ଆଜିଠୁ ଭୁବନେଶ୍ୱରରେ ହେବ ସେରୋ ସର୍ଭେ : ଦୁଇ ଦିନ ଧରି ବିଭିନ୍ନ ବୟସର ୨୦୦ ଜଣଙ୍କୁ କରାଯିବ ସାମିଲ

୫ ୱାର୍ଡ ପାଇଁ ୫ ନୋଡାଲ ଅଫିସର ନିଯୁକ୍ତ; ସଂଗ୍ରହ ହେବ ୬ ହଜାର ୬୮୦ ନମୁନା

79

କନକ ବ୍ୟୁରୋ : ଆଜିଠୁ ଭୁବନେଶ୍ୱରରେ ଆରମ୍ଭ ହେବ ସେରୋ ସର୍ଭେ । ଦୁଇ ଦିନ ଧରି ହେବାକୁ ଥିବା ଏହି ସେରୋ ସର୍ଭେରେ ବିଭିନ୍ନ ବୟସର ୨୦୦ ଜଣଙ୍କୁ ସାମିଲ କରାଯିବ । ବିଏମ୍ସି ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶନାମା ଅନୁସାରେ ୮, ୧୫, ୩୨, ୪୧ ଓ ୬୩ ୱାର୍ଡରେ ସେରୋ ସର୍ଭେ ପାଇଁ ନମୁନା ସଂଗ୍ରହ କରାଯିବ । ଏଥିପାଇଁ ୫ଟି ୱାର୍ଡରେ ୫ ଜଣ ନୋଡାଲ ଅଫିସରଙ୍କୁ ନିଯୁକ୍ତ କରାଯାଇଛି । ଆରଏମ୍ଆରସି ପକ୍ଷରୁ ରାଜ୍ୟର ୧୨ଟି ଜିଲ୍ଲାରେ ସେରୋ ସର୍ଭେ କରାଯିବ । ଖୋର୍ଦ୍ଧା, ପୁରୀ, ଯାଜପୁର, ମୟୂରଭଞ୍ଜ, ବାଲେଶ୍ବର, ସମ୍ବଲପୁର, ଝାରସୁଗୁଡ଼ା, କେନ୍ଦୁଝର, ସୁନ୍ଦରଗଡ଼, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର ଜିଲ୍ଲା ରହିଛି ।

ପୂର୍ବରୁ ରାଜ୍ୟରେ ହୋଇଥିବା ସେରୋ ସର୍ଭେରେ ୧୮ ବର୍ଷରୁ ଅଧିକ ଲୋକଙ୍କୁ ସାମିଲ କରାଯାଇଥିଲା । ଏଥର ବୟସ୍କଙ୍କ ସମେତ ୧୮ ବର୍ଷରୁ ଅଧିକ ଲୋକଙ୍କୁ ସାମିଲ କରିବା ପାଇଁ ନିଷ୍ପତ୍ତି ହୋଇଛି । ପ୍ରଥମ ଥର ଲାଗି ଏହି ସେରୋସର୍ଭେରେ ନମୁନା ସଂଖ୍ୟା ପୂର୍ବ ତୁଳନାରେ ଅଧିକ ରହିଛି। ପୂର୍ବରୁ ରାଜ୍ୟରେ ହୋଇଥିବା ସେରୋସର୍ଭେରେ ୧୮ବର୍ଷରୁ ଅଧିକ ଲୋକଙ୍କୁ ସାମିଲ କରାଯାଇଥିଲା । ମାତ୍ର ଏଥର ବୟସ୍କଙ୍କ ସମେତ ୧୮ବର୍ଷରୁ କମ୍ ପିଲାଙ୍କୁ ସାମିଲ କରିବା ଲାଗି ନିଷ୍ପତ୍ତି ହୋଇଛି । କରୋନା ଟିକାକରଣ ପରେ ଏଭଳି ବଡ଼ଧରଣର ସର୍ଭେରୁ ରାଜ୍ୟରେ କରୋନାରେ ସଂକ୍ରମିତ ହେଉଥିବା ବ୍ୟକ୍ତିଙ୍କ ମଧ୍ୟରେ କେତେ ପ୍ରତିଶତ ଆଣ୍ଟିବଡି ସୃଷ୍ଟି ହୋଇଛି, ତାହା ସ୍ପଷ୍ଟ ହୋଇପାରିବ ବୋଲି ଆରଏମ୍‌ଆରସି ପକ୍ଷରୁ କୁହାଯାଇଛି ।

ସେହିପରି କମ୍ୟୁନିଟିସ୍ତରରେ ରାଣ୍ଡମ୍‌ ୪୦ ନମୁନା, ୧୦୦ ସ୍ବାସ୍ଥ୍ୟକର୍ମୀକୁ ମିଶାଇ ୧୨ଟି ଜିଲ୍ଲାରେ ସମୁଦାୟ ୧୩୭ଟି କ୍ଲଷ୍ଟରରୁ ନମୁନା ସଂଗ୍ରହ କରାଯିବ। ସ୍ବାସ୍ଥ୍ୟକର୍ମୀଙ୍କ ମଧ୍ୟରୁ ୧୨୦୦ ଓ କମ୍ୟୁନିଟିରୁ ୫୪୮୦ ନମୁନାକୁ ମିଶାଇ ସମୁଦାୟ ୬୬୮୦ ନମୁନା ନିଆଯିବ। କମ୍ୟୁନିଟିରୁ ସଂଗ୍ରହ ହେବାକୁ ଥିବା ନମୁନାରେ ୬-୧୭ବର୍ଷର ୧୬୪୪, ବୟସ୍କ ୩୮୩୬ ବ୍ୟକ୍ତି ରହିବେ । ଏଥିପାଇଁ ୬ଟି ଟିମ୍ ନିୟୋଜିତ ହେବେ । ଏଥିରେ ଜଣେ ସୁପରଭାଇଜର୍‌, ରିସର୍ଚ୍ଚ ଆସିଷ୍ଟାଣ୍ଟ, ଫ୍ଲେବୋଟୋମିଷ୍ଟ ଓ ଜଣେ ଡାଟାଏଣ୍ଟ୍ରି ଅପରେଟର୍‌ ରହିବେ ବୋଲି ଆରଏମ୍‌ଆରସି ପକ୍ଷରୁ କୁହାଯାଇଛି।