ କରିବ । ତେଣୁ ଏହି ସବୁ ଜିଲ୍ଲା ଗୁଡ଼ିକରେ ନମୂନା ସଂଗ୍ରହ ସମୟରେ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜିଳ୍ଲାପାଳ ମାନଙ୍କୁ ଚିଠି ଜାରି କରାଯାଇଛି । ଏହି ସେରୋ ସର୍ଭେରେ ସାଧାରଣ ଲୋକଙ୍କ ଠାରୁ ୬ହଜାର ୬୮୦ ନମୂନା ସଂଗ୍ରହ ପାଇଁ ଯୋଜନା ରଖାଯାଇଛି ।

ସେପ୍ଟମ୍ବର ୧୫ ଯାଏଁ ନମୂନା ସଂଗ୍ରହ କାର୍ଯ୍ୟକ୍ରମ ଚାଲିବ । ଏହ ଦ୍ୱାରା ଲୋକଙ୍କ ଠାରେ କେତେ ରୋଗପ୍ରତିରୋଧ ଶକ୍ତି ସୃଷ୍ଟି ହୋଇଛି ତାହା ଜଣାପଡ଼ିବ । ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ଖୋର୍ଦ୍ଧା, ପୁରୀ, ବାଲେଶ୍ୱର, ମୟୁରଭଂଜ, ଯାଜପୁର, କନ୍ଧମାଳ, କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଳା ସାମିଲ ହୋଇଛି । ନମୂନା ସଂଗ୍ରହ ପାଇଁ ଆରଏମଆରସି ପକ୍ଷରୁ ଆବଶ୍ୟକ ମାନବ ସମ୍ବଳ ଓ ଲଜିଷ୍ଟିକ ବ୍ୟବସ୍ଥା କରାଯାଇଛି । ତେବେ ନମୂନା ସଂଗ୍ରହ ସୁରୁଖୁରୁରେ ହେବା ଲାଗି ଏସବୁ ଜିଲ୍ଲାରେ ଜଣେ ନୋଡାଲ ଅଧିକାରୀଙ୍କୁ ଚିହ୍ନଟ କରିବା ଲାଗି କୁହାଯାଇଛି । ସମ୍ପୃକ୍ତ ଅଧିକାରୀଙ୍କ ସମସ୍ତ ତଥ୍ୟ ଜିଲ୍ଲାପାଳମାନେ ଆରଏମଆରସି ନିର୍ଦେଶିକାଙ୍କୁ ପଠାଇବେ ।